April 23, 2026

କଳା ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଙ୍କ ପୀଠରେ, କଳା ପରିବେଷଣ ପାଇଁ ନାହିଁ ସୁବିଧା ସୁଯୋଗ କୁଆଡେ ଗଲା ଶିଳ୍ପୀଗ୍ରାମ ର ଯୋଜନା ? 

IMG-20250627-WA0054
Share

 

ଓଡିଆ ଭାଷା ସାହିତ୍ୟ ସଂସ୍କୃତି ଓ କାବ୍ୟ କଳାର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଙ୍କ ପୀଠ , ବାଣୀ କ୍ଷେତ୍ର ନାମରେ ପ୍ରସିଦ୍ଧି ଲାଭ କରିଛି । ବର୍ଷସାରା ଏଠାରେ ପାଲା,ଦାସକାଠିଆ , ଘୋଡ଼ା ନାଚ, ଭଜନ ସମାରୋହ ଓ ଯାତ୍ରା ଆଦି ପରିବେଷଣ କରାଯାଉଥିଲା। ମାତ୍ର ଦୀର୍ଘ ୧୬ ବର୍ଷ ହେଲା ଏଥିପାଇଁ ଭିତ୍ତିଭୂମି ର ଅଭାବ ପରିଲକ୍ଷିତ ହେଉଛି । କାରଣ ଯେଉଁ ନାଟ୍ୟମଣ୍ଡପ ଟି ଏଠାରେ ଥିଲା ତାହା ତାରପୁର ବୀଣାପାଣି କଳାକୁଞ୍ଜ୍ ଯାତ୍ରାଦଳର ପ୍ରଯୋଜକ ସ୍ବର୍ଗତ ଦିବାକର ଦାଶ ଙ୍କ ଦ୍ଵାରା ନିର୍ମିତ ହେଇଥିଲା। ସେହି ମଞ୍ଚ ରେ ଯାତ୍ରା ପାଲା ଠାରୁ ଆରମ୍ଭ କରି ସଭାସମିତି ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା। ମାତ୍ର ୨୦୧୫ ମସିହାରେ , ସେହି ମଞ୍ଚ ପାର୍ଶ୍ଵରେ ବଡ ଠାକୁର ବଳଭଦ୍ର ଦେବ ଙ୍କ ବ୍ରହ୍ମଦାରୁ ଆବିର୍ଭାବ ହେବାରୁ ସେହି ନାଟ୍ୟମଣ୍ଡପ କୁ ଭାଙ୍ଗି ଦିଆ ଯାଇଥିଲା। କିଛିବର୍ଷ ପରେ ତତ୍ କାଳୀନ ସାଂସଦ ଡଃ ରାଜଶ୍ରୀ ମଲ୍ଲିକ ଙ୍କ ସାଂସଦ ପାଣ୍ଠି ରୁ ୫ ଲକ୍ଷ ଟଙ୍କା ଆର୍ଥିକ ଅନୁଦାନ ରେ ନିର୍ମାଣାଧୀନ ଥିବା ନାଟ୍ୟ କଳାମଣ୍ଡପ କୁ ମଧ୍ୟ ସାରଳାପୀଠ ନବୀକରଣ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଭାଙ୍ଗି ଦିଆ ଯାଇଥିଲା। ତେଣୁ ସାରଳା ମନ୍ଦିର ସିଂହଦ୍ଵାର ସମ୍ମୁଖରେ ଥିବା ଦୋଳମଣ୍ଡପ ରେ ଯେନତେନ ପ୍ରକାରେ ନ ସାଂସ୍କୃତିକ ଓ ସାରସ୍ୱତ କାର୍ଯ୍ୟକ୍ରମ କରାଯାଉଥିଲା। ହେଲେ ଗତ ମଙ୍ଗଳବାର ଦିନ,ନବୀକରଣ କାର୍ଯ୍ୟ କରୁଥିବା ଠିକାଦାର ସଂସ୍ଥା ଭାଙ୍ଗିବା ଆରମ୍ଭ କରିଛନ୍ତି। ଯାହା ଫଳରେ ଆଉ କୌଣସି ଛୋଟମୋଟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ଆଦୌ ସମ୍ଭବପର ନୁହେଁ। ଏହି ଦୋଳ ମଣ୍ଡପ ର ଚତୁଃ ପାର୍ଶ୍ଵରେ ଖୁଣ୍ଟ ଉଠାଇ ଛାତ ପକାଇ ଥିଲେ ଜଗତସିଂହପୁର ତୁଳସୀ ଗଣନାଟ୍ୟ ର ପ୍ରତିଷ୍ଠାତା ସ୍ବର୍ଗତ ଉଛଵ ଚରଣ ଲେଙ୍କା। ଯାତ୍ରାଜିଲ୍ଲା ଭାବେ ପରିଚିତ ଜଗତସିଂହପୁର ଜିଲ୍ଲା ସମେତ ରାଜ୍ୟର କୋଣ ଅନୁକୋଣରେ ଥିବା ଯାତ୍ରା ଅନୁଷ୍ଠାନ ତରଫରୁ ଏଠାରେ ଚଳିତ ବର୍ଷ ର ନୂତନ ନାଟକ ପରିବେଷଣ କରିବା ପରେ ଦୂରଦୁରାନ୍ତ କୁ ଯାତ୍ରା କରିଥାନ୍ତି। ମାତ୍ର ଦୀର୍ଘ ୧୬ ବର୍ଷ ଧରି ଏଠାରେ ନାଟ୍ୟମଞ୍ଚ ନଥିବାରୁ କଳାକାର ମାନଙ୍କୁ ନିରାଶ ହେବାକୁ ପଡୁଛି। ରାଜ୍ୟ ସରକାରଙ୍କ ତରଫରୁ ୨୦୨୨ ରେ ସାରଳା ପୀଠର ନବୀକରଣ କାର୍ଯ୍ୟ ନିମନ୍ତେ ଯେଉଁ ମାଷ୍ଟର ପ୍ଲାନ ବା ନକ୍ସା କରାଯାଇଥିଲା , ସେଥିରେ ଏଠାରେ ଏକ କଳାମଣ୍ଡପ ଓ ପ୍ରେଖ୍ୟାଳୟ ନିର୍ମାଣ କରାଯିବାର ବ୍ୟବସ୍ଥା ଥିଲେ ମଧ୍ୟ ପ୍ରସାଶନିକ ଅପାରଗତା ଓ ଠିକାଦାରୀ ସଂସ୍ଥା ର ମନମାନି ପାଇଁ ଆଜି ପର୍ଯ୍ୟନ୍ତ କଳାମଣ୍ଡପ ବା ପ୍ରେକ୍ଷାଳୟ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ। ଅପର ପକ୍ଷରେ ସାରଳା ଘଟନୃତ୍ୟ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ପ୍ରସିଦ୍ଧି ଲାଭ କରିଥିବାରୁ ଏହି ଶାରଳାପୀଠର କନକ ପୁର ଗ୍ରାମ କୁ ଜଗତସିଂହପୁର ଜିଲ୍ଲାର ଶିଳ୍ପୀ ଗ୍ରାମ ଭାବେ ଘୋଷଣା କରାଯାଇ ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହି ଶିଳ୍ପୀ ଗ୍ରାମ ର ବିକାଶ ପାଇଁ କାଣି କଉଡିଟିଏ ବି ଆର୍ଥିକ ଅନୁଦାନ ରାଜ୍ୟ ସରକାରଙ୍କ ତରଫରୁ ପ୍ରଦାନ କରାଯାଇନାହିଁ। ଯାହା ଫଳରେ ସାରଳା ଘଟନୃତ୍ୟ ଭଳି ଏକ ପ୍ରାଚୀନ ମହାନ୍ ଲୋକନୃତ୍ୟ ବିଲୁପ୍ତ ହେବାକୁ ବସିଲାଣି । କଳାର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଙ୍କ ପୀଠରେ ଯଦି କଳାକାର ମାନଙ୍କ ଦ୍ଵାରା କଳା ପରିବେଷଣ ପାଇଁ ଯଦି ସର୍ବନିମ୍ନ ସୁବିଧା ସୁଯୋଗ ନାହିଁ, ତେବେ ଓଡ଼ିଆ ଅସ୍ମିତା କଥା ର ତୁମ୍ବିତୋଫାନ କରି ଲାଭକଣ ? ସାରଳା ମନ୍ଦିର ପ୍ରଶାସନ ,ଜଗତସିଂହପୁର ଜିଲ୍ଲାପ୍ରଶାସନ, ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଏସବୁ କୁ ଯଥାର୍ଥ ଗୁରୁତ୍ୱ ଦେଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ସାଧାରଣରେ ଦାବୀ ହେଉଛି|

ଜଗତ୍ସିଂହପୁରର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଓଡିଶା

You may have missed