ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ସଙ୍ଘବଦ୍ଧ ଆକ୍ରମଣ ଅଭିଯୋଗ ; ଉଭୟ ପକ୍ଷର ଚାରି କୋର୍ଟଚାଲାଣ
ବେଲଗୁଣ୍ଠା,27,6,2025/ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗାଙ୍ଗପୁର ଥାନା ଅନ୍ତର୍ଗତ ଖଣ୍ଡରାବଳୀ ଅଞ୍ଚଳରେ ସଙ୍ଘବଦ୍ଧ ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ ଆଣିଛନ୍ତି ସେହି ଗ୍ରାମର ବସନ୍ତ ବିଷୋୟୀ (୪୦) I ବସନ୍ତଙ୍କ ଅଭିଯୋଗ ପ୍ରକାରେ ଆଜି ସକାଳ ନଅ ଘଣ୍ଟା ସମୟରେ ଖଣ୍ଡରାବଳୀ ବଙ୍ଗଳା ଛକରେ ତାଙ୍କ ଭାଇ ଟୁଟୁ ବିଷୋୟୀ ଚା ପିଉଥିବା ସମୟରେ ଧୂମୂଛାଇ ଗ୍ରାମର ବାଦଲ ସ୍ୱାଇଁ,ଖଣ୍ଡରାବଳୀ ଗ୍ରାମର କାଳୁ ଚରଣ ବିଷୋଇ, ବଳରାମ ବିଷୋୟୀ,ଠାକୁର ବିଷୋୟୀ,ସିକୁ ବିଷୋୟୀ, ବଂଶୀଧର ବିଷୋୟୀ, ପଞ୍ଚାନନ ବିଷୋୟୀ, ନିରଞ୍ଜନ ବିଷୋୟୀ,ଦୀପକ ବିଷୋୟୀ ଏବଂ ବାଳକ ବିଷୋୟୀ କାତି, ଶାବଳ, କୋଡ଼ି,ଖଣ୍ଡା ଆଦି ମାରଣାସ୍ତ୍ର ଧରି ସେଠାକୁ ଆସି ଟୁଟୁଙ୍କୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ତାଙ୍କୁ ଠେଲାପେଲା କରିଥିଲେ I ଏହା ସହିତ ତାଙ୍କୁ ଜୀବନରେ ମାରି ଅଖାରେ ଭର୍ତ୍ତି କରି କେନାଲ୍ ରେ ଫୋଫାଡି ଦେବା ପାଇଁ ଧମକ ଦେଇଥିଲେ I ବସନ୍ତ ଘଟଣା ସ୍ଥଳରେ ପହଞ୍ଚି ଟୁଟୁଙ୍କୁ ଉଦ୍ଧାର କରିବା ପାଇଁ ଗଲାବେଳେ ଆକ୍ରମଣକାରୀ ବସନ୍ତଙ୍କୁ ମଧ୍ୟ ସଂଘବଦ୍ଧ ଭାବେ ବିଧା, ଗୋଇଠା ମାରିବା ସହିତ ଏକ କୋଡିରେ ବସନ୍ତଙ୍କୁ ଆକ୍ରମଣ କରି ତାଙ୍କ ମୁଣ୍ଡ ଫଟାଇ ଦେଇଥିଲେ I ତେଣୁ ଭବିଷ୍ୟତରେ ବସନ୍ତଙ୍କ ପରିବାର ସଦସ୍ୟଙ୍କୁ ଜୀବନ ପ୍ରତି ବିପଦ ରହିଥିବାରୁ ସେ ଆକ୍ରମଣକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଗାଙ୍ଗପୁର ଥାନାରେ ଅଭିଯୋଗ କରିଛନ୍ତି I ଏନେଇ ଗାଙ୍ଗପୁର ଥାନାରେ 432 /25 ରେ ଏକ ମାମଲା ରୁଜୁ କରାଯିବା ସହିତ ତଦନ୍ତକାରୀ ଅଧିକାରୀ ଆର୍ତ୍ତତ୍ରାଣ ଦାନୀ ଅଭିଯୁକ୍ତ କାଳୁ ଚରଣ ବିଷୋୟୀ, ସିକୁ ବିଷୋୟୀ ଏବଂ ବାଦଲ ସ୍ୱାଇଁଙ୍କୁ ଗିରଫ କରିବା ପରେ ସେମାନଙ୍କୁ କୋର୍ଟଚାଲାଣ କରଯାଇଛି I ଅନ୍ୟ ପକ୍ଷରେ ବାଦଲ ସ୍ଵାଇଁ ମଧ୍ୟ ଟୁଟୁ ବିଷୋୟୀଙ୍କ ନାମରେ ଏକ ଏତାଲା ଦାୟର କରିବା ପରେ ପୋଲିସ୍ ଟୁଟୁକୁ ଗିରଫ କରି କୋର୍ଟଚାଲାଣ କରିଛି I ବାଦଲର ଅଭିଯୋଗ ପ୍ରକାରେ ରାଜନୀତିକ ଘଟଣାକୁ କେନ୍ଦ୍ର କରି ବୁଧବାର ସନ୍ଧ୍ୟା ପାଞ୍ଚଟା ସମୟରେ ଟୁଟୁ ବାଦଲକୁ ଗାଳି କରିଥିଲା I ଆଜି ସକାଳ ଆଠ ଘଣ୍ଟା ତିରିଶ ମିନିଟ୍ ସମୟରେ ବାଦଲ ମନରେଗା କାର୍ଯ୍ୟରେ ଖଣ୍ଡରାବଳୀ ବଙ୍ଗଳା ପଟେ ଯାଉଥିବା ବେଳେ ଟୁଟୁ ଆସି ପୁନଶ୍ଚ ବାଦଲକୁ ଅଶ୍ରାବ୍ୟ ଭାଷାରେ ଗାଳି କରିବାରୁ ସେମାନଙ୍କ ମଧ୍ୟରେ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା I ବାଦଲର ଏତାଲା ପ୍ରକାରେ ଗାଙ୍ଗପୁର ଥାନାରେ 435/25 ରେ ଅନ୍ୟ ଏକ ମାମଲା ରୁଜୁ କରାଯାଇଥିବା ଗାଙ୍ଗପୁର ଥାନା ଅଧିକାରୀ ଶୁଭଲକ୍ଷ୍ମୀ ପୂଜାରୀ ପ୍ରକାଶ କରିଛନ୍ତି I
