ଭବାନୀପାଟଣା ସହରର ଚମାରପଡାର ସମସ୍ୟା।
ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ):ଭବାନୀପାଟଣା ସହରର ୨ ନଂ ୱାର୍ଡ ଅନ୍ତର୍ଗତ ଚମାରପଡା ଏକ ବସ୍ତି ଅଞ୍ଚଳ। ଏହି ପଡ଼ାରେ ପ୍ରାୟ ପଚାଶରୁ ଉର୍ଦ୍ଧ ପରିବାର ବାସ କରନ୍ତି ଏବଂ ସମସ୍ତ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର। ମୋଚି କାମ କରି ସମସ୍ତେ ନିଜର ଗୁଜୁରାଣ ମେଣ୍ଟାନ୍ତି।ଏହି ପଡାବାସି ଅନେକ କଷ୍ଟ ଦେଇ ଗତି କରୁଛନ୍ତି। ଏହି ପଡ଼ାରେ ଆଜି ପର୍ଯ୍ୟନ୍ତ କୌଣସି ରାସ୍ତା, ଡ୍ରେନ ତିଆରି କରାଯାଇନାହିଁ। ଏପରିକି ପଡାବାସି ବିଶୁଦ୍ଧ ପାନୀୟ ଜଳ ମଧ୍ୟ ପାଇପାରୁ ନାହାନ୍ତି। କେଉଁ ତିରିଶ ବର୍ଷ ତଳେ ତିଆରି ହୋଇଥିବା ଦୁଇଗୋଟି ନଳକୂପ ମଧ୍ୟରୁ ଅନେକ ବର୍ଷ ହେଲା ଗୋଟିଏ ନଳକୂପ ଅଚଳ ଅବସ୍ଥାରେ ଅଛି। ଏହାଛଡା ପୌରପାଳିକା ତରଫରୁ ଯୋଗାଇ ଦିଆଯାଇଥିବା ପାଣି କେବେ ଆସିଲେ କେବେ ନାହିଁ। ଏହାଛଡା ପକ୍କା ରାସ୍ତା ଓ ଡ୍ରେନ ନଥିବାରୁ ଲୋକେ ବର୍ଷା ଦିନରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ଏହି ବସ୍ତି ନିକଟ ଦେଇ ଏକ ଚିର ସ୍ରୋତା ଛୋଟ ନାଳ ପ୍ରବାହିତ ହେଉଛି। ଏହି ନାଳରେ ସହରର ଇରିଗେସନ କଲୋନୀ ଓ ରାମନଗର ପଡ଼ାର ପ୍ରାୟ ସମସ୍ତ ଡ୍ରେନର ଆବର୍ଜନା ପାଣି ପଡିଥାଏ। ଏହି ପ୍ରକ୍ରିୟା ବର୍ଷ ବର୍ଷ ଧରି ଚାଲିବା ଓ ପୌରପାଳିକା ତରଫରୁ ଏହି ନାଳର ସଫେଇ ନହେବା ଯୋଗୁଁ ନାଳଟି ଆବର୍ଜନା ଯୋଗୁଁ ପୋତିହେବାକୁ ବସିଲାଣି। ଏହା ଦ୍ଵାରା ପ୍ରବଳ ମଶା ଓ ମାଛିଙ୍କ ଦାଉରେ ଚମାରପଡା ବାସି ଅତିଷ୍ଠ ହୋଇଗଲେଣି। ଏଥିପାଇଁ ପଡାବାସୀ ଅନେକ ସମୟରେ ବିଭିନ୍ନ ରୋଗରେ ପୀଡିତ ହୁଅନ୍ତି। ଏହି ସବୁ ସମସ୍ୟାର ସମାଧାନ ପାଇଁ ପୂର୍ବରୁ ଚମାରପଡା ବାସି ବାରମ୍ବାର ସ୍ଥାନୀୟ ୱାର୍ଡମେମ୍ବର ଓ ପୌରପାଳିକା ଅଧ୍ୟକ୍ଷଙ୍କୁ ଜଣାଇଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ ଏହି ସବୁ ସମସ୍ୟାର ସମାଧାନ ହୋଇନାହିଁ। ଏପରିକି ଆଜିପର୍ଯ୍ୟନ୍ତ ୨ ନଂ ୱାର୍ଡର ଯେତିକି ୱାର୍ଡମେମ୍ବର ହୋଇଛନ୍ତି ସେମାନେ କେବଳ ନିର୍ବାଚନ ସମୟରେ ଭୋଟ ପାଇଁ ଚମାରପଡ଼ାରେ ଦେଖାଦିଅନ୍ତି। ସରକାରୀ ଜମି ଉପରେ ଅବସ୍ଥିତ ଏହି ଚମାରପଡା ବହୁତ ପୁରୁଣା ବସ୍ତି ଅଟେ।କିନ୍ତୁ ଦୁଃଖର ବିଷୟ ଏହି ପଡାର ଅଳ୍ପ କେତେ ଲୋକଙ୍କୁ ଛାଡିଦେଲେ ପ୍ରାୟ ଲୋକଙ୍କୁ ସ୍ଥାୟୀ ଜମି ପଟ୍ଟା ମଧ୍ୟ ମିଳିନାହିଁ। ଏନେଇ ପଡାବାସି କେତେଥର ଜିଲ୍ଲାପାଳ ଓ ପୂର୍ବତନ ସାଂସଦ ମାନଙ୍କୁ ମଧ୍ୟ ଦାବି ପତ୍ର ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସ୍ଥାୟୀ ଜମି ପଟ୍ଟା ମିଳିପାରିନାହିଁ। ଯାହାଫଳରେ ପଡାବାସି ଅନେକ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି। ଏହିସବୁ ସମସ୍ୟାର ଅତିଶୀଘ୍ର ସମାଧାନ ହେଲେ ପଡାବାସି ଉପକୃତ ହୁଅନ୍ତେ ବୋଲି ଚମାରପଡା ବାସି ଜଣାଇଛନ୍ତି।