ଖୋର୍ଦ୍ଧା ଆଇନ ମହାବିଦ୍ୟାଳୟ ପକ୍ଷରୁ ଏସ୍.ପି ବିବେକାନନ୍ଦ ଶର୍ମାଙ୍କୁ ବିପୁଳ ସମ୍ବର୍ଦ୍ଧନା

ଖୋର୍ଦ୍ଧା-(ପ୍ରିୟଙ୍କା ମହାପାତ୍ର) ଖୋର୍ଦ୍ଧା ଆଇନ ମହାବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀ ତଥା ପୋଲିସଙ୍କ ମଧ୍ୟରେ ଲୋକହିତରେ ଏକ ତାତ୍ତ୍ଵିକ ଆଲୋଚନା ଅନୁଷ୍ଠିତ ହୋଇଥିଲା। ଏହି ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲାର ସୁପରିଟେଣ୍ଡେଣ୍ଟ ଅଫ୍ ପୋଲିସ ଶ୍ରୀ ବିବେକାନନ୍ଦ ଶର୍ମା ଯୋଗ ଦେଇ ଥିଲେ। ଛାତ୍ରଛାତ୍ରୀମାନେ ଜନସାଧାରଣଙ୍କ ପୋଲିସର ଲୋକାଭିମୁଖୀ ସହଯୋଗ ତଥା ସାଇବର କ୍ରାଇମର ଯଥାର୍ଥ ମୁକାବିଲା ସମ୍ପର୍କରେ ଅନେକ ପ୍ରଶ୍ନର ଉତ୍ତର ଚାହିଁଥିଲେ। ଶ୍ରୀ ଶର୍ମା ସମସ୍ତ ପ୍ରଶ୍ନର ଉତ୍ତର ସନ୍ତୋଷଜନକ ଭାବେ ଉପସ୍ଥାପିତ କରିଥିଲେ। ଏହି ଆଲୋଚନା ଚକ୍ରରେ ଖୋର୍ଦ୍ଧା ଆଇନ ମହାବିଦ୍ୟାଳୟର ସଭାପତି ଶ୍ରୀ ପ୍ରତାପ ଚନ୍ଦ୍ର ସାମନ୍ତରାୟ ସଭାପତିତ୍ଵ କରିଥିଲେ। ସମ୍ପାଦକ ଶ୍ରୀ ସୁଧୀର କୁମାର ମାନସିଂହ ପ୍ରାରମ୍ଭିକ ଭାଷଣ ଦେଇ କଲେଜର ତାତ୍ତ୍ଵିକ ଆଲୋଚନାର ଉଦ୍ଦେଶ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। କଲେଜର ଅଧ୍ୟକ୍ଷ ଡ଼ଃ. ବିବେକାନନ୍ଦ ଛୋଟରାୟ ପୋଲିସର ମିଳିତ ଆଲୋଚନା ଏହା ଛାତ୍ରଛାତ୍ରୀ ମନ ଭିତରେ ଥିବା ଜିଂଜ୍ଞାସାର ଉପଯୁକ୍ତ ସମାଧାନ କରିପାରିବ ବୋଲି କହିଥିଲେ। ଅଧ୍ୟାପିକା ଅର୍ଚ୍ଚିତା ମହାରଣା ସଭା ସଂଯୋଜନା କରିଥିଲେ ଏବଂ ଅଧ୍ୟାପକ ସାଇ ଜ୍ୟୋତି ରଞ୍ଜନ ଧନ୍ୟବାଦ ଅର୍ପଣ କରିଥିଲେ। ସଭାଶେଷରେ ପୋଲିସ ଅଧ୍ୟକ୍ଷଙ୍କୁ ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ତଥା ପରିଚାଳକ ପରିଷଦ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।
