ବଲାଙ୍ଗୀର ପୌର ପରିଷଦକୁ ରାଜ୍ୟର ଶ୍ରେଷ୍ଠ ମାନ୍ୟତା ୧ କୋଟିର ପୁରସ୍କାର ପାଇବ ବଲାଙ୍ଗୀର; ଅଧ୍ୟକ୍ଷା ଲିକା ସାହୁ ହେବେ ସମ୍ମାନିତ
ସ୍ୱଚ୍ଛତା, ଜନସେବା ଓ ସହର ବିକାଶରେ ଉଲ୍ଲେଖନୀୟ ପ୍ରଦର୍ଶନ—ଅଗଷ୍ଟ ୩୧ରେ ଭୁବନେଶ୍ୱର କୃଷି ଭବନରେ ସମ୍ମାନ ସମାରୋହ
ସମ୍ବଲପୁର, ୨୫/୮ : ବଲାଙ୍ଗୀର ପୌର ପରିଷଦର ସଫଳତାର ମୁକୁଟରେ ଯୋଡ଼ି ହୋଇଛି ଆଉ ଏକ ଗୌରବମୟ ପାଖୁଡ଼ି। ଜନସେବା, ସ୍ୱଚ୍ଛତା, ସହରର ସୌନ୍ଦର୍ଯ୍ୟୀକରଣ ଓ ସର୍ବାଙ୍ଗୀନ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବଲାଙ୍ଗୀର ପୌର ପରିଷଦ ରାଜ୍ୟର ଶ୍ରେଷ୍ଠ ପୌର ପରିଷଦ ମଧ୍ୟରେ ସ୍ଥାନ ପାଇଛି। ଏହି ସଫଳତା ପାଇଁ ପୌର ପରିଷଦକୁ ମିଳିବ ୧ କୋଟି ଟଙ୍କାର ପୁରସ୍କାର।
ଆସନ୍ତା ଅଗଷ୍ଟ ୩୧ ତାରିଖରେ ଭୁବନେଶ୍ୱରସ୍ଥିତ କୃଷି ଭବନଠାରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର ସମାରୋହରେ ଏହି ପୁରସ୍କାର ପ୍ରଦାନ କରାଯିବ। ଏହି ଅବସରରେ ବଲାଙ୍ଗୀର ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁଙ୍କୁ ମଧ୍ୟ ସମ୍ମାନିତ କରାଯିବ।
ଅଧ୍ୟକ୍ଷାଙ୍କ ନେତୃତ୍ୱରେ ନୂଆ ଦିଗ
ବଲାଙ୍ଗୀର ସହରକୁ ଅଧିକ ସ୍ୱଚ୍ଛ, ସୁନ୍ଦର ଓ ଜନାଭିମୁଖୀ କରିବା ଦିଗରେ ପୌର ପରିଷଦ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଏହି ସଫଳତାର ମୁଖ୍ୟ ଆଧାର ବୋଲି କୁହାଯାଉଛି। ଅଧ୍ୟକ୍ଷା ଲିକା ସାହୁଙ୍କ ନିରନ୍ତର ପ୍ରଚେଷ୍ଟା, ଲୋକାଭିମୁଖୀ ଚିନ୍ତାଧାରା ଓ ବିକାଶମୂଳକ କାର୍ଯ୍ୟକୁ ନେଇ ପୌର ପରିଷଦ ଏହି ସମ୍ମାନଜନକ ସ୍ଥାନ ହାସଲ କରିଥିବା କୁହାଯାଉଛି।
ସହରବାସୀଙ୍କ ଆବଶ୍ୟକତାକୁ ପ୍ରାଥମିକତା ଦେଇ ପୌର ସେବାକୁ ଅଧିକ ସୁଦୃଢ଼ କରିବା, ସ୍ୱଚ୍ଛତା ଓ ସୌନ୍ଦର୍ଯ୍ୟୀକରଣ ଉପରେ ଗୁରୁତ୍ୱ ଦେବା ସହ ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ଉନ୍ନୟନମୂଳକ କାର୍ଯ୍ୟ କରାଯାଇଥିବାରୁ ଏହି ସଫଳତା ମିଳିଛି।
ସଫଳତାର ଶ୍ରେୟ ଜନସାଧାରଣଙ୍କୁ
ଏହି ଗୌରବମୟ ସଫଳତା ପରେ ବଲାଙ୍ଗୀର ପୌର ପରିଷଦ ଓ ଅଧ୍ୟକ୍ଷା ଲିକା ସାହୁଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଯାଇଛି। ତେବେ ଏହି ସଫଳତାର ସମସ୍ତ ଶ୍ରେୟ ଅଧ୍ୟକ୍ଷା ଶ୍ରୀମତୀ ସାହୁ ବଲାଙ୍ଗୀର ସହରର ଆବାଳବୃଦ୍ଧବନିତା ଓ ସମସ୍ତ ଜନସାଧାରଣଙ୍କୁ ଉତ୍ସର୍ଗ କରିଛନ୍ତି।
ଜନସାଧାରଣଙ୍କ ସହଯୋଗ, ବିଶ୍ୱାସ ଓ ସକାରାତ୍ମକ ଭାଗିଦାରି ବିନା ଏହି ସଫଳତା ସମ୍ଭବ ନୁହେଁ ବୋଲି ସେ ପ୍ରକାଶ କରିଛନ୍ତି। ପୌର ପରିଷଦର ଏହି ସଫଳତା ବଲାଙ୍ଗୀର ସହରର ବିକାଶ ଯାତ୍ରାକୁ ଆହୁରି ଗତିଶୀଳ କରିବା ସହ ଆଗାମୀ ଦିନରେ ଅଧିକ ଜନକଲ୍ୟାଣମୂଳକ କାର୍ଯ୍ୟ ପାଇଁ ପ୍ରେରଣା ଯୋଗାଇବ ବୋଲି ଆଶା ପ୍ରକାଶ ପାଇଛି।
