ରୋଟାରୀ କ୍ଲବ ଅଫ ସମ୍ବଲପୁର ସିଟିର ୧୧ତମ ସ୍ଥାପନା ଉତ୍ସବ ଲଲିତ ରୋହିଦାସ ସଭାପତି, ପ୍ରତୀକ ଶ୍ରୀରାମକା ହେଲେ ସମ୍ପାଦକ

ସମ୍ବଲପୁର,୨୬.୦୭: ରୋଟାରୀ କ୍ଲବ ଅଫ ସମ୍ବଲପୁର ସିଟିର ୧୧ତମ ସ୍ଥାପନା ଉତ୍ସବ ଶନିବାର ରୁଦ୍ରାକ୍ଷ ରିଭରସାଇଡ୍ଠାରେ ଆଡ଼ମ୍ବରପୂର୍ଣ୍ଣ ଓ ଗରିମାମୟ ପରିବେଶରେ ଅନୁଷ୍ଠିତ ହୋଇଥିଲା। ସମ୍ବଲପୁରର ସମସ୍ତ ରୋଟାରୀ କ୍ଲବର ସଦସ୍ୟମାନଙ୍କ ସହ ବିଶିଷ୍ଟ ଅତିଥି ଓ ସମାଜର ବିଭିନ୍ନ ବର୍ଗର ପ୍ରତିନିଧିମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।
କାର୍ଯ୍ୟକ୍ରମରେ ରୋଟାରିଆନ୍ ପିଡିଜି ମେଜର ଦୀପକ ମେହେଟା ମୁଖ୍ୟ ଅତିଥି ଓ ଇନଷ୍ଟଲେସନ୍ ଅଫିସର ଭାବେ ଯୋଗଦେଇଥିବାବେଳେ ଓଡ଼ିଶା ସରକାରଙ୍କ ପୂର୍ବତନ ଉଚ୍ଚଶିକ୍ଷା ମନ୍ତ୍ରୀ ଇଞ୍ଜିନିୟର ରୋହିତ ପୂଜାରୀ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।
ଏହି ଅବସରରେ ବିଦାୟୀ ସଭାପତି ରୋଟାରିଆନ୍ ହେମନ୍ତ କୁମାର ପାଣିଗ୍ରାହୀ (୨୦୨୫–୨୬) ନବନିର୍ବାଚିତ ସଭାପତି ରୋଟାରିଆନ୍ ଲଲିତ ରୋହିଦାସଙ୍କୁ ୨୦୨୬–୨୭ବର୍ଷ ପାଇଁ ଦାୟିତ୍ୱ ହସ୍ତାନ୍ତର କରିଥିଲେ। ସେହିପରି ବିଦାୟୀ ସମ୍ପାଦକ ରୋଟାରିଆନ୍ ଗୌରୀଶଙ୍କର ପାନୱାର ନୂତନ ସମ୍ପାଦକ ରୋଟାରିଆନ୍ ପ୍ରତୀକ ଶ୍ରୀରାମକାଙ୍କୁ ଦାୟିତ୍ୱ ପ୍ରଦାନ କରିଥିଲେ।
ମୁଖ୍ୟ ଅତିଥି ପିଡିଜି ମେଜର ଦୀପକ ମେହେଟା ନବନିର୍ବାଚିତ ନେତୃତ୍ୱକୁ ଅଭିନନ୍ଦନ ଜଣାଇ ରୋଟାରୀର “ସେବା ହିଁ ସର୍ବୋପରି” ଆଦର୍ଶକୁ ଆଗେଇ ନେବା ସହ ସମାଜସେବାମୂଳକ କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରିବାକୁ ଆହ୍ୱାନ ଦେଇଥିଲେ। ସମ୍ମାନିତ ଅତିଥି ଇଞ୍ଜିନିୟର ରୋହିତ ପୂଜାରୀ ରୋଟାରୀର ସାମାଜିକ ଅବଦାନର ଉଚ୍ଚ ପ୍ରଶଂସା କରି ଶିକ୍ଷା, ଯୁବ ବିକାଶ ଓ ସମାଜସେବା କ୍ଷେତ୍ରରେ ଅଧିକ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ।
ନବନିର୍ବାଚିତ ସଭାପତି ଲଲିତ ରୋହିଦାସ ତାଙ୍କ ଅଭିଭାଷଣରେ କ୍ଲବର ମାନବସେବାମୂଳକ କାର୍ଯ୍ୟକୁ ଆହୁରି ସୁଦୃଢ଼ କରିବା ସହ ସମାଜରେ ସ୍ଥାୟୀ ପ୍ରଭାବ ସୃଷ୍ଟି କରିବାକୁ ବିଭିନ୍ନ ପ୍ରକଳ୍ପ ଗ୍ରହଣ କରାଯିବ ବୋଲି କହିଥିଲେ। ସେ କ୍ଲବର ପ୍ରମୁଖ ପ୍ରକଳ୍ପ ରୋଟାରୀ ହକି ଆକାଡେମୀ ବିଷୟରେ ଉଲ୍ଲେଖ କରି କହିଥିଲେ ଯେ, ୨୦୧୯ ମସିହାରେ ଜାତୀୟ ହକି ଖେଳାଳି ତଥା ରୋଟାରିଆନ୍ ଜତିନ୍ଦର କୁମାର ଶର୍ମାଙ୍କ ଅଧ୍ୟକ୍ଷତାରେ ଏହି ଆକାଡେମୀ ଆରମ୍ଭ ହୋଇଥିଲା। ଏଠାରେ ଆର୍ଥିକ ଦୃଷ୍ଟିରୁ ପଛୁଆ ପିଲାମାନଙ୍କୁ ହକି ପ୍ରଶିକ୍ଷଣ ଦିଆଯାଉଛି ଏବଂ ଅନେକ ଖେଳାଳି ଜିଲ୍ଲା ଓ ରାଜ୍ୟ ସ୍ତରରେ ସଫଳତା ହାସଲ କରିଛନ୍ତି। ଏହି ଆକାଡେମୀର ଏକ ଶାଖା ଶ୍ରୀଲଙ୍କାରେ ମଧ୍ୟ ଖୋଲାଯାଇଛି।
ସେ “ଷ୍ଟେପ୍ ଅପ୍” ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ପଶ୍ଚିମ ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାର ପ୍ରଚାର ଓ ପ୍ରସାର ଜାରି ରହିବ ବୋଲି ମଧ୍ୟ କହିଥିଲେ।
ବିଦାୟୀ ସଭାପତି ହେମନ୍ତ କୁମାର ପାଣିଗ୍ରାହୀ ତାଙ୍କ କାର୍ଯ୍ୟକାଳରେ ସହଯୋଗ କରିଥିବା ସମସ୍ତ ସଦସ୍ୟଙ୍କୁ କୃତଜ୍ଞତା ଜଣାଇ ନୂତନ ନେତୃତ୍ୱକୁ ଶୁଭେଚ୍ଛା ଜଣାଇଥିଲେ।
ଶେଷରେ ନୂତନ କାର୍ଯ୍ୟକାରିଣୀ ସଦସ୍ୟଙ୍କ ଶପଥ ଗ୍ରହଣ, ବିଦାୟୀ ପଦାଧିକାରୀଙ୍କୁ ସମ୍ମାନ, ନୂତନ ସଦସ୍ୟଙ୍କୁ ସଦସ୍ୟତା ପ୍ରଦାନ ଏବଂ କ୍ଲବ ଏକ୍ସିଲେନ୍ସି ପୁରସ୍କାର ବିତରଣ କରାଯାଇଥିଲା।
