March 13, 2026

ଓଡ଼ିଶା ଏସବିଆଇ ଆଉଟସୋର୍ସିଂ କର୍ମଚାରୀ ସଂଘର ସାଧାରଣ ପରିଷଦ ବୈଠକ, ଦାବି ପୂରଣ ନ ହେଲେ ଆନ୍ଦୋଳନ ହେବ

IMG-20240626-WA0017
Share


ଭୁବନେଶ୍ଵର,26/6 : ହିନ୍ଦ୍‌‍ ମଜଦୁର ସଭାର ଅନୁବନ୍ଧିତ ଏସବିଆଇ ଆଉଟସୋର୍ସିଂ କର୍ମଚାରୀ ସଂଘର ସାଧାରଣ ପରିଷଦ ବୈଠକ ମାଷ୍ଟର କ୍ୟାଣ୍ଟିନ ଛକସ୍ଥିତ ବୁଲନ ଭାଇ ସେବା ସଦନ ପରିସରରେ ରାଜ୍ୟ ହିନ୍ଦ ମଜଦୁର ସଭା (ଏଚଏମଏସ)ର ଉପଦେଷ୍ଟା ରବି ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ନିମ୍ନଲିଖିତ ପ୍ରସ୍ତାବ ସମ୍ପର୍କରେ ଆଲୋଚନା କରାଯାଇ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା।
ବ୍ୟାଙ୍କମାନଙ୍କ ମଧ୍ୟରେ ଏସବିଆଇର ସ୍ଥାନ ପ୍ରଥମରେ ଥିବା ବେଳେ ବର୍ତ୍ତମାନର ବଜାର ସ୍ଥିତିରେ ଏଠାରେ ଏସବିଆଇ ଆଉଟସୋର୍ସିଂ କର୍ମଚାରୀଙ୍କୁ ଅତି ନିମ୍ନମାନର ପ୍ରାପ୍ୟ ପ୍ରଦାନ କରାଯାଉଛି, ଅନ୍ତତଃ 30 ହଜାର ଟଙ୍କା ପ୍ରାପ୍ୟ ପ୍ରଦାନ କରାଯାଉ। ରାଜ୍ୟର ବିଭିନ୍ନ ଶାଖାରେ କାର୍ଯ୍ୟରତ ଏସବିଆଇ ଆଉଟସୋର୍ସିଂ କର୍ମଚାରୀଙ୍କୁ ସିଧାସଳଖ ବ୍ୟାଙ୍କ ଜରିଆରେ ପ୍ରାପ୍ୟ ପ୍ରଦାନ କରାଯାଉ । ନିଯୁକ୍ତି ଦେଉଥିବା ଠିକା ସଂସ୍ଥାର ମାଲିକମାନଙ୍କ କବଳରୁ ଏସବିଆଇ ଆଉଟସୋର୍ସିଂ କର୍ମଚାରୀମାନଙ୍କୁ ମୁକ୍ତ କରାଯାଉ । ସମାନ କାମକୁ ସମାନ ଦରମା ଲାଗୁ କରାଯାଉ । କର୍ମଚାରୀମାନଙ୍କ ସମୟ ନିର୍ଘଣ୍ଟ 8 ଘଣ୍ଟା ହୋଇଥିବା ଆଉଟସୋର୍ସିଂ କର୍ମଚାରୀମାନେ ପ୍ରାୟ 12 ଘଣ୍ଟା ଶ୍ରମଦାନ କରୁଥିବାରୁ ସେମାନଙ୍କୁ ଆଉ 4 ଘଣ୍ଟାର ପାରିଶ୍ରମିକ ପ୍ରଦାନ କରାଯାଉ । ରାଜ୍ୟରେ ଥିବା ବିଭିନ୍ନ ଏସବିଆଇ ଶାଖାମାନଙ୍କରେ କାର୍ଯ୍ୟରତ କର୍ମଚାରୀମାନଙ୍କ ଦରମା ଗୋଟିଏ ପ୍ରକାର ନିର୍ଦ୍ଧାରଣ କରାଯାଉ । ଓଡ଼ିଶାର 4ଟି ମୁ୍ୟନିସିପାଲ କର୍ପୋରେସନରେ କାର୍ଯ୍ୟରତ ଏସବିଆଇ ଆଉଟସୋର୍ସିଂ କର୍ମଚାରୀମାନଙ୍କ ଏକ ପ୍ରକାର ପ୍ରାପ୍ୟ ପ୍ରଦାନ କରାଯାଉ । ପ୍ରତି ମାସର ପ୍ରଥମ ସପ୍ତାହରେ ଦରମା ପ୍ରଦାନ ସହ ଶୃଙ୍ଖଳିତ ଓ ସଠିକ୍‌‍ ତାରିଖରେ ଇପିଏଫ୍‌‍ ଏବଂ ଇଏସଆଇ ପ୍ରାପ୍ୟରୁ କଟାଯାଉ ଏବଂ ବୋନସ ଲାଗୁ କରାଯାଉ । ଠିକା ସଂସ୍ଥା ଜରିଆରେ ଆଉଟସୋର୍ସିଂ କର୍ମଚାରୀମାନଙ୍କୁ ଝାଡ଼ୁଦାର (ସଫେଇ କର୍ମଚାରୀ) ଭାବେ ନିଯୁକ୍ତି ଦିଆଯାଉଥିବା ବେଳେ ବ୍ୟାଙ୍କର ମେସେଞ୍ଜର ସହିତ ଅନ୍ୟାନ୍ୟ କାର୍ଯ୍ୟରେ ନିୟୋଜିତ କରାଯାଉଛି । ତେଣୁ ଏହା ପାଇଁ ଅଧିକା କିଛି ପ୍ରାପ୍ୟ ପ୍ରଦାନ କରାଯାଉ ଇତ୍ୟାଦି ଦାବି ସମ୍ପର୍କରେ ବିଚାର ବିମର୍ଶ କରାଯାଇଥିଲା।
ଏହି ଅବସରରେ ସଂଘର ଉପଦେଷ୍ଟା ରବି ରଥଙ୍କ ତତ୍ତ୍ୱାବଧାନରେ ସଂଘର କର୍ମକର୍ତ୍ତା ନିର୍ବାଚନ କରାଯାଇଥିଲା। ସଭାପତି ଭାବେ ଗୁନାର ମହାନନ୍ଦ, କାର୍ଯ୍ୟକାରୀ ସଭାପତି ସନ୍ତୋଷ କୁମାର ସାହୁ ଓ ନାରାୟଣ ମହାରଣା, ସାଧାରଣ ସମ୍ପାଦକ ଉପେନ୍ଦ୍ର ଭୋଇ, ସମ୍ପାଦକ ମହେଶ୍ଵର ମହାରଣା ଓ ସୁରଜ କୁମାର ଦାଶ, କୋଷାଧ୍ୟକ୍ଷ ପ୍ରସନ୍ନ କୁମାର ମହାନ୍ତି ନିର୍ବାଚିତ ହୋଇଥିଲେ । ସଂଘର କାର୍ଯ୍ୟାଳୟ ବ୍ରହ୍ମପୁରସ୍ଥିତ ନବୀନ ଭବନ ପରିସରରେ ପରିଚାଳିତ ହେବ। ପରେ ଏହାର ସଂଗଠନକୁ ପଞ୍ଜିକୃତ କରାଯିବ। ଏହି ବୈଠକରେ ରାଜ୍ୟର ବିଭିନ୍ନ ଶାଖାରେ କାର୍ଯ୍ୟରତ ଶତାଧିକ କର୍ମଚାରୀ ଯୋଗ ଦେଇଥିଲେ। ଦାବିଗୁଡ଼ିକ ତୁରନ୍ତ ସମାଧାନ ନ ହେଲେ ଆଗାମୀ ଦିନରେ କର୍ମଚାରୀମାନେ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ଚେତବାନୀ ଦେଇଛନ୍ତି।
ତ୍ରିପାକ୍ଷିକ ଆଲୋଚନା ବେଳେ କେନ୍ଦ୍ରୀୟ ଶ୍ରମ ଅଧିକାରୀ ପ୍ରଦୁ୍ୟମ୍ନ କୁମାର ରଣାଙ୍କ ସହ ଏସବିଆଇ ମୁଖ୍ୟ କାର୍ଯ୍ୟାଳୟର ମୁଖ୍ୟ ପରିଚାଳକ ସ୍ଵାଗତ କୁମାର ପାଢ଼ୀ, ସଂଘ ଉପଦେଷ୍ଟା ରବି ରଥ, କର୍ମଚାରୀ ସଂଗଠନ ପକ୍ଷରୁ ସଭାପତି ଗୁନାର ମହାନନ୍ଦ, ସାଧାରଣ ସମ୍ପାଦକ ଉପେନ୍ଦ୍ର ଭୋଇ, କାର୍ଯ୍ୟକାରୀ ସଭାପତି ସନ୍ତୋଷ କୁମାର ସାହୁ ଓ ନାରାୟଣ ମହାରଣା, ସମ୍ପାଦକ ମହେଶ୍ଵର ମହାରଣା ଓ ସୁରଜ କୁମାର ଦାଶ, ପ୍ରସନ୍ନ କୁମାର ମହାନ୍ତି ପ୍ରମୁଖ ଦାବି ଗୁଡ଼ିକ ସମ୍ପର୍କରେ ଆଲୋଚନା କରିଥିଲେ। ଶ୍ରମ କମିଶନର ଶ୍ରୀ ରଣା ଆଉଟସୋର୍ସିଂ କର୍ମଚାରୀମାନଙ୍କ ନିମନ୍ତେ ଉପସ୍ଥାନ ରେଜିଷ୍ଟ୍ରର, ସମୟ ନିର୍ଘଣ୍ଟ, ପ୍ରତି ମାସର ପ୍ରଥମ ସପ୍ତାହରେ ଦରମା ପ୍ରଦାନ, ବୋନସ, ଇଏସଆଇ, ଇପିଏଫ ନିର୍ଦ୍ଧିଷ୍ଟ ସମୟରେ କାଟିବା ପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ।