ରାଇଘର ବ୍ଲକ ରେ ଜିଲ୍ଲାପାଳଙ୍କୁ ବାସି ସିଙ୍ଗଡ଼ା ଦେଇ ଅକଳରେ ହୋଟେଲ ମାଲିକ, ଖାଦ୍ୟ ନମୁନା ସଂଗ୍ରହ, ଫୁଡ୍ ଲାଇସେନ୍ସ ନଥିବାରୁ ବନ୍ଦ ନିର୍ଦ୍ଦେଶ…………
ନବରଙ୍ଗପୁର:-(ଏମ୍.ଦୀନା°ଶୁ ଆଚାରୀ) ସାଧାରଣ ଲୋକଙ୍କୁ ଦେଇ ଦେଉଥିଲେ ଚଳିଯାଉଥିଲା । ପ୍ରତିବାଦ କଲେ ବି ଶୁଣୁନଥିଲେ ହୋଟେଲ ମାଲିକ । ହସିକି ଉଡ଼ାଇ ଦେଉଥିଲେ । ଏଥର କିନ୍ତୁ କଥା ଥିଲା ଅଲଗା । ଖୋଦ୍ ଜିଲ୍ଲାପାଳଙ୍କୁ ଦେଇଦେଲେ ବାସି ସିଙ୍ଗଡା ଓ ବରା । ଯାହାକୁ ଖାଇବା ତ ଦୂରର କଥା, ପାଟିରେ ଦେବାମାତ୍ରେ ବିରକ୍ତ ହୋଇଥିଲେ ଜିଲ୍ଲାପାଳ ଡ.ମହେଶ୍ୱର ସ୍ୱାଇଁ । ତାଙ୍କ ନିର୍ଦ୍ଦେଶରେ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଥିଲା ହୋଟେଲ ଉପରେ ଚଢଉ । ସୋମବାର ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ରାଇଘର ଅଞ୍ଚଳରେ । ସୋମବାର ରାଇଘର ବ୍ଲକରେ ଥିଲା ଜନଶୁଣାଣି ଶିବିର । ଏଥିରେ ଯୋଗ ଦେଇଥିଲେ ଜିଲ୍ଲାପାଳ ଶ୍ରୀ ସ୍ୱାଇଁ । ବ୍ଲକ ପ୍ରଶାସନ ପକ୍ଷରୁ ପାଖ ହୋଟେଲ ଗୁଡ଼ିକରୁ ଜଳଖିଆ ବ୍ୟବସ୍ଥା କରାଯାଇଥିଲା । ଜିଲ୍ଲାପାଳଙ୍କୁ ବି ସିଙ୍ଗଡା ଓ ବରା ପରସା ଯାଇଥିଲା । ଜଳଖିଆ ଚାଖିବା ପରେ ତାହା ବାସି ଥିବା ଜଣାପଡିଥିଲା । ହୋଟେଲଗୁଡିକରେ ପ୍ରସ୍ତୁତ ହେଉଥିବା ଖାଦ୍ୟକୁ ନେଇ ସନ୍ଦେହ କରିଥିଲେ ଜିଲ୍ଲାପାଳ । ପ୍ରସ୍ତୁତ ହେଉଥିବା ଜଳଖିଆର ମାନ ଯାଞ୍ଚ ଲାଗି ସଂଗେ ସଂଗେ ନିର୍ଦ୍ଦେଶ ଦେଇଥିଲେ ଖାଦ୍ୟ ସୁରକ୍ଷା ଅଧିକାରୀ ଅରୁଣ କୁମାର ମହାରଣାଙ୍କୁ । ସେସବୁ ଖାଦ୍ୟ ସ୍ୱାସ୍ଥ୍ୟ ଉପଯୋଗୀ କି ନୁହେଁ-ପରୀକ୍ଷା କରିବାକୁ କହିଥିଲେ । ମାତ୍ର କେଇ ମିନିଟ ଭିତରେ ଆରମ୍ଭ ହୋଇଯାଇଥିଲା ବିଭିନ୍ନ ଜଳଖିଆ ହୋଟେଲରେ ଯାଞ୍ଚ ।ଶ୍ରୀ ମହାରଣାଙ୍କ ସହ ଏଥିରେ ସାମିଲ ହୋଇଥିଲେ ରାଇଘର ତହସିଲଦାର ମନମୋହନ ସାହୁ । ଯାଞ୍ଚ ବେଳେ ନିଆଯାଇଥିଲା କାର୍ଯ୍ୟାନୁଷ୍ଠାନ । ୩ଟି ହୋଟେଲର ଜଳଖିଆ ନମୁନା ସଂଗ୍ରହ କରାଯାଇଥିଲା । ଏହାକୁ ପରୀକ୍ଷା ଲାଗି ଲାବ୍କୁ ପଠାଯାଇଥିଲା । ଅନ୍ୟ ଦୁଇଟି ହୋଟେଲର ପରିବେଶ ଅସ୍ୱାସ୍ଥ୍ୟକର ଥିବା କାରଣରୁ ୫ ହଜାର ଟଙ୍କା ଲେଖାଏଁ ଚାଲାଣ କଟାଯାଇଥିଲା । ମନୀଷ ହୋଟେଲର ଫୁଡ ଲାଇସେନ୍ସ ନଥିଲା । ଅତ୍ୟନ୍ତ ଅପରିଷ୍କାର ଥିଲା ପରିବେଶ । ଏହା ଦେଖି ଉଭୟ ଅଧିକାରୀ ବିରକ୍ତ ହୋଇଥିଲେ । ଫୁଡ୍ ଲାଇସେନ୍ସ ନ କରିବା ପର୍ଯ୍ୟନ୍ତ ହୋଟେଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ।କେବଳ ରାଇଘର ନୁହେଁ, ଜିଲ୍ଲାର ଅଧିକାଂଶ ସ୍ଥାନରେ ଏଭଳି ବାସି ଓ ନିମ୍ନମାନର ଖାଦ୍ୟ ଦିଆଯାଉଛି । ସାଧାରଣ ଲୋକ ଅଭିଯୋଗ କଲେ ନା ହୋଟେଲ ମାଲିକ ଖାତିର କରୁଛନ୍ତି ନା ବିଭାଗ ପକ୍ଷରୁ ଚଢଉ କରାଯାଉଛି । ଯଦ୍ୱାରା ଅପମିଶ୍ରିତ ଓ ବାସି ଖାଦ୍ୟ ବିକ୍ରି ବଢିଚାଲିଛି । ଏହାକୁ ଖାଇ ଅନେକ ସମୟରେ ଲୋକେ ପେଟ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଆଜି ଜିଲ୍ଲାପାଳଙ୍କ ହାବୁଡ଼ରେ ଏଭଳି ଖାଦ୍ୟ ପଡ଼ିବା ପରେ ନିଆଯାଇଛି ତ୍ୱରିତ କାର୍ଯ୍ୟାନୁଷ୍ଠାନ । ଜିଲ୍ଲାପାଳଙ୍କ ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।
