ପୃଥକ ସ୍ଥାନରୁ ଦୁଇଟି ମୃତଦେହ ଉଦ୍ଧାର, ପୋଲିସ ତଦନ୍ତ ଜାରି

କେନ୍ଦୁଝର : ( ରତି ରଞ୍ଜନ ମହାନ୍ତ ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ବରଗୋଡା ଠାରୁ ଭଡ଼ାଘର ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ସୂଚନା ମୁତାବକ, ମୃତ ମହିଳା ଜଣକ ସୁକାନ୍ତ କୁମାର ରାଉତଙ୍କ ପତ୍ନୀ ରଶ୍ମିତା ରାଉତ(୩୫) ବୋଲି ଜଣାପଡିଛି । ସ୍ଵାମୀ ସୁକାନ୍ତ ଯୋଡ଼ା ଓଏମସି କମ୍ପାନୀରେ ଦୀର୍ଘଦିନ ହେବ ଚାକିରି କରୁଥିଲେ ।
ସ୍ତ୍ରୀ ରଶ୍ମିତା ନିଜ ପୁଅ ଓ ଝିଅଙ୍କୁ ପାଠ ପଢ଼ାଇବା ପାଇଁ ବରଗୋଡା ନିରଞ୍ଜନ ସାହୁଙ୍କ ଘରେ ଭଡ଼ାରେ ରହୁଥିଲେ । ରବିବାର ବିଳମ୍ବିତ ରାତିରେ ପୁଅ ଝିଅ ଶୋଇଥିବା ବେଳେ ବେକରେ ରାଶି ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ପୋଲିସ୍ ମହିଳାଙ୍କ ଶବଟିକୁ ଉଦ୍ଧାର ସହ ଜବତ୍ କରି ବ୍ୟବଚ୍ଛେଦ ନିମନ୍ତେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିବା ସହ ଘଟଣାର ସତ୍ୟତା ଜାଣିବା ପାଇଁ ତଦନ୍ତ ଜାରି ରଖିଛି । ଏଥିସହ ହରିଚନ୍ଦନପୁର ଥାନା ପଛପଟ ହାଟ ପଡ଼ିଆ ଛଦୀପ୍ ବ୍ରହ୍ମଙ୍କ ଦୋକାନ ବାରଣ୍ଡାରେ ଜଣେ ଅଜଣା ଯୁବକଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର କରିଛି । ନିକଟରୁ ଗୋଟିଏ ବ୍ୟଗ୍, ଗାମୁଛା, ଏବଂ ଯୋତା ଜବତ ହୋଇଛି । ନ୍ୟୁଜ୍ ଲେଖିବା ପର୍ଯ୍ୟନ୍ତ ମୃତ ଯୁବକ ଜଣଙ୍କର ପରିଚୟ ମିଳିନଥିବା ବେଳେ ମୃତ୍ୟୁର କାରଣ ଓ ପରିଚୟ ଖୋଜୁଛି ପୋଲିସ୍ । ଯୁବକଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ବେଳେ ଘଟଣାର ତଦନ୍ତ ଜାରି ରଖିଛି ।