ଦୟାପଲ୍ଲୀରେ ଶୀତଳଷଷ୍ଠୀ ଯାତ୍ରା ସରିଲା
ହିଞ୍ଜିଳିକାଟୁ : ଜ୍ୟେଷ୍ଠ ଶୁକ୍ଳ ପଞ୍ଚମୀ ହିନ୍ଦୁ ମାନ୍ୟତା ଅନୁଯାୟୀ ଦେବ ଦେବ ମହାଦେବ ଏବଂ ଶକ୍ତି ସ୍ଵରୂପିଣୀ ମା’ ଜଗତ ଜନନୀ ପାର୍ବତୀଙ୍କର ପବିତ୍ର ବିବାହ ତିଥି ଅନୁଯାୟୀ ପାଳନ କରାଯାଇଥାଏ । ଗ୍ରୀଷ୍ମର ପ୍ରଚଣ୍ଡ ରୌଦ୍ରତାପରୁ ଏହି ତିଥିରୁ ପ୍ରକୃତି ଶୀତଳତାକୁ ପରିବର୍ତ୍ତିତ ହୋଇଥାଏ । ତେଣୁ ଏହି ତିଥିରେ ହିଁ ଶିବ ପାର୍ବତୀ ବିବାହ ଉତ୍ସବ ଆୟୋଜନ ହେବା ସହ ଷଷ୍ଠୀରେ ଯୁଗଳ ଦର୍ଶନ ଦେଇଥାନ୍ତି ଦେବ ଦମ୍ପତି, ଯାହାକୁ ଶୀତଳଷଷ୍ଠୀ ଭାବରେ ମହାସମାରୋହରେ ପାଳନ କରିଥାନ୍ତି ଲୋକେ । ସେହି ପରିପ୍ରେକ୍ଷୀରେ ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ଦୟାପଲ୍ଲୀ ଗ୍ରାମବାସୀଙ୍କ ତରଫରୁ ସାର୍ବଜନୀନ ଶୀତଳଷଷ୍ଠୀ ସ୍ଥିତ ଶ୍ରୀ ଶ୍ରୀ ବାଲୁଙ୍କେଶ୍ବର ମହାଦେବ ବାବାଙ୍କର ବିବାହ ଏବଂ ଶୀତଳଷଷ୍ଠୀ ଉତ୍ସବ ଆୟୋଜିତ ହୋଇଯାଇଛି । ରୀତିନୀତି ଅନୁଯାୟୀ କମିଟି ପକ୍ଷରୁ ପ୍ରଥମେ ଶପ୍ତ ରୁଷି ଏବଂ ନବଗ୍ରହ ଦେବତାଙ୍କ ଆବହନରେ ପତ୍ର ପେଣ୍ଡି ଉତ୍ସବ ସମାପନ ସହ ମା’ଙ୍କର ଅଳଙ୍କାର ଧାରଣ ଉତ୍ସବ ପାଳନ କରାଯାଇଥିଲା । ସେହିପରି ପରମ୍ପରା ଓ ବୈଦିକ ରୀତିରେ ଉଭୟ ଶିବଶକ୍ତିଙ୍କର ହରିଦ୍ର ଲେପନ ଏବଂ ତାପରେ ଭବ୍ୟ ଶୋଭାଯାତ୍ରାରେ ସଙ୍କୀର୍ତ୍ତନ, ଘଣ୍ଟ, ଶଙ୍ଖ ସହ ବୈଦିକ ମନ୍ତ୍ରରେ ସାରା ନଗର ପ୍ରକମ୍ପିତ ହୋଇ ଉଠିଥିଲା । ଭବ୍ୟ ପଟୁଆରରେ ଦେବ ଦେବ ଶ୍ରୀ ବାଲୁଙ୍କେଶ୍ବର ମହାଦେବ ବାବାଙ୍କର ବରଯାତ୍ରା ଭକ୍ତଙ୍କ ଭିଡରେ ମାତା ଜଗତ ଜନନୀ ପାର୍ବତୀଙ୍କ ପିତାମାତା ଘରେ ପହଞ୍ଚିବା ସହ ମହାସମାରୋହରେ ଦେବ ଦମ୍ପତିଙ୍କର ବିବାହ ଉତ୍ସବ ସମ୍ପନ୍ନ ହୋଇଥିଲା । ଏହି ଅବସରରେ ଏହି ପବିତ୍ର ବିବାହ ଉତ୍ସବର ସାକ୍ଷ୍ୟ ରହିବା ପାଇଁ ଶହ ଶହ ସଂଖ୍ୟାରେ ଭକ୍ତଙ୍କର ଭିଡ଼ ଜମିଥିଲା । କନ୍ୟା ମାତାପିତା ଭାବରେ ରାଉଳ ପରିବାର କନ୍ୟାଦାନ କରିଥିବା ବେଳେ ବର ପିତାମାତା ଭାବରେ ବ୍ରାହ୍ମଣ ମାନ ଦାୟିତ୍ଵ ତୁଲାଇଥିଲେ । ପଣ୍ଡିତ ଙ୍କ ପୌରାହିତ୍ୟରେ ବିବାହ କାର୍ଯ୍ୟ ସଂପାଦନ ହୋଇଥିବା ବେଳେ ପୂଜକ ପୂଜା କାର୍ଯ୍ୟ ସମ୍ପାଦନାରେ ସହଯୋଗ କରିଥିଲେ । ତେବେ ଆଜି ଉଭୟ ଶିବଶକ୍ତିଙ୍କ ଯୁଗଳ ମୂର୍ତ୍ତି ଷଷ୍ଠୀ ଉତ୍ସବର ଭବ୍ୟ ଶୋଭାଯାତ୍ରାରେ କନ୍ୟା ମାତାପିତାଙ୍କ ଘରୁ ବାହାରି ନଗର ପରିକ୍ରମା କରିବା ସହ ପୁନଃ ମନ୍ଦିରରେ ପ୍ରବେଶ ନୀତି ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ସୁରୁଖୁରୁରେ ଦୟାପଲ୍ଲୀ ଗ୍ରାମବାସୀଙ୍କ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି। ହିଞ୍ଜିଳି ରୁ ପି.କୃଷ୍ଣମୂର୍ତ୍ତିଙ୍କ ରିପୋର୍ଟ