ଲାଞ୍ଜିଗଡ଼ରେ ଶୀତ ର ପ୍ରଭାବ ବଢ଼ିବାରେ ଲାଗିଛି

ଲାଞ୍ଜିଗଡ଼(ପୁରନ୍ଦର ଦଣ୍ଡସେନା)
ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳ ସହିତ ଗ୍ରାମାଞ୍ଚଳ ଲାଞ୍ଜିଗଡ଼ ରେ ପ୍ରବଳ ଶୀତ ପ୍ରକୋପ ଦେଖା ଦେଇଛି।ଗତ କିଛି ଦିନ ହେଲା ହଠାତ୍ ତାପମାତ୍ରା ହ୍ରାସ ପାଇଥିବାରୁ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି। ଭୋର ସମୟରୁ ଘନ କୁହୁଡ଼ି,ଶୀତ ପବନ ଓ ଥଣ୍ଡା ପରିବେଶ ଯୋଗୁଁ ଲୋକ ମାନେ ଥରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି।
ସକାଳ ସମୟରେ ରାସ୍ତାଘାଟ, କ୍ଷେତ ଓ ଖୋଲା ସ୍ଥାନ ଗୁଡ଼ିକ କୁହୁଡ଼ିରେ ଢାଙ୍କି ରହୁଛି। ଗ୍ରାମାଞ୍ଚଳର କୃଷକ,ଶ୍ରମିକ ଓ ଦୈନିକ ମଜୁରିଆ ମାନେ ଶୀତରେ କାମକୁ ଯିବାକୁ ଅସୁବିଧା ଅନୁଭବ କରୁଛନ୍ତି।ଅନେକ ସ୍ଥାନରେ ଲୋକେ ନିଆଁ ଜାଳି ନିଜକୁ ଶୀତରୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ଦେଖାଯାଉଛି।
ପ୍ରବଳ ଶୀତର ସବୁଠୁ ଅଧିକ ପ୍ରଭାବ ବୃଦ୍ଧ,ଶିଶୁ ଓ ରୋଗୀ ମାନଙ୍କ ଉପରେ ପଡ଼ିଛି।ରାତି ସମୟରେ ଶୀତର ତୀବ୍ରତା ବଢ଼ିଯାଉଥିବାରୁ ଗରିବ ଓ ଅସହାୟ ପରିବାର ଗୁଡ଼ିକ ଅଧିକ କଷ୍ଟ ଭୋଗୁଛନ୍ତି।ଶୀତ ଜନିତ ରୋଗ,ସର୍ଦ୍ଦି,ଖାସ ଓ ଜ୍ୱର ଭଳି ସମସ୍ୟା ନେଇ ହସ୍ପିଟାଲ ଓ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକୁ ଆସୁଥିବା ରୋଗୀ ସଂଖ୍ୟା ମଧ୍ୟ ବଢ଼ୁଥିବା ସୂଚନା ମିଳିଛି।
ଶୀତ ପ୍ରଭାବରେ ଗ୍ରାମ ହାଟ, ସାପ୍ତାହିକ ବଜାର ଓ ସକାଳ ସମୟର ଦୈନନ୍ଦିନ ଚଳାଚଳରେ ପ୍ରଭାବ ପଡ଼ିଛି।ସକାଳୁ ସକାଳୁ ଖୋଲୁଥିବା ଦୋକାନ ଗୁଡ଼ିକ ବିଳମ୍ବରେ ଖୋଲୁଥିବା ବେଳେ, ଲୋକ ମାନେ ମଧ୍ୟ ଆବଶ୍ୟକ ନହେଲେ ଘରୁ ବାହାରୁ ନାହାନ୍ତି।
ଏପରି ପରିସ୍ଥିତିରେ ପ୍ରଶାସନ ପକ୍ଷରୁ ଶୀତରୁ ସୁରକ୍ଷା ପାଇଁ ସତର୍କତା ମୂଳକ ବ୍ୟବସ୍ଥା ଗ୍ରହଣ କରାଯାଉଛି।ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ଲୋକଙ୍କୁ ଶୀତ ଜନିତ ରୋଗରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଲାଞ୍ଜିଗଡ଼ ସହିତ ଆଖପାଖ ଗ୍ରାମାଞ୍ଚଳରେ ଶୀତର ପ୍ରକୋପ ଜାରି ରହିବାର ସମ୍ଭାବନା ରହିଛି। ଏମିତି ପରିସ୍ଥିତିରେ ସାଧାରଣ ଲୋକଙ୍କୁ ଅଧିକ ସତର୍କ ରହିବା, ଗରମ ପୋଷାକ ପିନ୍ଧିବା ଓ ଆବଶ୍ୟକ ନହେଲେ ରାତି ଓ ସକାଳ ସମୟରେ ନ ବାହାରି ବାକୁ ପରାମର୍ଶ ଦିଆଯାଇଛି।
