September 26, 2026

ଛେନାପଦୀ ବଜାରରେ ରାସ୍ତା କଡ଼ରେ ଜମୁଛି ବର୍ଷାଜଳ ପୋତି ହୋଇପଡ଼ିଛି ଡ୍ରେନ୍‌, ଦୋକାନକୁ ଯିବାକୁ ପାଣିରେ ପଶୁଛନ୍ତି ଲୋକେ

IMG-20260925-WA0110
Share

 

 

ହାଟଡିହି ତା ୨୫/୦୯(ମନମୋହନ ନାୟକ) : କେନ୍ଦୁଝର ଜିଲ୍ଲାର ଛେନାପଦୀ ବଜାରରେ ବର୍ଷା ହେଲେ ରାସ୍ତା କଡ଼ରେ ପାଣି ଜମି ରହୁଥିବାରୁ ଲୋକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବଜାର ରାସ୍ତା କଡ଼ରେ ଡ୍ରେନ୍‌ ବ୍ୟବସ୍ଥା ରହିଥିଲେ ମଧ୍ୟ ଦୀର୍ଘଦିନ ଧରି ଡ୍ରେନ୍‌ଗୁଡ଼ିକ ପୋତି ହୋଇପଡ଼ିଥିବାରୁ ବର୍ଷାଜଳ ଠିକ୍‌ ଭାବେ ନିଷ୍କାସନ ହୋଇପାରୁନାହିଁ। ଫଳରେ ରାସ୍ତା କଡ଼ରେ ବର୍ଷାଜଳ ଜମି ରହିବା ସହ ଅନେକ ସ୍ଥାନରେ କାଦୁଅ ଓ ଆବର୍ଜନା ଜମା ହୋଇଛି। ବଜାରର ବିଭିନ୍ନ ଦୋକାନକୁ ଯିବା ପାଇଁ ଗ୍ରାହକ ଓ ସ୍ଥାନୀୟ ଲୋକଙ୍କୁ ଜମିଥିବା ପାଣି ମଧ୍ୟରେ ପଶି ଯିବାକୁ ପଡ଼ୁଛି। ଏହା ଯୋଗୁଁ ଦୋକାନୀମାନଙ୍କ ବ୍ୟବସାୟ ମଧ୍ୟ ପ୍ରଭାବିତ ହେଉଥିବା ଦେଖାଯାଉଛି। ଅନ୍ୟପଟେ ରାସ୍ତାରେ ଯାନବାହନ ଚଳାଚଳ ସମୟରେ ଜମିଥିବା ପାଣି ଛିଟିକି ରାସ୍ତାକଡ଼ରେ ଥିବା ଲୋକଙ୍କ ଉପରେ ପଡ଼ୁଛି। ଦୀର୍ଘ ସମୟ ଧରି ପାଣି ଜମି ରହିବାରୁ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେବା ସହ ମଶା ଓ ଅନ୍ୟାନ୍ୟ ପୋକଜନ୍ତୁଙ୍କ ଉପଦ୍ରବ ବଢ଼ିବାର ଆଶଙ୍କା ରହିଛି।

ସ୍ଥାନୀୟ ଲୋକଙ୍କ ପକ୍ଷରୁ ପୋତି ହୋଇଥିବା ଡ୍ରେନ୍‌ଗୁଡ଼ିକୁ ତୁରନ୍ତ ସଫା କରିବା, ଆବର୍ଜନା ହଟାଇବା ଏବଂ ବର୍ଷାଜଳର ସୁଚାରୁ ନିଷ୍କାସନ ପାଇଁ ସ୍ଥାୟୀ ବ୍ୟବସ୍ଥା କରିବାକୁ ସମ୍ପୃକ୍ତ ବିଭାଗ ନିକଟରେ ଦାବି ହୋଇଛି। ଏହି ସମସ୍ୟାର ଶୀଘ୍ର ସମାଧାନ ହେଲେ ଛେନାପଦୀ ବଜାରର ବ୍ୟବସାୟୀ ଓ ସାଧାରଣ ଲୋକଙ୍କୁ ବର୍ଷାଦିନରେ ବହୁ ଅସୁବିଧାରୁ ମୁକ୍ତି ମିଳିପାରିବ।