ଶ୍ରୀକର ଭଞ୍ଜ ଓପନ ୟୁନିଟ୍ ପକ୍ଷରୁ ସୈନିକ ଭାଇଙ୍କ ପାଇଁ ରାକ୍ଷୀଟିଏ କାର୍ଯ୍ୟକ୍ରମ

ବୁଗୁଡା : ତା ୨୫/୦୭/୨୫ : ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସ ଆନୁକୁଲ୍ୟରେ ଶ୍ରୀକର ଭଞ୍ଜ ଓପନ ୟୁନିଟ୍ ପକ୍ଷରୁ ସୈନିକ ଭାଇଙ୍କ ପାଇଁ ରାକ୍ଷୀଟିଏ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସ ଛାତ୍ରୀମାନଙ୍କ ପକ୍ଷରୁ ସୈନିକ ଭାଇମାନଙ୍କ ପାଇଁ ରାକ୍ଷୀ ପଠାଇବା ବ୍ୟବସ୍ଥା ହୋଇଛି। ଛାତ୍ରୀମାନେ ନିଜ ହାତରେ ଜଗନ୍ନାଥ ,ବଳଭଦ୍ର ଓ ସୁଭଦ୍ରାଙ୍କ ରାକ୍ଷୀ ବନାଇବା ସହିତ ଧାନ, ଚାଉଳ,ଧନିଆ ଭଳି ବିଭିନ୍ନ ସାମଗ୍ରୀରେ ରାକ୍ଷୀ ବନାଇ ଆଜି ସକାଳ ସମୟରେ ବୁଗୁଡା ଶ୍ରୀ ବଳଦେବଜୀଉ ମନ୍ଦିରକୁ ଯାଇ ସୈନିକ ଭାଇମାନଙ୍କ ଦୀର୍ଘାୟୁ କାମନା କରି ରାକ୍ଷୀଗୁଡିକୁ ପୂଜାର୍ଚ୍ଚନା କରିଥିଲେ।ଏହାପରେ ଡାକରେ ରାକ୍ଷୀଗୁଡିକ ସୈନିକ କାର୍ଯ୍ୟାଳୟକୁ ପଠାଯିବ । ସେଠାରେ ରାକ୍ଷୀପୂର୍ଣ୍ଣିମା ଦିନ ସୈନିକ ଭାଇମାନେ ସେହି ରାକ୍ଷୀ ପିନ୍ଧିବେ। ଶ୍ରୀକର ଭଞ୍ଜ ଓପନ୍ ୟୁନିଟର ଲିନା କୁମାରୀ ଗୌଡ଼,ପୁଷ୍ପା ପାତ୍ର,ରଚନା ମୁଳି, ରଶ୍ମିତା ଗୌଡ଼,ଝରନା ବେହେରା, ସ୍ମୃତିମୟୀ ସାହୁ,ଲିଜାରାଣୀ ଗୌଡ଼,ବର୍ଷାରାଣୀ ମହାରଣା ପ୍ରମୁଖ ଭଉଣୀମାନେ ରାକ୍ଷୀ ପ୍ରସ୍ତୁତି, ପୂଜନ ଓ ପ୍ରେରଣ ଦାୟିତ୍ବ ନିର୍ବାହ କରିଥିଲା ବେଳେ ସେମାନଙ୍କ ଏତାଦୃଶ କାର୍ଯ୍ୟ ବିଭିନ୍ନ ମହଲରେ ପ୍ରଶଂସିତ ହୋଇଛି।
