ବୁଗୁଡ଼ା ପୋଲିସର ସଫଳତା , ବଡ ଧରଣର ଡକାୟତି
ବୁଗୁଡ଼ା ପୋଲିସର ସଫଳତା , ବଡ ଧରଣର ଡକାୟତି ଯୋଜନାକୁ କଲା ପଣ୍ଡ , ୫ ଅପରାଧୀ ଗିରଫ , ବାଇକ୍-ବୋମା-ପିସ୍ତଲ-ଗୁଳି-ଭୁଜାଲି-ଟଙ୍କା-ସୁନା-ମୋବାଇଲ୍ ଜବତ
ବୁଗୁଡ଼ା : ତା ୨୫/୦୬/୨୩ : ଏକାଧିକ ଅପରାଧିକ ମାମଲାରେ ଜଡିତ ଥିବା ୫ ଜଣ କୁଖ୍ୟାତ ଅପରାଧୀଙ୍କ ଏକ ବଡ ଧରଣର ଡକାୟତି ଯୋଜନାକୁ ପଣ୍ଡ କରି ସେମାନଙ୍କୁ ଗିରଫ କରିଥିବା ଭଳି ପ୍ରଶଂସନୀୟ ସଫଳତା ବୁଗୁଡ଼ା ପୋଲିସ ହାସଲ କରିଛି । ପୋଲିସ ସେମାନଙ୍କଠାରୁ ୩ଟି ଦେଶୀ ପିସ୍ତଲ , ୧୦ଟି ଜୀବନ୍ତ ଗୁଳି , ୩ଟି ଅଫୁଟା ବୋମା , ୧ଟି ଷ୍ଟିଲ୍ ଭୁଜାଲି , ୧୩୦ ଗ୍ରାମ ସୁନା , ୧ ଲକ୍ଷ ୨୨ ହଜାର ନଗଦ ଟଙ୍କା , ୬ଟି ମୋବାଇଲ୍ , ୨ଟି ମୋଟରସାଇକେଲ , ୧ ପୁଡା ମରିଚ ଗୁଣ୍ଡ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରିବା ସହ କେସ୍ ନଂ ୪୪୭/୨୩ ରେ ଏକ ମାମଲା ରୁଜୁ କରିଛି ।
ଏନେଇ ଆଜି ଅପରାହ୍ନରେ ବୁଗୁଡ଼ା ଥାନା ପକ୍ଷରୁ ଆହୂତ ଏକ ସାମ୍ବାଦିକ ସମ୍ମିଳନୀରେ ଗଞ୍ଜାମ ଜିଲ୍ଲା ଆଡିସନାଲ୍ ଏସପି ପ୍ରଫୁଲ୍ଲ କୁମାର ବଡଜେନା ସୂଚନା ଦେଇଥିଲେ ଯେ ଗତକାଲି ରାତିରେ ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ ପୋଚାଲୁଣ୍ଡି ଗାଁ ଛକ ନିକଟରେ କିଛି ଅପରାଧୀ ଡକାୟତି ଯୋଜନା କରୁଥିବା ନେଇ କୌଣସି ସୂତ୍ରରୁ ଖବର ମିଳିବା ପରେ ବୁଗୁଡ଼ା ଥାନା ଆଇଆଇସି ଚିତ୍ତ ରଞ୍ଜନ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ବାଲିପଦର ଫାଣ୍ଡି ଅଧିକାରୀ ସମୀର କୁମାର ବେହେରା ପୋଲିସ ଦଳବଳ ନେଇ ରାତି ୨ଟା ୧୫ରେ ସେହି ଯୋଜନାକାରୀ ୫ ଅପରାଧୀଙ୍କୁ କାବୁ କରିଥିଲେ । ସେହି ଅପରାଧୀମାନଙ୍କ ମଧ୍ଯରେ କବିସୂର୍ଯ୍ୟ ନଗର ଥାନା ଅନ୍ତର୍ଗତ ଡେଙ୍ଗାପଦର ଗ୍ରାମର କୁନା ବାରିକ (୩୨) , ବୁଗୁଡ଼ା ଥାନା ଅନ୍ତର୍ଗତ କଞ୍ଚୁରୁ ଗ୍ରାମର ନାରାୟଣ ବେହେରା (୩୨) , ମାଣିତରା ଖଳାସାହିର ସନିଆ ନାଇକ (୩୨) ଓ ବନ୍ଧସାହିର ରିତୁ ରଣା (୨୫) ଏବଂ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍ ଜିଲ୍ଲା ପଲାସା ଥାନା ଓ ଗାଁ ଅନ୍ତର୍ଗତ ନେହେରୁ ନଗର ନିବାସୀ ତିରୁମଲା ପାତ୍ର (୫୩) ଆଦି ରହିଥିଲେ । ଏହି ଅପରାଧୀଙ୍କ ମଧ୍ୟରୁ କୁନା ବାରିକଙ୍କ ନାମରେ ୧୪ରୁ ଅଧିକ ଅପରାଧିକ ମାମଲା ରହିଥିବା ବେଳେ ଅନ୍ଯମାନଙ୍କ ନାମରେ ଏକାଧିକ ମାମଲା ରହିଛି। ଏଥି ସହ ଏହି ଅପରାଧୀ ଦଳର ସଂପୃକ୍ତି ମୟୁରଭଞ୍ଜ ଜିଲ୍ଲା ଶୁଳିଆପଡ଼ା ଥାନା କେସ୍ ନଂ ୯୩/୨୩ କ୍ରମେ ସୁନା ଚୋରି ଅଭିଯୋଗରେ ରହିଛି । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଭଞ୍ଜନଗର ଏସଡ଼ିପିଓ ବିଶ୍ବାମିତ୍ର ହରପାଲ ଏବଂ ମାମଲାର ତଦନ୍ତ ଅଧିକାରୀ ଏସଆଇ ସମୀର କୁମାର ସେଠୀ ଉପସ୍ଥିତ ରହିଥିବା ବେଳେ ଏହି ମାମଲାର ଅଧିକ ତଦନ୍ତ ଆଗକୁ ଜାରି ରହିବ ବୋଲି ପ୍ରକାଶ ପାଇଥିଲା ।