June 29, 2024

କାଜୁ ତୋଟାରେ ଗୁଳି ମାଡ଼ , ୨ ଯୁବକ ଆହତ

Share

   ବୁଗୁଡ଼ା : ତା ୨୫/୦୫/୨୪ : ବୁଗୁଡ଼ା ଥାନା କରସିଙ୍ଗି ପଞ୍ଚାୟତ ଅନ୍ତର୍ଗତ ପୋକଶୁଙ୍ଗା ଗାଁ ନିକଟସ୍ଥ ଏକ କାଜୁ ତୋଟାରେ ଆଜି ମାଧ୍ୟାନ୍ନ ସମୟରେ ଗୁଳି ମାଡ଼ରେ ଦୁଇ ଜଣ ଯୁବକ ଆହତ ହୋଇଥିବା ଜଣାଯାଇଛି l ଆହତ ଯୁବକମାନେ ହେଲେ ପୋକଶୁଙ୍ଗା ଗ୍ରାମର ରଘୁନାଥ ଜାନି(୨୧ ) ଓ ଅବକାଶ ଜାନି(୨୫ ) । ରଘୁନାଥଙ୍କ ଡାହାଣ ଗୋଡ଼ର ଜଙ୍ଘରେ ୩ଟି ଗୁଳି ଓ ବାମ ଆଣ୍ଠୁ ତଳକୁ ଗୋଟିଏ ଗୁଳି ବାଜିଥିବା ବେଳେ ଅବକାଶ ଜାନିଙ୍କ ବାମ ଗୋଡ଼ର ଆଣ୍ଠୁ ତଳକୁ ଗୋଟିଏ ଗୁଳି ବାଜିଛି l ପୋକଶୁଙ୍ଗା ଗ୍ରାମ ନିକଟରେ ଥିବା କାଜୁ ବଗିଚାକୁ କାଜୁ ତୋଳିବାକୁ ଉଭୟେ ଯାଇଥିବା ବେଳେ ଗୁଳି ମାଡ଼ରେ ଉଭୟେ ଆହତ ହୋଇଥିବା ନେଇ ସେ ଦୁହେଁ ପ୍ରକାଶ କରିଛନ୍ତି । କିଏ ଓ କାହିଁକି ଗୁଳି ମାରିଲା ସେ ନେଇ ଆହତ ଦ୍ୱୟ କିଛି ଜାଣି ପାରି ନଥିବା କହୁଥିବା ବେଳେ ଛେରା ବନ୍ଧୁକରୁ ଗୁଳି ଫୁଟିଥିବାରୁ କୌଣସି ବାରହା ଶିକାରୀର ଗୁଳି ଲକ୍ଷ୍ୟ ଭ୍ରଷ୍ଟ ହୋଇ ଦୁହିଁଙ୍କ ଦେହରେ ବାଜି ଥାଇ ପାରେ ବୋଲି ଅନୁମାନ କରାଯାଉଛି l ଘଟଣା ପରେ ଉଭୟ ଆହତଙ୍କୁ ବୁଗୁଡ଼ା ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି l ଘଟଣା ସ୍ଥଳରେ ବୁଗୁଡ଼ା ପୋଲିସ ପହଞ୍ଚି ଅନୁସନ୍ଧାନ ଜାରି ରଖିଛି l ଅବକାଶ ଓ ରଘୁନାଥ ସମ୍ପର୍କରେ ଦୁଇ ଭାଇ ଅଟନ୍ତି ଏବଂ ଉଭୟେ ଆନ୍ଦ୍ର ପ୍ରଦେଶରେ ଦାଦନ ଖଟୁଥିବା ବେଳେ ଭୋଟ ଦେବା ପାଇଁ କିଛି ଦିନ ତଳେ ଗ୍ରାମକୁ ଆସିଥିଲେ l