September 29, 2024

ବିନା ଅନୁମତିରେ ଜାତୀୟ ରାଜପଥ ଖୋଳି ଛାରଖାର କଲା ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ …

Share

 

କୋରାପୁଟ ଜିଲ୍ଲା ବୋରିଗୁମ୍ମା ସହର ଦେଇ ଯାଇଥିବା ୬୩ ନମ୍ବର ଜାତୀୟ ରାଜପଥକୁ ବିନା ଅନୁମତି ରେ ମନଇଛା ଖୋଳି ନଷ୍ଟ କରିଛି ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ।ଜାତୀୟ ରାଜପଥ ବିଭାଗର ବୋରିଗୁମ୍ମା ସହାୟକ ନିର୍ବାହୀ ଯନ୍ତ୍ରୀଙ୍କ ପତ୍ର ସଂଖ୍ୟା ୫୬,ତା.୩ .୫ .୨୦୨୪ ଅନୁସାରେ ରାସ୍ତାର ch.୩୯,୮୦୦ ରୁ ୪୧.୦୦୦ ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ଥାନରେ ଦେଢ଼ ମିଟର ଓସାରର କଂକ୍ରିଟ୍ ରାସ୍ତା ସମ୍ପୂର୍ଣ୍ଣ ନଷ୍ଟ କରାଯାଇଛି ।ରାସ୍ତା ଖୋଳିବା ପୂର୍ବରୁ ଜାତୀୟ ରାଜପଥ ବିଭାଗର ଅନୁମତି ନେବା ଉଚିତ ମନେ କରି ନାହାନ୍ତି R.W.S & S ବିଭାଗ ।ଜାତୀୟ ରାଜପଥ ରାସ୍ତା ଓ ପରିବହନ ମନ୍ତ୍ରଣାଳୟର ମାର୍ଗଦର୍ଶିକା ଅନୁସାରେ ଯଥା ଶୀଘ୍ର ଭଙ୍ଗା ଯାଇଥିବା କଂକ୍ରିଟ୍ ରାସ୍ତା ପୁନର୍ନିର୍ମାଣ କରିବାକୁ ବାରମ୍ଵାର ଅନୁରୋଧ କରି ଚିଠି ଲେଖିଲେ ମଧ୍ୟ କୌଣସି ସୁଫଳ ମିଳି ପାରୁ ନାହିଁ ।ଗ୍ରାମ୍ୟ ଜଳ ଯୋଗାଣ ତଥା ପରିମଳ ବିଭାଗର ସହାୟକ ନିର୍ବାହୀ ଯନ୍ତ୍ରୀ ତଥା ନିର୍ବାହୀ ଯନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ।ସଂପୃକ୍ତ ଠିକା ସଂସ୍ଥାକୁ କୌଣସି ନିର୍ଦ୍ଦେଶ ଦିଆଯାଉ ନାହିଁ ।ଖୋଳା ଯାଇଥିବା ବଡ଼ ବଡ଼ କଂକ୍ରିଟ୍ ଖଣ୍ଡ ସେମିତି ଖୋଳା ଯାଇଥିବା ସ୍ଥାନରେ ପୁନର୍ବାର ପକାଇ ଦିଆ ଯାଇଛି ।ତେବେ ବିନା ଅନୁମତିରେ ସହର ମଝିରେ ବହୁ ମୂଲ୍ୟ ଜାତୀୟ ରାଜପଥ ଖୋଳିବାକୁ ସଂପୃକ୍ତ ଠିକା କମ୍ପାନୀ ସାହସ କରିବା ପଛରେ କୌଣସି ରାଜନୀତିକ ନେତାଙ୍କର ଛତ୍ର ଛାୟା କାମ କରୁଥିବା ବିଷୟ ବୁଦ୍ଧିଜୀବି ମାନେ ଆଶଙ୍କା ପ୍ରକାଶ କରିଛନ୍ତି ।ଅନୁମତି ନ ନେଇ ଆଇନ୍ ଉଲ୍ଲଙ୍ଘନ କରିଥିବା ଠିକା ସଂସ୍ଥା ପ୍ରତି କାର୍ଯ୍ୟାନୁଷ୍ଠାନ ନ ନେଇ ଜିଲ୍ଲା ପ୍ରଶାସନ ନୀରବ ଦ୍ରଷ୍ଟା ସାଜିଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଉଛି ।ଖୋଳା ଯାଇଥିବା ଜାତୀୟ ରାଜପଥ ଉଭୟ ପାର୍ଶ୍ଵର ଦେଢ଼ ମିଟର ଓସାର ବିଶିଷ୍ଟ ରାସ୍ତାରେ ବଡ଼ ବଡ଼ କଂକ୍ରିଟ୍ ଖଣ୍ଡ ସବୁ ଥିବାରୁ ଜାତାୟାତରେ ବାଧା ସୃଷ୍ଟି ହେଉଛି ।ରାସ୍ତା କଡ଼ ଦୋକାନ ଗୁଡ଼ିକରେ ସଉଦା କିଣିବା ବେଳେ ବାଇକ୍, କାର୍ ପ୍ରଭୃତି ପାର୍କିଂ ହୋଇ ନ ପାରି ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେବା ସହ ଦୁର୍ଘଟଣା ଆଶଙ୍କା ବୃଦ୍ଧି ପାଉଛି ।ଏ ନେଇ ଜାତୀୟ ରାଜପଥ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଯୋଗା ଯୋଗ କରିବାରୁ ସେ ତାଙ୍କ ପତ୍ର ସଂଖ୍ୟା ୫୬, ତା.୩.୫.୨୪ ଓ ପତ୍ର ସଂଖ୍ୟା ୮୪,ତା.୧୭. ୫.୨୪ ଦ୍ୱାରା R. W.S. &S ବିଭାଗକୁ ଅବଗତ କରି ସାରିଥିବା ପ୍ରକାଶ କରିଛନ୍ତି ।ପ୍ରଶାସନ ଅତି ଶୀଘ୍ର ହସ୍ତକ୍ଷେପ ଓ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।
(କୋରାପୁଟ ଜିଲ୍ଲା ପ୍ରତିନିଧି ହରିଶ କୁମାର ପଟ୍ଟନାୟକଙ୍କ ରିପୋର୍ଟ, ଖବର ଉପାନ୍ତ ଓଡ଼ିଶା)