ଲକ୍ଷ୍ମୀ ପୂଜା ପୂର୍ବରୁ ଆକ୍ସନ ମୋଡ୍ରେ ଅନୁଗୋଳ ପୁଲିସ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଏସ୍ପି, ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ୍ ପରିଚାଳନା ଉପରେ ଗୁରୁତ୍ୱ
ଅନୁଗୋଳ: ଲକ୍ଷ୍ମୀ ପୂଜାକୁ ଶାନ୍ତି, ଶୃଙ୍ଖଳା ଓ ସୁରକ୍ଷାର ସହ ପାଳନ କରିବା ପାଇଁ ଅନୁଗୋଳ ପୁଲିସ ପକ୍ଷରୁ ପ୍ରସ୍ତୁତିକୁ ଗୁରୁତ୍ୱ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲାର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଅନୁଗୋଳ ଏସ୍ପି। ଏନେଇ ସମସ୍ତ ଥାନାର ଆଇଆଇସି, ଏସ୍ଡିପିଓ ଓ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ନେଇ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।
ପୂଜା ସମୟରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନଉପୁଜେ, ସେଥିପାଇଁ ଆଗୁଆ ସତର୍କ ରହିବାକୁ ଏସ୍ପି ପୁଲିସ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ବିଶେଷକରି ପୂଜା ମଣ୍ଡପ ଓ ଜନଗହଳିପୂର୍ଣ୍ଣ ସ୍ଥାନରେ ପୁଲିସ ମୁତୟନ, ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍ ପରିଚାଳନା ଏବଂ ଅପରାଧ ରୋକିବା ଉପରେ ଗୁରୁତ୍ୱ ଦିଆଯାଇଛି।
ପୂଜା ମଣ୍ଡପଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ଆଇନଶୃଙ୍ଖଳା ରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପରିସ୍ଥିତି ଉପରେ ନଜର ରଖିବା ଏବଂ କୌଣସି ସମସ୍ୟା ଦେଖାଦେଲେ ତୁରନ୍ତ ପଦକ୍ଷେପ ନେବା ଉପରେ ମଧ୍ୟ ଗୁରୁତ୍ୱ ରହିଛି।
ସାଧାରଣ ଲୋକେ ଯେପରି ନିର୍ଭୟରେ ମା’ ଲକ୍ଷ୍ମୀଙ୍କ ପୂଜାରେ ସାମିଲ ହୋଇପାରିବେ ଏବଂ ଉତ୍ସବକୁ ଆନନ୍ଦର ସହ ପାଳନ କରିପାରିବେ, ସେଥିପାଇଁ ଅନୁଗୋଳ ପୁଲିସ ପକ୍ଷରୁ ସୁରକ୍ଷା ଓ ସତର୍କତାକୁ ପ୍ରାଥମିକତା ଦିଆଯାଇଛି।
