April 24, 2025

କେନ୍ଦୁପତ୍ର କର୍ମଚାରୀ ସଂଘ ବିଭିନ୍ନ ଦାବୀ ନେଇ ଡି ଏଫ୍ ଓ କାର୍ଯ୍ୟାଳୟ ଘେରାଉ ଓ ଶୋଭାଯାତ୍ରା —-

Share

(ମୁଖ୍ୟମନ୍ତ୍ରୀ ଙ୍କ ଜନ ଶୁଣାଣି ପରେ କନ୍ୟା ବିବାହ ସହାୟତା ବନ୍ଦ ନିଷ୍ପତ୍ତି କୁ ସଂଘର ନିନ୍ଦା)

 

ସମ୍ବଲପୁର(ରାଜାରାମ ଷଡ଼ଙ୍ଗୀ)ରେଢ଼ାଖୋଲ କେନ୍ଦୁପତ୍ର ଡିଏଫଓ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ରେଢ଼ାଖୋଲ ଡିଭିଜନ କମିଟି ପକ୍ଷରୁ କେନ୍ଦୁପତ୍ର ତୋଳାଳୀ ଓ ଶ୍ରମିକ ମାନଙ୍କ କଲ୍ୟାଣ ପାଇଁ ବଜେଟ ପ୍ରାପ୍ତ ୧୦୦ କୋଟି ଟଙ୍କାରୁ ୫୦ କୋଟି ଟଙ୍କା କାଟି ଦେବା, ସରକାରୀ ଘୋଷଣା ସତ୍ତ୍ୱେ କନ୍ୟା ବିବାହ ସହାୟତା ବାତିଲ,ସର୍ବନିମ୍ନ ମଜୁରୀ ବୃଦ୍ଧି ଗତ ଜୁଲାଇ ମାସରୁ ହୋଇଥିଲେ ମଧ୍ୟ ଦୀର୍ଘ ୯ ମାସ ଅତିବାହିତ ହୋଇଯାଇ ଥିଲେ ବି ସିଜିନାଲ କର୍ମଚାରୀ ମାନଙ୍କର ମାସିକ ମଜୁରୀ ବୃଦ୍ଧିରେ ବିଳମ୍ବ, ବନ୍ଧେଇ ଶ୍ରମିକ ମାନଙ୍କର ପିସ୍ ରେଟ୍ ବୃଦ୍ଧିରେ ବିଳମ୍ବ ଏବଂ ବିଶେଷ ଭାବରେ ତ୍ରୁଟିପୂର୍ଣ୍ଣ କେ ଏଲ ଡି ବି ରେ ସଂଶୋଧନ ଏବଂ ଅନ୍ୟାନ୍ୟ ସାମାଜିକ ନିରାପତ୍ତା ମୂଳକ ଆର୍ଥିକ ସହାୟତା ପ୍ରଦାନରେ ବିଳମ୍ୱ ଏବଂ ଉଲ୍ଲେଖନୀୟ ବିଷୟ ଯେ କେନ୍ଦୁପତ୍ର ତୋଳାଳୀ ମାନଙ୍କର ନିର୍ବାଚନ ଇସ୍ତାହାରରେ କେରି ପ୍ରତି ଦର ବୃଦ୍ଧି କରିବା ଘୋଷଣା ହୋଇଥିବା ବେଳେ କେନ୍ଦୁପତ୍ର ସଂଗ୍ରହ ଆରମ୍ଭ ହୋଇଥିଲେ ମଧ୍ୟ କେରି ପ୍ରତି ଦର ବୃଦ୍ଧି ହୋଇ ନଥିବା ଯୋଗୁଁ ଗଭୀର ଅସନ୍ତୋଷ ପ୍ରକାଶ କରାଯାଇ ଶୀଘ୍ର ଦରବୃଦ୍ଧି ଘୋଷଣା କରିବାକୁ ଦାବୀ କରାଯାଇଥିଲା । ପ୍ରକାଶ ଥାଉ କି ମୁଖ୍ୟମନ୍ତ୍ରୀ ଙ୍କ ଜଣ ଶୁଣାଣିରେ ୧୦ ହଜାର ଦସ୍ତଖତ ସମ୍ମଳୀତ ଦାବୀ ପତ୍ର ସଂଘ ପକ୍ଷରୁ ଦିଆଯାଇ ଉପରୋକ୍ତ ଦାବୀ ସମୂହକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କ ପାଖରେ ରଖାଯାଇ ଥିବା ବେଳେ ସେହି ସମୟରେ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ ଉପରକୁ ଯାଇ ପି ସି ସି ଏଫ୍ କନ୍ୟା ସହାୟତା ଘୋଷଣା କୁ ବାତିଲ କରି ଚିଠି କରିବା ଘଟଣାକୁ ସଂଘ ପକ୍ଷରୁ ତୀବ୍ର ବିରୋଧ କରାଯିବା ସହ ସରକାରଙ୍କ ଘୋଷିତ ଯୋଜନାକୁ ପି ସି ସି ଏଫ୍ ବାତିଲ କରିବା ନିନ୍ଦନୀୟ।ଏହି ଧାରଣା ଓ ଘେରାଉ କାର୍ଯ୍ୟ କ୍ରମରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ରାଜ୍ୟ ସଂଗଠନ ସମ୍ପାଦକ ସଞ୍ଜିତ ମହାନ୍ତି ଉଦବୋଧନ ଦେଇ ଉପରୋକ୍ତ ବିଷୟରେ ସରକାରଙ୍କର ଅବହେଳାର ତୀବ୍ର ସମାଲୋଚନା କରି ଉପରୋକ୍ତ ଦାବୀ ଗୁଡ଼ିକ ଶୀଘ୍ର ପୂରଣ କରିବା ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ଏଥିରେ ଅବହେଳା ହେଲେ ତୋଳାଳୀ ଏବଂ ଶ୍ରମିକ ମାନଙ୍କର ଅସନ୍ତୋଷ ବୃଦ୍ଧି ସହ ଆନ୍ଦୋଳନ କୁ ତୀବ୍ର କରାଯିବ ବୋଲି ସତର୍କ କରାଇଥିଲେ ।

କଦମ ପଡିଆ ଠାରୁ ଶତାଧିକ ତୋଳାଳୀ କର୍ମଚାରୀ ମାନେ ସନ୍ଥକବି ଭୀମ ଭୋଇଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ଏକ ଶୋଭାଯାତ୍ରାରେ ଡି.ଏଫ୍.ଓ ଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇ ଘେରାଉ ସମାବେଶ କରିଥିଲେ।ଡି ଏଫ୍ ଓ ଙ୍କ ଅନୁପସ୍ଥିତି କୁ ନେଇ ଉତ୍ତେଜନା ପ୍ରକାଶ ହେବା ସହ ଏସ ଡି ପି ଓ ପ୍ରଶାନ୍ତ ମେହେରଙ୍କ ହସ୍ତକ୍ଷେପ ରେ ଅତିରିକ୍ତ ତହସିଲଦାର ପ୍ରଭାତ ରଞ୍ଜନ ବିଶ୍ୱାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୦ ଦଫା ସମ୍ବଳିତ ଦାବୀ ପତ୍ର ପ୍ରଦାନ କରାଯାଇଥିଲା।ଏହି ଦାବୀ ପତ୍ରର ପ୍ରତିଲିପି ଜଙ୍ଗଲ ମନ୍ତ୍ରୀ,ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ପି.ସି.ସି.ଏଫ୍ ଙ୍କୁ ଦିଆଯାଇଥିବା ଏହି ଦାବୀ ପତ୍ର ରେ ଶତାଧିକ ତୋଳାଳୀ ଓ ଶ୍ରମିକ ମାନେ ଦସ୍ତଖତ କରିଥିବା ଜଣାପଡିଛି।

କନ୍ୟା ବିବାହ ସହାୟତା ଦେବାରେ ଯଦି ଅବହେଳା କରାଯାଏ ତାହେଲେ ସାରା ରାଜ୍ୟରେ ସଂଘ ପକ୍ଷରୁ ଏକ ସୁତ୍ରି ଆନ୍ଦୋଳନକୁ ତୀବ୍ର କରାଯିବାର ଘୋଷଣା କରାଯାଇଛି।ଏହି ଧାରଣା ଓ ଘେରାଉ କାର୍ଯ୍ୟକ୍ରମରେ ସଂଘର ରେଢ଼ାଖୋଲ ଡିଭିଜନ ସମ୍ପାଦକ କିଶୋର ପ୍ରଧାନ,ଯୁଗ୍ମ ସମ୍ପାଦକ ଉଦିତ ତ୍ରିପାଠୀ,ଅନାଦି ସାହୁ, ଆଠମଲ୍ଲିକ ଡିଭିଜନ ଯୁଗ୍ମ ସମ୍ପାଦକ ନବ ମାହାର,ବୁର୍ଦା ସରପଞ୍ଚ ରାଜା ପାଲ, ଶଶୀ ଭୂଷଣ ପ୍ରଧାନ, ଦେବ ଜ୍ୟୋତି ପଟ୍ଟନାୟକ,ସୁମିତ ପଟେଲ,ଚୁମନ ପ୍ରଧାନ,ସତ୍ୟବାଦୀ ନାୟକ,କାର୍ତ୍ତିକ ପ୍ରଧାନ,ତୀର୍ଥବାସୀ ପ୍ରଧାନ,ଭିକାରି ପ୍ରଧାନ,ପ୍ରମୋଦ ସାହୁ,ଜିତେନ୍ଦ୍ର ଷଣ୍ଢ,ଅଖୋଜ ପ୍ରଧାନ, ନୀଳାଦ୍ରି ପ୍ରଧାନ,ଅରୁଣ ପ୍ରଧାନ, ଟିକେଶ୍ୱର ଝାଙ୍କର,ଚିତ୍ରସେନ ନାୟକ,ତୋଳାଳୀ ନାରୀ ନେତ୍ରୀ ବିରଞ୍ଚନା,ସଞ୍ଜୁ ଦେହୁରୀ,ଘୁଣ୍ଡି ଷଣ୍ଢ, ପ୍ରେମା ରାଉତ,ବାସନ୍ତୀ ଦେହୁରୀ, ପୁଷ୍ପାଞ୍ଜଳି ଷଣ୍ଢ ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ପ୍ରଦାନ କରିଥିଲେ।