୭ ମହିଳା କ୍ୟାଡରଙ୍କ ସମେତ ଆତ୍ମ ସମର୍ପଣ କଲେ ୯ ମାଓବାଦୀ..
ନବରଙ୍ଗପୁର(ଏମ.ଦିନଂଶୁ ଆଚାରୀ)ନବରଙ୍ଗପୁର ଜିଲ୍ଲା ରାଇଘର ସୀମାନ୍ତ ଛତିଶଗଡ଼ର ଅନ୍ତର୍ଗତ ଧମତରୀ ଜିଲ୍ଲା ପୁଲିସକୁ ମିଳିଛି ସଫଳତା।ନକ୍ସଲ ପ୍ରଭାବିତ ଅଞ୍ଚଳରୁ ଧମତରୀ ଜିଲ୍ଲାରେ ନକ୍ସଲବାଦୀଙ୍କ ଏକ ବଡ଼ ଗୋଷ୍ଠୀ ଆତ୍ମସମର୍ପଣ କରିଛି।
ଯେଉଁ ଥିରେ ୯ କୁଖ୍ୟାତ ନକ୍ସଲ ଆତ୍ମସମର୍ପଣ କରିଛନ୍ତି।ସେମାନଙ୍କ ମଧ୍ୟରେ ୭ ମହିଳା କ୍ୟାଡର ରହିଛନ୍ତିlସୁରକ୍ଷା ଏଜେନ୍ସି ଗୁଡ଼ିକ ନକ୍ସଲବାଦ ବିରୁଦ୍ଧରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରୁଥିବା ସୂଚନା ଦେଇଛି।
ସୂଚନା ଅନୁଯାୟୀ ସମସ୍ତ ନକ୍ସଲ ରାୟପୁର ରେଞ୍ଜର ପୁଲିସ ମହାନିରୀକ୍ଷକ ଏବଂ ବରିଷ୍ଠ ପୁଲିସ ଅଧିକାରୀଙ୍କ ସମ୍ମୁଖରେ ସେମାନଙ୍କର ଅସ୍ତ୍ରଶସ୍ତ୍ର ସହିତ ଆତ୍ମସମର୍ପଣ କରିଛନ୍ତି। ଆତ୍ମ ସମର୍ପଣକାରୀ ନକ୍ସଲଙ୍କ ସଂଖ୍ୟା ମଧ୍ୟରୁ ମହିଳା ନକ୍ସଲଙ୍କ ସଂଖ୍ୟା ଅଧିକ ରହିଛି।ଏହି ନକ୍ସଲ ମାନେ ଦୀର୍ଘ ସମୟ ଧରି ସକ୍ରିୟ ଥିଲେ ଏବଂ ଅନେକ ଘଟଣାରେ ଜଡିତ ରହିଥିଲେ।ସୁରକ୍ଷା ବାହିନୀ ଉପରେ ଆକ୍ରମଣ,ରାସ୍ତା ନିର୍ମାଣ ପ୍ରକଳ୍ପରେ ବାଧାଦେବା,ଧମକ ଏବଂ ବିସ୍ଫୋରଣ ଭଳି ଘଟଣାରେ ସେମାନଙ୍କର ଭୂମିକା ରହିଥିଲା।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଆତ୍ମସମର୍ପଣ କାରୀ ନକ୍ସଲ ମାନଙ୍କ ମଧ୍ୟରୁ ଅନେକଙ୍କ ମୁଣ୍ଡରେ ଲକ୍ଷ ଲକ୍ଷ ଟଙ୍କାର ପୁରସ୍କାର ରହିଛି।
ସୁଚିନ୍ତିତ ଆତ୍ମସମର୍ପଣ ପ୍ରକ୍ରିୟା
ପୁଲିସ ସେମାନଙ୍କୁ ଦୀର୍ଘ ସମୟ ଧରି ଖୋଜୁଥିଲା।ନକ୍ସଲ ବିରୋଧୀ ଅଭିଯାନ ଏବଂ ସରକାରଙ୍କ ପୁନର୍ବାସ ନୀତି ଯୋଗୁଁ ଏହି ଗଣ ଆତ୍ମସମର୍ପଣ ସମ୍ଭବ ବୋଲି ବିଶ୍ୱାସ କରାଯାଉଛି।ପୁଲିସ ଅଧିକାରୀ ମାନେ କହିଛନ୍ତି ଯେ ଆତ୍ମସମର୍ପଣ ପ୍ରକ୍ରିୟା ଏକ ସୁଚିନ୍ତିତ ପ୍ଲାନ କରାଯାଇଥିଲା।ନକ୍ସଲ ମାନେ ସେମାନଙ୍କର ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ ଏବଂ ଅନ୍ୟାନ୍ୟ ସାମଗ୍ରୀ ସହିତ ଆତ୍ମସମର୍ପଣ କରିଥିବା ବେଳେ ସ୍ପଷ୍ଟ ଭାବରେ ହିଂସା ପରିତ୍ୟାଗ କରି ମୁଖ୍ୟସ୍ରୋତକୁ ଫେରିବାକୁ ସେମାନଙ୍କର ଇଛା ପ୍ରକାଶ ପାଇଥିଲା।ଏହି ଘଟଣା ପରେ ଧମତାରୀ ଏବଂ ରାୟପୁର ରେଞ୍ଜରେ ସୁରକ୍ଷା କଡ଼ାକଡ଼ି କରାଯାଇଛି।ଆତ୍ମସମର୍ପଣ ପରେ ଏକ ବିସ୍ତୃତ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି।ଯେଉଁ ଥିରେ ଆତ୍ମସମର୍ପଣକାରୀ ନକ୍ସଲ ସେମାନଙ୍କ ସାଙ୍ଗଠନିକ ସ୍ଥିତି, ସେମାନଙ୍କ ଉପରେ ଘୋଷିତ ପୁରସ୍କାର ଏବଂ ସେମାନଙ୍କ ଦ୍ୱାରା କରାଯାଇଥିବା ଅପରାଧ ବିଷୟରେ ଆଲୋଚନା କରାଯାଉଛି। ଆତ୍ମସମର୍ପଣ କରିଥିବା ନକ୍ସଲବାଦୀ ମାନେ ଆଇନ ଅନୁଯାୟୀ ପୁନର୍ବାସର ସମ୍ପୂର୍ଣ୍ଣ ସୁବିଧା ପାଇବେ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।
