September 16, 2026

ସରକାରଙ୍କ ଠାରୁ କୋଟି କୋଟି ଟଙ୍କା ଠକି ନେଉଛି ବୀମା କମ୍ପାନୀ, ଚାଷୀଙ୍କୁ ମିଳୁନି ଫସଲ ବୀମା ଋଷିକୂଲ୍ୟା ରୟତ ମହାସଭାର ଅଭିଯୋଗ

IMG-20251223-WA0021
Share

 

ବ୍ରହ୍ମପୁର, 23/12 : ପ୍ରାକୃତିକ ବିପର୍ଯ୍ୟୟରେ ଫସଲ କ୍ଷତି ହେଲେ ସେହି ଚାଷୀ ମାନଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ କେନ୍ଦ୍ର ସରକାର ଫସଲ ବୀମା ଯୋଜନା ଦେଶରେ ଲାଗୁ କରିଛନ୍ତି। ହେଲେ ଗଞ୍ଜାମ ଜିଲ୍ଲା ଚାଷୀ ଏହାର ସୁଫଳ ପାଇବାରୁ ବଞ୍ଚିତ ହେଉଛନ୍ତି। ଗତ 2024 ଡିସେମ୍ବର ମାସରେ ପାଚିଲା ଧାନ କଟା ହୋଇ ଜମିରେ ପଡ଼ିଥିବା ସମାୟରେ ଅଦିନିଆ ଲଗାଣ ବର୍ଷା ଯୋଗୁଁ ଧାନ ଫସଲ ନଷ୍ଟ ହୋଇଥିଲା। ଜିଲ୍ଲା ପ୍ରଶାସନ ଆକଳନ କରି ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରିଥିଲେ। ସେହି ଦୁର୍ଦ୍ଦିନ ସମୟରେ ଚାଷୀମାନେ ନଷ୍ଟ ହୋଇଥିବା ଧାନକୁ ପାଣିରୁ ଛାଣି ଆଣିବାରେ ବ୍ୟସ୍ତ ଥିବାବେଳେ ବୀମା କଂପାନୀର କୌଣସି କର୍ମଚାରୀଙ୍କ ଦେଖା ମିଳିନଥିଲା। ଫସଲ ବୀମା ନିୟମ ଅନୁଯାୟୀ ଗୋଟିଏ ପଞ୍ଚାୟତର 4ଜଣ କ୍ଷତିଗ୍ରସ୍ତ ଚାଷୀଙ୍କ କ୍ଷୟକ୍ଷତି ଆକଳନ କରି ଫସଲ ବୀମା ପ୍ରଦାନ କରାଯାଉଥିଲା। ଏବେ ବୀମା କମ୍ପାନୀ ଅନ ଲାଇନ ବ୍ୟବସ୍ଥା କରିବା ଫଳରେ ଚାଷୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅଶିକ୍ଷିତ ଚାଷୀମାନେ ଜି.ଓ.ଟେକ୍‌‍ କରି ଅନଲାଇନ କରିବା ସମ୍ଭବ ହେଉନାହିଁ। ଯାହା ଫଳରେ କି ଜିଲ୍ଲାରେ ବୀମା ପଞ୍ଜୀକୃତ ମୋଟ 1,45,953 ଚାଷୀଙ୍କ ମଧ୍ୟରୁ ମାତ୍ର 41,595 ଙ୍କୁ ବୀମା ରାଶି ପ୍ରଦାନ କରାଯାଇଛି। ମୁଖ୍ୟତଃ ଧାନ ଓ ଅନ୍ୟାନ୍ୟ ଫସଲ ପାଇଁ ଚାଷୀମାନେ ବିଭିନ୍ନ ବ୍ୟାଙ୍କ୍‌‍ ଓ ସମବାୟ ସମିତିରୁ କୃଷି ଋଣ ଆଣିଥାନ୍ତି। ସେହି ସମୟରେ ବ୍ୟାଙ୍କ୍‌‍ ଓ ସମବାୟ ସମିତି ସେମାନଙ୍କ ବୀମା ପଞ୍ଜିକରଣ କରିଥାନ୍ତି। ଚାଷୀଙ୍କ ଠାରୁ ଗୋଟିଏ ପ୍ଲଟ ପାଇଁ ମାତ୍ର 1 ଟଙ୍କା ପ୍ରିମିୟମ ନିଆଯାଉଥିବା ବେଳେ ଅବଶିଷ୍ଟ ପ୍ରିମିୟମ ଦେୟ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବୀମା କମ୍ପାନୀକୁ ଦେଇଥାନ୍ତି। ଗତ ବର୍ଷ ରିଲାଇଆନ୍ସ ବୀମା କମ୍ପାନୀ ପ୍ରିମିୟମ ବାବଦରେ ଗଞ୍ଜାମ ଜିଲ୍ଲାରୁ 76କୋଟି 23ଲକ୍ଷ 30 ହଜାର 119 ଟଙ୍କା ନେଇଥିବାବେଳେ କ୍ଷତି ଗ୍ରସ୍ତ ଚାଷୀଙ୍କୁ ମାତ୍ର 9କୋଟି 29 ଲକ୍ଷ 16 ହଜାର 471 ଟଙ୍କା ପ୍ରଦାନ କରିଛି ବୋଲି ଋଷିକୂଲ୍ୟା ରୟତ ମହାସଭା ଉପଦେଷ୍ଠା ରବି ରଥ ଓ ସମ୍ପାଦକ ସିମଞ୍ଚଳ ନାହାକ ସୂଚନା ଦେଇଛନ୍ତି। ଅନ୍ୟ ପକ୍ଷରେ ବୀମା କମ୍ପାନୀ ପକ୍ଷରୁ ମଧ୍ୟ ଜିଲ୍ଲା କୃଷି ବିଭାଗକୁ ଅଣଦେଖା କରାଯାଉଥିବା ଜାଣିବାକୁ ମିଳିଛି। ପୂର୍ବରୁ ବୀମା କମ୍ପାନୀ ଅଧିକାରୀମାନେ କୃଷି କର୍ମଚାରୀମାନଙ୍କ ସହିତ ମିଶି ଚାଷୀ ମାନଙ୍କୁ ଲିଫ୍ଲେଟ ବାଣ୍ଟିବା ଓ ମାଇକ ଦ୍ଵାରା ପ୍ରଚାର କରି ଚାଷୀଙ୍କୁ ସଚେତନ କରୁଥିବାବେଳେ ଏବେ ସେମାନଙ୍କ ଦେଖା ମିଳୁ ନାହିଁ କିମ୍ୱା ଯୋଗାଯୋଗରେ ନାହାଁନ୍ତି ବୋଲି କୃଷି ଅଧିକାରୀମାନେ କହିଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବୀମା କର୍ମଚାରୀମାନେ କ୍ଷେତ୍ର ପରିଦର୍ଶନ କରୁନଥିବା କିମ୍ବା ରାଜସ୍ଵ ବିଭାଗ ଆକଳନକୁ ବିଚାରକୁ ନେଉନଥିବା ଅଭିଯୋଗ ହୋଇଛି। ଚାଷୀଙ୍କୁ ଠକିବା ପାଇଁ ବୀମା କମ୍ପାନୀ ଅନ ଲାଇନ ବ୍ୟବସ୍ଥା କରିଛି। କେବଳ ଚାଷୀଙ୍କୁ ନୁହେଁ ସରକାରଙ୍କୁ ମଧ୍ୟ ଠକିଛି। ଏଣୁ ଜିଲ୍ଲା ପ୍ରଶାସନ ଆକଳନ ପ୍ରକାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ବୀମା ସହାୟତା ପ୍ରଦାନ କରିବାକୁ ରୟତ ମହାସଭା ଦାବି କରିଛି।

 

 

ରବି ରଥ ସୀମାଞ୍ଚଳ ନାହାକ

ଉପଦେଷ୍ଟା ସମ୍ପାଦକ

You may have missed