September 16, 2026

ଦୁର୍ଗମ କଳାହାଣ୍ଡି ଜିଲ୍ଲାର ଅଧିକାଂଶ ପଞ୍ଚାୟତ ଗୁଡିକ ଅଧିନରେ ଥିବା ଗ୍ରାମ ଗୁଡିକୁ ସଂଯୋଗ କରିଥିବା ରାସ୍ତା ଗୁଡିକର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ

IMG-20260916-WA0040
Share

        ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) ଦୁର୍ଗମ କଳାହାଣ୍ଡି ଜିଲ୍ଲାର ଅଧିକାଂଶ ପଞ୍ଚାୟତ ଗୁଡିକ ଅଧିନରେ ଥିବା ଗ୍ରାମ ଗୁଡିକୁ ସଂଯୋଗ କରିଥିବା ରାସ୍ତା ଗୁଡିକର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ଥିବାବେଳେ, ପ୍ରଶାସନିକ ଦୁର୍ବଳତା ଓ ଅବହେଳା ଯୋଗୁଁ ଏହି ରାସ୍ତା ଗୁଡିକର ଆଜି ପର୍ଯ୍ୟନ୍ତ ନବୀକରଣ ହୋଇପାରିନାହିଁ। ଏଥିଯୋଗୁଁ ଅଧିକାଂଶ ସମୟରେ ଦୁର୍ଘଟଣା ମାନ ଘଟି ଚାଲୁଥିବା ସହ ଶିକ୍ଷା ଓ ଜରୁରୀ କାଳିନ ସ୍ୱାସ୍ଥ୍ୟ ସେବାରେ ସମ୍ପୂର୍ଣ ବାଧା ଉପୁଜି ଚାଲିଛି। କିନ୍ତୁ ଏହି ଗୁରୁତର ସମସ୍ୟାର ସମାଧାନ ପ୍ରତି ପଞ୍ଚାୟତ ଗୁଡିକ ସହ ବ୍ଲକ, ଜିଲ୍ଲା ପ୍ରଶାସନ ତଥା ଜନ ପ୍ରତିନିଧି ମାନଙ୍କର ତିଳେମାତ୍ର ଆଗ୍ରହ ଥିବା ମନେହେଉନାହିଁ। ତେଣୁ କେତେକ ଗ୍ରାମରେ ଗ୍ରାମବାସୀ ନିଜେ କାମଚଳା ରାସ୍ତା ତିଆରି କରିବାକୁ ବାଧ୍ୟ ହେଉଥିବାବେଳେ, ପୁଣି ଥରେ ଏପରି ଏକ ଖବର ସାମ୍ନାକୁ ଆସିଛି କଳାହାଣ୍ଡି ଜିଲ୍ଲା, କୋକସରା ବ୍ଲକ ଅନ୍ତର୍ଗତ କନ୍ଦାବୁଟ୍ରା ପଞ୍ଚାୟତ ଅଧିନସ୍ଥ ତୁନଗାଁ ରୁ। ସୂଚନା ଅନୁଯାୟୀ, ତୁନଗାଁ ଠାରୁ କଲୋନୀ ପଡା ପର୍ଯ୍ୟନ୍ତ ସଂଯୋଗ କରୁଥିବା ରାସ୍ତାଟି ଅନେକ ବର୍ଷରୁ ସମ୍ପୂର୍ଣ ନଷ୍ଟ ହୋଇ ଖାଲ ଖମାରରେ ଭର୍ତ୍ତି ହେବା ସହ ବର୍ଷା ଦିନ ଆସିଲେ ସମ୍ପୂର୍ଣ ରାସ୍ତାଟି ଉପରେ ପାଣି କାଦୁଅ ଜମା ହୋଇ ରହୁଥିବା ଯୋଗୁଁ ଯାତାୟତ କରିବାରେ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ବିଶେଷ କରି ଜରୁରୀ କାଳିନ ପରିସ୍ଥିତିରେ ଆମ୍ବୁଲାନ୍ସ ସେବାରେ ବାଧା ପ୍ରାପ୍ତ ହୋଇଥାଏ। ଏହି ରାସ୍ତାର ମରାମତି ପାଇଁ ଗ୍ରାମବାସୀ ବାରମ୍ବାର ସ୍ଥାନୀୟ ପଞ୍ଚାୟତରେ ଲିଖିତ ଭାବରେ ଜଣାଇଥିଲେ ମଧ୍ୟ ପଞ୍ଚାୟତ ତରଫରୁ କୌଣସି ପଦକ୍ଷେପ ନିଆ ନଯିବାରୁ ଶେଷରେ ବାଧ୍ୟ ହୋଇ ତୁନ ଗାଁ ର ବୃଦ୍ଧ ଦମ୍ପତି ସେଲିଆ ଶବର ଓ ଲାବଣ୍ୟ ଶବର ପାଇଥିବା ସରକାରୀ ବାର୍ଦ୍ଧକ୍ୟ ଭତ୍ତାରୁ ରାସ୍ତା ମରାମତି ପାଇଁ ଅଣ୍ଟା ଭିଡ଼ିଥିଲେ। ସେମାନେ ପ୍ରଥମେ ତାଙ୍କ ପୁଅ ତିଳେରାମ ଶବରଙ୍କୁ ଏବିଷୟରେ ଜଣାଇଥିଲେ ଏବଂ ତିଳେରାମ ମଧ୍ୟ ଏଥିରେ ରାଜି ହେବା ସହ ବୃଦ୍ଧ ମାଆ ବାପାଙ୍କ ଭତ୍ତା ଟଙ୍କା ସହ ନିଜେ ମଧ୍ୟ କିଛି ଟଙ୍କା ମିଶାଇ ତୁନଗାଁ ଠାରୁ କଲୋନୀ ପଡା ପର୍ଯ୍ୟନ୍ତ ରାସ୍ତାର ଆସ୍ଥାୟୀ ମରାମତି କାର୍ଯ୍ୟ ଆରମ୍ଭ କରିଛନ୍ତି। ଏହି ଘଟଣାଟି ବର୍ତ୍ତମାନ ଚର୍ଚ୍ଚାରେ ଥିବାବେଳେ,ଏହା ପଞ୍ଚାୟତ ସମିତି ଓ ଜିଲ୍ଲା ପ୍ରଶାସନ ପାଇଁ ଏକ ଲଜ୍ଜା ଜନକ କଥା ଅଟେ ଏବଂ ବର୍ତ୍ତମାନ ଦେଖିବାକୁ ବାକି ରହିଲା ଯେ’ସ୍ଥାନୀୟ ପଞ୍ଚାୟତ ସମିତି ଦ୍ୱାରା ଏହି ରାସ୍ତା ନିର୍ମାଣ କାର୍ଯ୍ୟ କେବେ ଆରମ୍ଭ ହେବ।

You may have missed