ନିଟ୍ ପରୀକ୍ଷାରେ ସୌରଭଙ୍କ କୃତିତ୍ୱ
ବୁଗୁଡା : ତା ୨୩/୦୯/୨୫ :ବାଲ୍ଯକାଳରୁ ହିଁ ଡାକ୍ତରୀ ସେବା ପ୍ରତି ଆକୃଷ୍ଟ ହୋଇଥିବା ମେଧାବୀ ଛାତ୍ର ସୌରଭ ଶେଖର ସ୍ବାଇଁ ଚଳିତ ବର୍ଷ ନିଟ୍ ପରୀକ୍ଷାରେ ସଫଳତା ଅର୍ଜନ କରି ସୁନାମ ଅର୍ଜନ କରିଛନ୍ତି। ସେ ତାଙ୍କର ପ୍ରାଥମିକ ଶିକ୍ଷା କାଳରେ ତୃତୀୟ ଓ ପଞ୍ଚମ ଶ୍ରେଣୀ ସରକାରୀ ମେଧାବୃତ୍ତି ପରୀକ୍ଷାରେ କୃତିତ୍ବ ହାସଲ ସହ ଉଭୟ ଦଶମ ଓ ଦ୍ବାଦଶ ଶ୍ରେଣୀରେ ୯୦% ମାର୍କ ପ୍ରାପ୍ତ କରିଥିଲେ। ତେବେ ଏ ବର୍ଷ ନିଟ୍ ପରୀକ୍ଷାରେ ସଫଳତା ହାସଲ କରି ଫୁଲବାଣୀସ୍ଥିତ ସରକାରୀ ମେଡିକାଲ କଲେଜରେ ଅଧ୍ଯୟନର ସୁଯୋଗ ପାଇଛନ୍ତି। ତାଙ୍କର ପ୍ରାରମ୍ଭିକ ଶିକ୍ଷା ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ହୋଇଥିଲା ବେଳେ ପରବର୍ତ୍ତୀ ସମୟରେ ସେ ବ୍ରହ୍ମପୁରସ୍ଥ ନୀଳକଣ୍ଠ ନଗର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଅଧ୍ଯୟନରତ ଥିଲେ। ସେ ସ୍ଥାନୀୟ ଅରବିନ୍ଦ ନଗର ନିବାସୀ ତଥା ପିତା ଅବସରପ୍ରାପ୍ତ ଡେମୋନଷ୍ଟେଟର୍ ଭଗବାନ ସ୍ବାଇଁ ଓ ମାତା ମନୋରମା ସ୍ବାଇଁଙ୍କ ସୁପୁତ୍ର ହୋଇଥିବା ବେଳେ ତାଙ୍କର ଏହି ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ତେବେ ସୌରଭ ତାଙ୍କର ପ୍ରତିକ୍ରିୟାରେ ଏହି ସଫଳତାର ଶ୍ରେୟ ଗୁରୁଜୀ-ଗୁରୁମା ଏବଂ ପିତାମାତାଙ୍କୁ ଦେଇଥିବା ବେଳେ ନିଷ୍ଠାପର ଅଧ୍ଯୟନ ମଧ୍ୟ ଏହାର ଅନ୍ଯତମ କାରଣ ବୋଲି ମତବ୍ୟକ୍ତ କରିଥିଲେ।
