November 15, 2024

ବୁଗୁଡ଼ାରେ ବଢି ଚାଲିଛି ମଶାଙ୍କ ଉପଦ୍ରବ, ଏନ୍‌ଏସି ଅଫିସରେ ଖତ ଖାଉଛି ଟିଫା ମେସିନ 

Share

 

ବୁଗୁଡ଼ା : ତା ୨୩/୦୮/୨୪ : ବୁଗୁଡ଼ା ସହରରେ ଘନ ଘନ ବିଦ୍ୟୁତ କାଟ ସାଙ୍ଗକୁ ମଶାଙ୍କ ଆକ୍ରମଣ ବେଡି ଉପରେ କୋରଡ଼ା ମାଡ ସଦୃଶ୍ୟ ହୋଇଛି । ଯେଉଁଠି ଦେଖିବ ଦଳ ଦଳ ମଶା । ଘରେ ବାହାରେ ସବୁଠି ଏକା ପରିସ୍ଥିତି। ଦିନରେ କେମିତି କେମିତି ସଞ୍ଜ ନଇଁଲେ ଆରମ୍ଭ ହୋଇ ଯାଉଛି ମଶାଙ୍କ ରକ୍ତ ଶୋଷଣ ଅଭିଯାନ । ଗୁଳୁଗୁଳି ଯୋଗୁଁ ଲୋକେ ଘରେ ରହି ନପାରି ସନ୍ଧ୍ୟା ସମୟରେ ବାହାରକୁ ଆସୁଛନ୍ତି ହେଲେ ମଶା କେଉଁଠି ବି ରଖେଇ ବସେଇ ଦେଉନାହାନ୍ତି । ସହରରେ ପ୍ରବଳ ମଣା ଯୋଗୁଁ ଲୋକେ ଅସ୍ତବ୍ୟସ୍ତ ହେବା ସହ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଗଲେଣି । ଦିନକୁ ଦିନ ମଶାଙ୍କ ଦୌରାତ୍ମ୍ୟ ବଢି ଚାଲିଥିବା ବେଳେ ମଶା ମାରିବା ପାଇଁ ଏନଏସି ପକ୍ଷରୁ ଅଣାଯାଇଥିବା ଟିଫା ମେସିନ ଖତ ଖାଉଛି । ଏହି ମେସିନ ନୂଆଁ ନୂଆଁରେ ଥରେ ଦୁଇ ଥର ବ୍ୟବହାର ପରେ ଏବେ ଆଉ ବ୍ୟବହାର ହେଉନି । ଫଳରେ ମଶା ବଂଶ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି | ଏନ୍ଏସିର ଅଧିକାଂଶ ଡ୍ରେନ ଦୀର୍ଘ ଦିନ ଧରି ସଫା ନହେବା ଫଳରେ ସେଥି ମଧ୍ୟରେ ଆବର୍ଜନା ଓ ପାଣି ଜମି ରହି ମଶା ବଂଶ ବୃଦ୍ଧିରେ ସହାୟକ ହେଉଛି । ସଞ୍ଜ ନଇଁଲେ ଡ୍ରେନର କଭର ପ୍ଲେଟ୍ ଫାଙ୍କରୁ ଅସଂଖ୍ଯ ମଶା ବାହାରୁଛନ୍ତି । ଅନ୍ୟପକ୍ଷରେ ସହରର ଫାଙ୍କା ଜାଗାରେ ଗଢ଼ି ଉଠିଥିବା ଲଟାବୁଦା ଏବଂ ଆବର୍ଜନା ପରିବେଶ ଯୋଗୁଁ ମଶା ପ୍ରବଳ ହେଉଛି । ଏଥି ପ୍ରତି ଏନ୍‌ଏସି କର୍ତ୍ତୃପକ୍ଷଙ୍କ କୌଣସି ନିଘା ରହୁନାହିଁ । ସହରର ସର୍ବସାଧାରଣ ଜାଗାଗୁଡିକୁ ଏନ୍‌ଏସି ପକ୍ଷରୁ ସଫେଇ କରାଯାଉଥିଲେ ହେଁ ସହରରେ ରହିଥିବା ପ୍ରାଇଭେଟ୍ ଜାଗା ଗୁଡିକ ଏବେ ଆବର୍ଜନାମୟ ହୋଇ ରହିଛି । ସେଥି ପ୍ରତି ମଧ୍ୟ ଏନ୍‌ଏସି ପ୍ରଶାସନ ପଦକ୍ଷେପ ଗ୍ରହଣ କରିବା ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ତେବେ ସହରବାସୀଙ୍କୁ ମଶା ଦାଉରୁ ରକ୍ଷା କରିବା ପାଇଁ ଏନ୍ଏସି ପକ୍ଷରୁ ନାଳ ନର୍ଦ୍ଦମା ସଫେଇ ସହ ମଶା ମରା ଟିଫା ମେସିନର ପ୍ରୟୋଗ କରିବାକୁ ସାଧାରଣରେ ଦାବି ହେଉଛି ।