July 24, 2026

ଆଡ଼ପ ମଣ୍ଡପରେ ଆଜି ଶେଷ ଦର୍ଶନ ଦେବେ ଶ୍ରୀଜିଉ, ସନ୍ଧ୍ୟା ୬ଟାରୁ ଦର୍ଶନ ମନା..

IMG-20260723-WA0008
Share

 

ଗୁରୁବାର ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଶେଷ ଆଡ଼ପ ଦର୍ଶନ। ସନ୍ଧ୍ୟା ୬ଟାରୁ ଦର୍ଶନ ମନା। ବାହୁଡ଼ା ଯାତ୍ରାର ପୂର୍ବ ପ୍ରସ୍ତୁତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି। ତେବେ ମହାପ୍ରସାଦ ଆଣିବା ପାଇଁ ନାକଚଣା ଦ୍ୱାର ପଟେ ପ୍ରବେଶ କରିପାରିବେ ଶ୍ରଦ୍ଧାଳୁ…

 

ଗୁରୁବାର ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ଅନୁଷ୍ଠିତ ହେବ। ଚଳିତ ବର୍ଷ ପାଇଁ ଭକ୍ତମାନେ ଗୁଣ୍ଡିଚା ଘରେ ଠାକୁରଙ୍କ ଶେଷ ଆଡ଼ପ ଦର୍ଶନ ପାଇବେ । ସନ୍ଧ୍ୟା ଦର୍ଶନର ମହତ୍ୱ ରହିଥିବାରୁ ଗୁଣ୍ଡିଚା ମନ୍ଦିରରେ ଲାଗିବ ଭକ୍ତଙ୍କ ପ୍ରବଳ ଭିଡ଼ । ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଶେଷ ନୀତି ନିର୍ଘଣ୍ଟ ଧାର୍ଯ୍ୟ କରାଯାଇଛି । ଠାକୁରଙ୍କ ଦର୍ଶନ ସନ୍ଧ୍ୟା ୬ଟାରୁ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି । ଶୁକ୍ରବାର ତଥା ୨୪ ତାରିଖ ଠାକୁରଙ୍କ ବାହୁଡ଼ା ଯାତ୍ରାର ପୂର୍ବ ପ୍ରସ୍ତୁତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ତେବେ ଶ୍ରଦ୍ଧାଳୁମାନେ ମହାପ୍ରସାଦ ଆଣିବା ପାଇଁ ନାକଚଣା ଦ୍ୱାର ପଟେ ପ୍ରବେଶ କରିପାରିବେ ବୋଲି ଶ୍ରୀମନ୍ଦିର ଲୋକ ସମ୍ପର୍କ ଅଧିକାରୀ ଜିତେନ୍ଦ୍ର ମହାନ୍ତି ସୂଚନା ଦେଇଛନ୍ତି ।

 

ଆଜି ଗୁଣ୍ଡିଚାଘର ଆଡ଼ପମଣ୍ଡପରେ ଠାକୁରଙ୍କ ଶେଷ ଦର୍ଶନ। ଉକ୍ତ ଦିନରେ ଠାକୁରଙ୍କ ଦର୍ଶନ କରିବାରେ ଭକ୍ତର ଅଶେଷ ପୂଣ୍ୟ ହୋଇଥାଏ ବିଶ୍ୱାସ ରହିଛି । ଏଥିପାଇଁ ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହୁଏ । ପରଦିନ ବାହୁଡ଼ା ଯାତ୍ରା ଥିବାରୁ ଠାକୁରଙ୍କ ନୀତି ମଧ୍ୟ ତ୍ୱରାନ୍ୱିତ କରିବାକୁ ହୋଇଥାଏ । ଏଣୁ ସର୍ବସାଧାରଣ ଦର୍ଶନ ବନ୍ଦ କରାଯାଇ ଗୁଣ୍ଡିଚାଘରକୁ ଶୋଧ କରାଯିବ । ପ୍ରାତଃ ୪ଟାରେ ଠାକୁରଙ୍କ ଦ୍ୱାର ଫିଟି ୪ଟା୩୦ରେ ମଙ୍ଗଳ ଆଳତି ହେବ । ପରେ ମଇଲମ, ତଡ଼ପଲାଗି, ଅବକାଶ, ରୋଷହୋମ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବେଶ ଶେଷ ହୋଇ ଗୋପାଳବଲ୍ଲଭ ନୀତି ହୋଇ ସକାଳଧୂପ ହେବ ସକାଳ ୮ଟାରୁ ୯ଟା୩୦ମଧ୍ୟରେ । ଭୋଗମଣ୍ଡପ ନୀତି ସମୟ ପୂର୍ବାହ୍ଣ ସାଢ଼େ ୧୦ଟା । ମଧ୍ୟାହ୍ନ ଧୂପ ଅପରାହ୍ଣ ୩ଟା, ଦ୍ୱିତୀୟ ଭୋଗମଣ୍ଡପ ସାଢ଼େ ୩ଟା, ମଇଲମ, ବେଶ, ସନ୍ଧ୍ୟା ଆଳତି ଓ ସନ୍ଧ୍ୟା ଧୂପ ୭ଟା ଓ ୩ୟ ଭୋଗମଣ୍ଡପ ସାଢ଼େ ୭ଟାରେ ସରିବ । ରାହାସକୁ ଦିଅଁବିଜେ ହେବେ ରାତି ୮ଟାରେ । ପରେ ମଇଲମ ଓ ଚନ୍ଦନଲାଗି ବଢ଼ି ରାତି ୯ଟା ୩୦ସୁଦ୍ଧା ବଡ଼ସିଂହାର ବେଶ ହେବ । ପହୁଡ଼ ଆଳତି ୧୦ଟାରେ ହେବ । ପୁଷ୍ପାଳକମାନେ ଶ୍ରୀମୁଖରେ ଖଣ୍ଡୁଆ ପକାଇ ଯିବା ପରେ ଦଇତାପତିମାନେ ଠାକୁରଙ୍କ ଗୁପ୍ତନୀତି କରିବେ । ପରେ ରାତି ୧୧ଟାରୁ ୨ଟା ମଧ୍ୟରେ ସିଂହାସନଠାରେ ଚାରମାଳ ବନ୍ଧାଯାଇ ୩ଟା ୩୦ ଭିତରେ କୁସୁମିଲାଗି କରାଯିବ ବୋଲି ନୀତିନିର୍ଘଣ୍ଟ ପ୍ରସ୍ତୁତ ହୋଇଛି ।

You may have missed