July 3, 2024

ସାମ୍ୱାଦିକ ପେନସନ ଓ ସୁରକ୍ଷା ସମେତ ୭ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କଲା ଓଡ଼ିଶା ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ର ମହାସଂଘ….

Share

ଭୁବନେଶ୍ଵର( ଗଣେଶ ବିଷୋୟୀ)ଓଡ଼ିଶା ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ର ମହାସଂଘ ସଭାପତି ରବି ରଥଙ୍କ ନେତୃତ୍ଵରେ ଏକ ପ୍ରତିନିଧି ଦଳ ଭୁବନେଶ୍ଵର ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ସାମ୍ୱାଦିକ ପେନସନ ଓ ସୁରକ୍ଷା ସମେତ ୭ ଦଫା ସମ୍ୱଳିତ ଦାବିପତ୍ର ପ୍ରଦାନ କରାଯାଇଥିଲା।
ଦାବିଗୁଡ଼ିକ ମଧ୍ୟରେ ବିଜ୍ଞାପନ ପ୍ରଦାନ କରିବା କ୍ଷେତ୍ରରେ କ୍ରମାଗତ ଭାବେ କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ର ଗୁଡ଼ିକ ପ୍ରତି ଅବହେଳା କରାଯାଉଥିବା ଘଟଣାର ତଦନ୍ତ କରି ଯେଭଳି ବିଜ୍ଞାପନ ପ୍ରଦାନରେ ସ୍ଵଚ୍ଛତା ରକ୍ଷା କରାଯାଇପାରିବ ସେ ନେଇ ସ୍ଵତନ୍ତ୍ର ନୀତି ପ୍ରଣୟନ କରାଯାଉ । ସରକାରଙ୍କ ସ୍ଵୀକୃତି ଅନୁମୋଦନ ପାଇଁ ଆବେଦନ କରିଥିବା ସମ୍ୱାଦପତ୍ର ଗୁଡ଼ିକ ପ୍ରତି କୋହଳ ମନୋଭାବ ଗ୍ରହଣ ସହ ସ୍ଵୀକୃତି ପ୍ରଦାନ କରିବା କ୍ଷେତ୍ରରେ ପଦକ୍ଷେପ ଗ୍ରହଣ କରାଯାଉ । ଯେଉଁ ମାନେ ସରକାରଙ୍କ ନୀତି ଅନୁସାରେ ଧାରାବାହିକ ଭାବେ ସମ୍ୱାଦପତ୍ର ପ୍ରକାଶନ କରୁଛନ୍ତି ସେମାନଙ୍କ ପ୍ରତି ପାତର ଅନ୍ତର ନ କରି ସରକାରୀ ସ୍ଵୀକୃତି ପ୍ରଦାନ କରାଯାଉ ଏବଂ ସମ୍ପ୍ରତି ସମ୍ୱାଦପତ୍ରର ସମ୍ପାଦକ ମାନଙ୍କୁ ରାଜ୍ୟ ସ୍ତରୀୟ ଅଧିସ୍ଵୀକୃତି ପ୍ରଦାନ କରାଯାଉ । କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ର ଗୁଡ଼ିକୁ ପୂର୍ବରୁ ଦିଆଯାଉଥିବା ସର୍ବନିମ୍ନ ବିଜ୍ଞାପନ ଦେୟକୁ ବୃଦ୍ଧି କରି କାଗଜ,କାଳି ଓ ବୈଦ୍ୟୁତିକ ଖର୍ଚ୍ଚ ଏବଂ ବିଭିନ୍ନ ସାମଗ୍ରୀର ଦର ବୃଦ୍ଧି ଦୃଷ୍ଟିରୁ ଏହାକୁ ସର୍ବନିମ୍ନ କଲମ୍‌ ସିଏମ ପ୍ରତି ୨୫ ଟଙ୍କା କରାଯାଉ । ସମସ୍ତ ପ୍ରକାଶକମାନଙ୍କ ସହ ଓ ସମ୍ପାଦକଙ୍କୁୁ ଗୋପବନ୍ଧୁ ସ୍ଵାସ୍ଥ୍ୟ ବୀମା ଯୋଜନାରେ ପରିସରଭୁକ୍ତ କରିବା ସହ ବୀମା ରାଶି ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଉ । ଭାରତ ବର୍ଷର ୧୭ ଟି ରାଜ୍ୟରେ ସାମ୍ୱାଦିକ ପେନସନ ଆଇନ ପ୍ରଣୟନ ହୋଇଥିବା ବେଳେ ଓଡ଼ିଶାରେ ଦୀର୍ଘ ୪ ଦଶନ୍ଧି ଧରି ମୁଖ୍ୟମନ୍ତ୍ରୀ ମାନେ ପେନସନ ଯୋଜନା ପ୍ରଣୟନ କରାଯିବ ବୋଲି ବହୁ ସମୟରେ ଘୋଷଣା କରିଥିଲେ ମଧ୍ୟ ଅଦ୍ୟାବଧି କାର୍ଯ୍ୟକାରୀ ହୋଇପାରିନାହିଁ। ତେଣୁ ଏ ଦିଗରେ ଆପଣ ପଦକ୍ଷେପ ନେବେ ବୋଲି ଆମର ଅନୁରୋଧ । ଫଳରେ ୬୦ ବର୍ଷରୁ ଊର୍ଦ୍ଧ୍ଵ ବୟସ୍କ ସାମ୍ୱାଦିକ ମାନେ ଏହାର ସୁଫଳ ପାଇପାରିବେ। ଏଥିସହ ମହାରାଷ୍ଟ୍ର, ଛତିଶଗଡ଼ ରାଜ୍ୟ ସରକାରଙ୍କ ଭଳି ସାମ୍ୱାଦିକ ସୁରକ୍ଷା ଆଇନ ମଧ୍ୟ ପ୍ରଣୟନ କରାଯାଉ । ଡିଏଭିପି ଦର ଅନୁଯାୟୀ ରାଜ୍ୟ ସରକାର ସ୍ଵୀକୃତିପ୍ରାପ୍ତ ସମ୍ୱାଦପତ୍ର ଗୁଡ଼ିକୁ ବିଜ୍ଞାପନ ଦର ଦିଆଯିବା ନିୟମ ଥିଲେ ମଧ୍ୟ ଏ ସମ୍ପର୍କରେ ବହୁବାର ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ । ଏ ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ପାତର ଅନ୍ତର ନୀତି ଅବଲମ୍ୱନ କରୁଛନ୍ତି ତେଣୁ ଏ ସମ୍ପର୍କରେ ଉଚ୍ଚସ୍ତରୀୟ ତଦନ୍ତ ସାକ୍ଷେପ। ଜିଏସଟି ନଥିବା ବିଲଗୁଡ଼ିକ ବର୍ଷ ବର୍ଷ ଧରି ପେମେଣ୍ଟ ନ ହୋଇ ପଡ଼ି ରହିଛି। ତେଣୁ ଏ ଦିଗରେ ପଦକ୍ଷେପ ନେବା ପାଇଁ ବିଭାଗକୁ ନିର୍ଦ୍ଦେଶ ଦିଆଯାଉ । ସରକାରୀ ସ୍ଵୀକୃତି ପାଇଥିବା ସମ୍ୱାଦପତ୍ର ଗୁଡ଼ିକର ରାଜ୍ୟ କାର୍ଯ୍ୟାଳୟ ଖୋଲିବା ପାଇଁ ଭୁବନେଶ୍ଵର ଠାରେ ସରକାରୀ କ୍ଵାଟର ପ୍ରଦାନ କରାଯାଉ । ନତୁବା ଦିଲ୍ଲୀରେ ଇଣ୍ଡିଆନ ନୁ୍ୟଜ୍‌‍ ପେପର ସୋସାଇଟି (ଆଇଏନଏସ୍‌‍) କୋଠା ଭଳି ଓଡ଼ିଶାରେ ସ୍ଵୀକୃତିପ୍ରାପ୍ତ ସମ୍ୱାଦପତ୍ର ମାନଙ୍କ ପାଇଁ ଏକ କୋଠା ନିର୍ମାଣ କରାଯାଇ ସମ୍ପୃକ୍ତ ସମ୍ୱାଦପତ୍ର ଗୁଡ଼ିକର କାର୍ଯ୍ୟାଳୟ ଖୋଲିବା ପାଇଁ ବ୍ୟବସ୍ଥା କରାଯାଉ । ସମସ୍ତ ସ୍ଵୀକୃତିପ୍ରାପ୍ତ ଓ ଅଣସ୍ଵୀକୃତିପ୍ରାପ୍ତ ସମ୍ୱାଦପତ୍ର ଗୁଡ଼ିକ (ଆରଏନଆଇ ପଞ୍ଜିକୃତ) ର ବାର୍ଷିକ ଉତ୍ସବ ପାଇଁ ପୂର୍ବରୁ ଥିବା ମୁଖ୍ୟମନ୍ତ୍ରୀ ସ୍ଵର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସମୟରେ ସହାୟତା ପ୍ରଦାନ କରାଯାଉଥିଲା। ପୂର୍ବ ସରକାର ଅମଳରେ ବାର୍ଷିକ ଉତ୍ସବ ପାଇଁ ବିଜ୍ଞାପନ ପ୍ରଦାନ ପାଇଁ ଆବେଦନ କଲେ ମଧ୍ୟ ବିଭାଗୀୟ କର୍ତ୍ତପକ୍ଷ ଏ ଦିଗରେ ଅବହେଳା ପ୍ରଦର୍ଶନ କରି ଆସୁଛନ୍ତି। ଏଥିପ୍ରତି ସରକାର ଦୃଷ୍ଟି ଦେବାକୁ ଅନୁରୋଧ ।
ଏହି ପ୍ରତିନିଧି ଦଳରେ ପ୍ରକାଶ ଚନ୍ଦ୍ର ନାୟକ, ସ୍ଵଦେଶ ଚନ୍ଦ୍ର ଦାସ, ରମାକାନ୍ତ ପରିଜା, ମନୋଜନ କୁମାର ବେହେରା, ମୁରଲୀ ମିଶ୍ର, ବାବୁଲି ବେହେରା, ଜେ୍ୟାତି ରଂଜନ ବେହେରା, ନିତ୍ୟ ନିରଞ୍ଜନ ପଣ୍ଡାଙ୍କ ସମେତ ବହୁ ସମ୍ପାଦକ ମାନେ ଉପସ୍ଥିତ ଥିଲେ।