May 18, 2024

ଭାଲୁ ପାହାଡ଼ରୁ ବେଆଇନ ପଥର ଉଠାଣ , ୨୫ ହଜାର ଜୋରିମାନା ଆଦାୟ

Share

ବୁଗୁଡା : ତା ୨୩/୦୪/୨୪ : ବୁଗୁଡା ବନାଞ୍ଚଳ ଅନ୍ତର୍ଗତ ମାଣିତରା ଗାଁ ନିକଟସ୍ଥ ଭାଲୁ ପାହାଡ଼ରୁ ମାଫିଆଙ୍କ ଦ୍ବାରା ବେଆଇନ ପଥର ଚୋରା ଚାଲାଣ ହେଉଥିବା ନେଇ ଅଭିଯୋଗ ସମ୍ପର୍କରେ ଖବର ପ୍ରକାଶ ପରେ ଆଜି ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଏକ ପଥର ବୋଝେଇ ଟ୍ରାକ୍ଟରକୁ ଜରି ଜୋରିମାନା ଆଦାୟ କରାଯାଇଥିବା ଜଣାଯାଇଛି । ପ୍ରକାଶ ଯେ , ଆଜି ସକାଳ ପ୍ରାୟ ସାଢ଼େ ଛଅଟା ବେଳେ ବୁଗୁଡା ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ରଙ୍କ ନେତୃତ୍ବରେ ଏକ ଟିମ୍ ମାଣିତରା ରାସ୍ତାରେ ନଯାଇ ନାଗିରି ରାସ୍ତାରେ ଯାଇ ଭାଲୁ ପାହାଡ଼ରେ ପହଞ୍ଚିବା ବେଳକୁ ଏକ ପଥର ବୋଝେଇ ଟ୍ରାକ୍ଟର(ନଂ-ଓଡି ୩୨ ବି ୩୦୯୨) ସେଠାରୁ ବାହାରି ଯାଉଥିଲା । ବନ ବିଭାଗ ଟିମ୍ ପଛରୁ ଗୋଡାଇ ଟ୍ରାକ୍ଟରଟିକୁ କାବୁ କରିଥିଲେ । ଟ୍ରାକ୍ଟର ମାଲିକ ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ କାଦପଡା ଗ୍ରାମର ଶିବ ନାରାୟଣ ପ୍ରଧାନ ହୋଇଥିଲା ବେଳେ ତାଙ୍କଠାରୁ ଓଏମ୍ଏମସି ଆକ୍ଟ ଅନୁସାରେ ୨୫ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ଜଣାଯାଇଛି । ବୁଗୁଡା ଅଞ୍ଚଳର ପଥର ମାଫିଆ ଗୋଷ୍ଠୀ ବେଆଇନ ପଥର ବ୍ଲାଷ୍ଟିଂ ସହ ଚୋରା ଚାଲାଣରେ ଲିପ୍ତ ରହିଥିବା ବେଳେ ଲଗାତର ଧରପଗଡ ପୂର୍ବକ ସେମାନଙ୍କ ଉପରେ ଅଙ୍କୁଶ ଲଗାଇଲେ ସେହି ପାହାଡ଼ରେ ବାସ କରୁଥିବା ହଜାର ହଜାର ମୟୁରଙ୍କ ସମେତ ଅନ୍ଯାନ୍ଯ ପଶୁପକ୍ଷୀଙ୍କୁ ସୁରକ୍ଷା ମିଳିପାରିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।