December 3, 2024

ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ ଅବ୍ଯାହତ , ଚିକିତ୍ସାସେବା ବାଧାପ୍ରାପ୍ତ..

Share

 

ବୁଗୁଡ଼ା :  ବିଭିନ୍ନ ଦଫା ଦାବି ନେଇ ଚିକିତ୍ସକଙ୍କ ଆନ୍ଦୋଳନ ଆଜି ଷଷ୍ଠ ଦିନରେ ପହଞ୍ଚିଛି । ଫଳରେ ବୁଗୁଡ଼ା ସହରାଞ୍ଚଳ ସାଙ୍ଗକୁ ଗ୍ରାମାଞ୍ଚଳର ଗାଈଗୋରୁଙ୍କ ସମେତ ବିଭିନ୍ନ ଗୃହପାଳିତ ପଶୁଙ୍କ ଚିକିତ୍ସା ବାଧାପ୍ରାପ୍ତ ହୋଇଛି । ବିଗତକାଲି ବୁଗୁଡ଼ା ଏନଏସିର ପ୍ରଫୁଲ ପଣ୍ଡା ନିଜ ଅସୁସ୍ଥ ଗାଈର ଚିକିତ୍ସା ପାଇଁ ବୁଗୁଡ଼ା ପ୍ରାଣୀ ଚିକିତ୍ସାଳୟକୁ ଆସି ଡାକ୍ତରଙ୍କ ଅନୁପସ୍ଥିତ ଯୋଗୁଁ ନିରାଶ ହୋଇ ଫେରିଥିଲେ । ପ୍ରାଣୀ ଚିକିତ୍ସା ସେବା ସଂଘର ଆହ୍ୱାନ କ୍ରମେ କର୍ଯ୍ୟବନ୍ଦ ଆନ୍ଦୋଳନ ଚାଲିଥ୍‌ବା ନେଇ ସ୍ଥାନୀୟ ପ୍ରାଣୀ ଚିକିତ୍ସାଳୟର ବିଭିଓ ଶୁଭ୍ରାଂଶୁ ଶେଖର ରାଉତ ପ୍ରକାଶ କରିବା ସହ ଆବଶ୍ୟକ ସ୍ଥଳେ ୧୪୫୪୫ ନମ୍ବରରେ କଲ କରିବାକୁ ଅନୁରୋଧ କରିଛନ୍ତି । ସେହିପରି କତକଲା ଗ୍ରାମର ରବି ନାରାୟଣ ବିଷୋୟୀ ନିଜ ଅସୁସ୍ଥ ଗାଈର ଚିକିତ୍ସା ପାଇଁ ବୁଗୁଡ଼ା ପ୍ରାଣୀ ଚିକିତ୍ସାଳୟକୁ ଆସି ନିରାଶ ହୋଇ ଫେରିଥିଲେ । ବିଭିଓଙ୍କ ସମେତ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ଅଧିକାରୀ ଅନୁପସ୍ଥିତ ଥିବାରୁ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସମ୍ପୂର୍ଣ୍ଣ ରୂପେ ବାଧାପ୍ରାପ୍ତ ହୋଇଅଛି । ସେହିପରି ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ଅନୁପସ୍ଥିତି ହେତୁ ବୁଗୁଡ଼ା ବ୍ଲକରେ ଦିଆଯାଇଥିବା ବିଭିନ୍ନ ଜୀବନ ଜୀବିକା ଭିତ୍ତିକ ଯୋଜନାର କାର୍ଯ୍ୟ ସମ୍ପୂର୍ଣ ରୁପେ ଠପ୍ ହୋଇଯାଇଛି । ରାଜ୍ୟର ପ୍ରାଣୀ ଚିକିତ୍ସକମାନେ ଚିକିତ୍ସା କାର୍ଯ୍ୟରୁ ଦୁରେଇ ରହିବା ଯୋଗୁଁ ପ୍ରାଣୀ ପାଳକମାନେ ସମ୍ପ୍ରତି ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ରାଜ୍ୟ ସରକାର ଜାରି କରିଥିବା “ମୋ ସରକାର” କିଷାନ କଲ ସେଣ୍ଟର, ଏବଂ ପ୍ରାଣୀ ସହାୟତା ନମ୍ବର ଆଦିରେ କୌଣସିଠାରୁ ଚାଷୀମାନଙ୍କୁ ସହାୟତା ମିଳୁନାହିଁ । ତେଣୁ, ଏ ସମସ୍ୟାର ସମାଧାନ ପୂର୍ବକ ନିରୀହ ପ୍ରାଣୀମାନଙ୍କ ଦୁର୍ଦ୍ଦଶା ଦୂର କରିବାକୁ ଜନସାଧାରଣ ଦାବି ହେଉଛି ।