ଟ୍ରଲର ଚକା ତଳେ ପଡି ବୃଦ୍ଧ ଦୋକାନୀଙ୍କ ମୃତ୍ୟୁ
ବୁଗୁଡ଼ା : ତା ୨୩/୦୧/୨୩ : ବୁଗୁଡ଼ା ସହରର ବ୍ଲକ ଛକ ଇଣ୍ଡିଆନ ବ୍ୟାଙ୍କ ସମ୍ମୁଖରେ ଜନୈକ ବୃଦ୍ଧଙ୍କ ଉପରେ ଏକ ପାଇପ ବୋଝେଇ ଟ୍ରଲରର ପଛ ଚକା ଚଡି ଯିବା ଫଳରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । ମୃତକ ଜଣକ ହେଲେ ବୁଗୁଡ଼ା ଥାନା ଅନ୍ତର୍ଗତ ବିରଞ୍ଚିପୁର ଗାଁ ମୋଚିସାହିର ଦୋକାନୀ ଅଭି ବେହେରା(୬୫) । ଘଟଣାରୁ ପ୍ରକାଶ ଯେ, ଆଜି ମଧ୍ୟାନ୍ନ ୧୨ ସମୟରେ ସ୍ଥାନୀୟ ଇଣ୍ଡିଆନ ବ୍ୟାଙ୍କ ସମ୍ମୁଖରେ ରଖିଥିବା ସାଇକେଲକୁ ବାହାର କରି ଯିବାକୁ ଉଦ୍ୟମ କଲା ବେଳେ ଅଭି ଟ୍ରଲରର ପଛ ଚକାରେ ପଡି ଯାଇଥିଲେ l ଟ୍ରଲର ଚକା ତାଙ୍କ ଉପରେ ଚଢିଯିବା ଫଳରେ ତାଙ୍କ ୨ଟି ଯାକ ଗୋଡ଼ର ମାଂସ ବାହାରିଯିବା ସହ ହାଡ଼ ଭାଙ୍ଗି ଚୁନା ହୋଇଯାଇଥିଲା ଏବଂ ଡାହାଣ କଡ଼ ପେଟ ଫାଡ଼ି ହୋଇ ପ୍ରବଳ ରକ୍ତସ୍ରାବ ଘଟିଥିଲା l ଖବର ପାଇ ବୁଗୁଡ଼ା ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ବୁଗୁଡ଼ା ମେଡିକାଲ ଆଣିଥିଲେ । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଉଥିବା ବେଳେ ଆସିକା ନିକଟରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଟ୍ରଲରକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି । ଏ ନେଇ ବୁଗୁଡା ଥାନାରେ କେସ୍ ନଂ ୫୪/୨୩ରେ ଏକ ମାମଲା ରୁଜୁ ହୋଇଥିବା ଆଇଆଇସି ଚିତ୍ତରଞ୍ଜନ ବେହେରାଙ୍କ ଠାରୁ ପ୍ରକାଶ ପାଇଛି । ପ୍ରକାଶ ଯୋଗ୍ୟ ଯେ, ବୁଗୁଡ଼ା ସ୍ଥିତ ଇଣ୍ଡିଆନ ବ୍ଯାଙ୍କ ସମ୍ମୁଖରେ ବହୁ ସଂଖ୍ୟକ ଯାନବାହାନ ରହୁଥିବା କାରଣରୁ ଅନେକ ସମୟରେ ରାସ୍ତା ଜାମ୍ ସହ ଛୋଟ ଛୋଟ ଦୁର୍ଘଟଣାମାନ ଘଟି ଆସୁଥିଲେ ହେଁ ଆଜିର ଏହି ମର୍ମନ୍ତୁଦ ଦୁର୍ଘଟଣା ସମସ୍ତଙ୍କୁ ମର୍ମାହତ କରିଛି । ଫଳରେ ଇଣ୍ଡିଆନ୍ ବ୍ଯାଙ୍କ ସମ୍ମୁଖରେ ଅବ୍ଯବସ୍ଥିତ ଢଙ୍ଗରେ ଯାନବାହାନ ରହଣି ପ୍ରତି ପୋଲିସ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ସାଧାରଣରେ ଦାବି ହେଉଛି ।