April 23, 2026

ଗଜପତି:- ପର୍ଯ୍ୟଟନ ସ୍ଥଳୀର ସୁରକ୍ଷା ଓ ସ୍ବଚ୍ଛତା ନିମନ୍ତେ ଅଣ୍ଟା ଭିଡ଼ିଲେ ପ୍ରଶାସନିକ ଅଧିକାରୀ ଓ ସମାଜସେବୀ

IMG-20251222-WA0122
Share

ନୂଆବର୍ଷ ୨୦୨୬ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନ ତଥା ପର୍ଯ୍ୟଟନ ସ୍ଥଳୀ ମାନଙ୍କରେ ଜନ ସମାଗମ ଦେଖିବାକୁ ମିଳୁଛି। ସେହି ଅବସରରେ ସବୁ ସ୍ଥାନରେ ଭୋଜିଭାତ’ର ଆସର ଜମୁଥିବା ଯୋଗୁଁ ତା ପର ସମୟରେ ଦର୍ଶନୀୟ ସ୍ଥାନ ସବୁ ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ହେଉଥିବା ଦେଖାଯାଉଛି।

ସେହି ଅଳିଆ ଆବର୍ଜନା ରୁ ଦର୍ଶନୀୟ ସ୍ଥାନ ଗୁଡ଼ିକୁ କିଭଳି ସ୍ବଚ୍ଛତା ରକ୍ଷା କରାଯିବା ସହ ଏ ଦିଗରେ ତାର ସୁରକ୍ଷା ଦିଆଯାଇ ତାକୁ ଲୋକଲୋଚନକୁ ଆଣି ସେଠାକୁ ବିଭିନ୍ନ ସ୍ଥାନରୁ ବିଭିନ୍ନ ସମୟରେ ଆସୁଥିବା ଲୋକ ତଥା ପର୍ଯ୍ୟଟକ ମାନଙ୍କ ମନରେ ପରିବେଶ ସ୍ୱଚ୍ଛତାକୁ ନେଇ ଏକ ଆନ୍ଦୋଳନ ସୃଷ୍ଟି କରାଯାଇ ପାରିବ , ସେହି କଥା ଚିନ୍ତା କରି ଆଜି ୨୧-୧୨-୨୦୨୫ ରବିବାର ସକାଳ ୧୦ ଘଟିକାରୁ ଦିବା ୩ ଘଟିକା ଯାଏଁ ଗଜପତି ଜିଲ୍ଲା ନ୍ୟାୟାଳୟର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ଶ୍ରୀ ରାଜେଶ କୁମାର ମିଶ୍ର’ଙ୍କ ଡାକରା କ୍ରମେ ବିଭିନ୍ନ ବିଭାଗ ତଥା ବିଭିନ୍ନ ଅନୁଷ୍ଠାନର ସମାଜସେବୀ ଆଗେଇ ଆସିଥିଲେ ଜିଲ୍ଲାର ଚନ୍ଦ୍ରଗିରି-ଜିରାଙ୍ଗ ମଧ୍ୟ ଅଞ୍ଚଳରେ ଥିବା ପର୍ଯ୍ୟଟନ ସ୍ଥଳୀ ଖସଡ଼ା ଜଳପ୍ରପାତ’କୁ ସଫା କରି ସମାଜକୁ ଏକ ନିଆରା ବାର୍ତ୍ତା ଦେବା ପାଇଁ।

ପୂର୍ବ ଯୋଜନା ମୁତାବକ ସମରଝୋଳ ସ୍ଥିତ ଶଙ୍କର ଚକ୍ଷୁ ଚିକିତ୍ସାଳୟର ସହାୟତାରେ ଭୁବନେଶ୍ୱର ସ୍ଥିତ ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ସେବା ପ୍ରତିନିଧିର ମୁଖ୍ୟ ସଙ୍ଗଠକ ନୀଳମଣି ମିଶ୍ର ତଥା ଗୋପାଳପୁର ସ୍ଥିତ ଆଇ.ଆର.ଇ.ରେ କାର୍ଯ୍ୟରତ ମନୋରଞ୍ଜନ ବେହେରା ଓ ସମାଜସେବୀ ମନୋଜ ମିଶ୍ରଙ୍କ ନେତୃତ୍ୱରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳର ସ୍ବେଚ୍ଛାସେବୀ, ପାରଳାଖେମୁଣ୍ଡିସ୍ଥିତ ଅଖିଳ ଭାରତୀୟ ଯୁବାଜନ ସେବା ସମିତିର ମୁଖ୍ୟ କୁମାର ରେଡ୍ଡୀ ତଥା ଗାୟତ୍ରୀ ପରିବାରର ସନ୍ତୋଷ ଗନ୍ତାୟତଙ୍କ ନେତୃତ୍ୱରେ ଶତାଧିକ ସ୍ବେଚ୍ଛାସେବୀ ଆଜି ସକାଳେ ଖସଡ଼ା ଜଳପ୍ରପାତ ନିକଟରେ ଏକାଠି ହୋଇ ସଫେଇ କାର୍ଯ୍ୟ ଆରମ୍ଭ କରି ଜଳପ୍ରପାତ ନିକଟରେ ପଡି ରହିଥିବା ପ୍ଲାଷ୍ଟିକ ବୋତଲ , ଜରି , କାଚ ବୋତଲ , ଅଇଁଠା ଖଲି ଓ କାଗଜ , ଅଳିଆ ଆବର୍ଜନାକୁ ସଫା କରିଥିଲେ।

ପରେ ଏହି ମହତ କାମରେ ସହଯୋଗର ହାତ ବଢାଇଥିଲେ ଗଜପତି ଜିଲ୍ଲାର ଖଣି ଅଧିକାରୀ ଦିପେନ ପରିଡ଼ା , କନିଷ୍ଠ ଖଣି ଅଧିକାରୀ ବିଶ୍ଵଜିତ କୁମାର ମହନ୍ତ ଓ ମୋହନା ଥାନା ତଥା ଚନ୍ଦ୍ରଗିରି ଫାଣ୍ଡିର ଥାନାଧିକାରୀ ଇନ୍ସପେକ୍ଟର ବସନ୍ତ ସେଠୀ ଓ ସବ-ଇନ୍ସପେକ୍ଟର ସୁନୀଲ କୁମାର ସେଠୀ ଓ ବିଭାଗୀୟ କର୍ମଚାରୀ। ସମସ୍ତଙ୍କ ସହଯୋଗରେ ଆଜିର ଏହି କାର୍ଯ୍ୟକ୍ରମ ସୁଚାରୁ ରୂପେ ସମ୍ପନ୍ନ ହେବା ସହ ଉପସ୍ଥିତ ସମସ୍ତ ପର୍ଯ୍ୟଟକ ମାନଙ୍କୁ ପରିବେଶର ସୁରକ୍ଷା ପ୍ରତି ଦୃଷ୍ଟି ଦେବା ନେଇ ସଚେତନ କରା ଯାଇଥିଲା।

ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏସ. ରବି , ମାଧବ ସାସମଲ , ଶିବ ବେହେରା , ପି ଗଣେଶ ରେଡ୍ଡୀ , ମୋହନ ବେହେରା , ଦୟାନିଧି ସାହୁ , ବି ସାତେୟା , ସନାତନ ମହାରଣା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ’କୁ ସୁଚାରୁରୂପେ ପରିଚାଳିତ ଓ ସମ୍ପାଦନ କରିଥିଲେ।

———————————————

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି (ଗଜପତି)

———————————————

You may have missed