March 8, 2026

ଲେପଟାଗୁଡ଼ା ଗ୍ରାମ ପ୍ରତି ପ୍ରଶାସନର ଦୃଷ୍ଟିପଡୁ..

IMG-20250622-WA0076
Share

 

ଲାଞ୍ଜିଗଡ଼(ପୁରନ୍ଦର ଦଣ୍ଡସେନା) ଲାଞ୍ଜିଗଡ଼ ଠାରୁ ମାତ୍ର ସାତ କିଲୋମିଟର ଦୂରରେ ରହିଛି ଛତ୍ରପୁର ପଞ୍ଚାୟତର ଆଦିବାସୀ ଗ୍ରାମ ଲେପଟାଗୁଡ଼ା।ଏହି ଗ୍ରାମରେ ୭୦ ଟି ଆଦିବାସୀ ପରିବାର ବାସ କରନ୍ତି।ଅନେକ ମୌଳିକ ସୁବିଧାରୁ ସେମାନେ ବଞ୍ଚିତ।ପ୍ରଥମତଃ ଏଇ ଗାଁକୁ ଭଲ ରାସ୍ତାଟିଏ ନାହିଁ।ପ୍ରାୟ ଦୁଇ ବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅଧୀନରେ ଗ୍ରାମକୁ ରାସ୍ତା ତିଆରି ହୋଇଥିଲା।ଯେଉଁ ଠିକାଦାର ଏହାକୁ ନିର୍ମାଣ କରିଥିଲେ ତାହା ଅତି ନିମ୍ନମାନର ଥଲା। ଲୋକେ ସେମାନଙ୍କ କାର୍ଯ୍ୟ ନେଇ ଆପତ୍ତି ଉଠାଇ ଥିଲେ ମଧ୍ୟ ସେମାନେ ଶୁଣି ନ ଥିଲେ।ବରଂ ଗ୍ରାମର ନିରୀହ ଆଦିବାସୀ ମାନଙ୍କୁ ଭୟଭୀତ କରାଇଥିଲେ।ରାସ୍ତା କାମ ଏତେ ନିମ୍ନମାନର ଥିଲା ଯେ ନିର୍ମାଣର ମାତ୍ର ଏକ ମାସ ମଧ୍ୟରେ ରାସ୍ତାରୁ ପିଚୁ ଚିପ୍ସ ସବୁ ଉଠିଗଲା। ତାହା ପରେ ଆଉ ସେ ରାସ୍ତା ପ୍ରତି କେହି ନଜର ଦେଲେ ନାହିଁ।ଏବେ ସେ ରାସ୍ତାର ଅବସ୍ଥା ଏପରି ହୋଇଛି ଯେ ଗୋଟିଏ ବାଇକ ଯିବା ମଧ୍ୟ କଷ୍ଟକର ହୋଇ ପଡୁଛି।ସ୍ଥାନେ ସ୍ଥାନେ ପଥର ଗେଟି ସବୁ ଯେପରିକି ଦାନ୍ତ କାଢ଼ି କାମୁଡ଼ିବାକୁ ଡରାଉଛି। ଗାଁ କୁ ଆମ୍ବୁଲାନ୍ସ ଯାଇ ନ ପାରିବା ଯୋଗୁଁ ଗର୍ଭବତୀ ମହିଳା ଏବଂ ସାଙ୍ଘାତିକ ଅବସ୍ଥାର ରୋଗୀ ମାନଙ୍କୁ ଠିକ ସମୟରେ ଡାକ୍ତରଖାନାରେ ପହଞ୍ଚିବାରେ ଅସୁବିଧା ଯୋଗୁଁ ଅନେକ ସମୟରେ ଅଘଟଣ ଘଟିଥାଏ।ଆଜି ଯାଏଁ ଏ ଅବସ୍ଥା ଲାଗି ରହିଛି।

ଗ୍ରାମରେ ପାନୀୟ ଜଳ ସମସ୍ୟା ପ୍ରାୟତଃ ଲାଗି ରହିଛି।ସତୁରି ପରିବାର ପାଇଁ ଗୋଟିଏ ନଳକୂପ ରହିଛି।ତାହା ବି ଅନେକ ସମୟରେ ଅଚଳ ହୋଇଯାଏ।ଖରା ଦିନେ ତ ଆହୁରି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ।ଦୂଷିତ ଝରଣା ପାଣି ପିଇ ବିଭିନ୍ନ ରୋଗରେ ଆକ୍ରାନ୍ତ ହୁଅନ୍ତି ଗ୍ରାମବାସୀ। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ସମସ୍ୟାର ସମାଧାନ ହୋଇ ପାରିନାହିଁ।ଗାଁର ଯୁବକ ଯୁବତୀଙ୍କ ପାଇଁ କିଛି କାମ ନ ଥିବା ଯୋଗୁଁ ଦାଦନ ଖଟିବାକୁ ଯିବାକୁ ବାଧ୍ୟ ହେଉଛନ୍ତି।ଏଭଳି ଅନେକ ସମସ୍ୟା ଘେରରେ ଗ୍ରାମର ଲୋକେ ହନ୍ତସନ୍ତ ହେଉଛନ୍ତି।ଏହି ସବୁ ସମସ୍ୟାର ସମାଧାନ ପାଇଁ ପ୍ରଶାସନ ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବୀ ହେଉଛି।