November 22, 2024

ନିର୍ବାଚନ ତାରିଖ ଘୋଷଣା ପରେ ତିର୍ତ୍ତୋଲର ଭୋଟରମାନେ ହରଡ଼ଘଣାରେ ପଡ଼ିଛନ୍ତି….

Share

ତିର୍ତ୍ତୋଲ-ଆସନ୍ତା ଜୁନ ୧ ତାରିଖରେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ପାଇଁ ଭୋଟ ଗ୍ରହଣ କରାଯିବ ବୋଲି ଘୋଷଣା ହେବାପରେ , ବିଜେଡ଼ି, ବିଜେପି ଓ କଂଗ୍ରେସ ତିନି ପ୍ରମୁଖ ଦଳରେ ଦଳୀୟ ସମର୍ଥକ ମାନେ ହରଡ଼ଘଣାରେ ପଡିଯାଇଛନ୍ତି । ଦଳ ମଧ୍ୟରେ ଲାଗିରହିଥିବା ଗୋଷ୍ଟିକନ୍ଦଳ ରେ ଛନ୍ଦି ହୋଇପଡିଥିବା ସାଧାରଣ କର୍ମୀମାନେ ନିଜ ନିଜ ଦଳରୁ କିଏ ଦଳୀୟ ଟିକେଟ ପାଇବ , ଆଉ କାହାର ଟିକେଟ ପାଇବାର ସମ୍ଭାବନା ନାହିଁ ଏହାକୁ ନେଇ, ଚା’ଖଟିରୁ ଆରମ୍ଭ କରି ଗାଁଆ ର କ୍ଳବ୍ ଘର, ବୈଠକି ପିଣ୍ଡି ଉପରେ ଆଲୋଚନା ହେଉଥିବାର ଦେଖିବାକୁ ମିଳିଛି। କିଏ କହୁଚି, ବିଗତ ନିର୍ବାଚନରେ ତିର୍ତ୍ତୋଲ ଓ ବିରିଡ଼ି ବ୍ଲକରୁ ବିଜେଡ଼ି ପକ୍ଷରୁ ପ୍ରାର୍ଥୀ ଦିଆଯାଇଥିଲା, ତେଣୁ ଚଳିତ ନିର୍ବାଚନରେ ରଘୁନାଥପୁର ବ୍ଲକ ରୁ ଯୋଗ୍ୟପ୍ରାର୍ଥୀ ଙ୍କୁ ଦଳ ତରଫରୁ ଟିକେଟ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି। ସେହିପରି ବିଜେପି ସମର୍ଥକ ମାନେ, ପରାଜିତ ପ୍ରାର୍ଥୀଙ୍କ ସ୍ଥାନରେ ଆଉ ଜଣେ ନବାଗତ ପ୍ରାର୍ଥୀ ଙ୍କୁ ଟିକେଟ ମିଳିବାର ଆବଶ୍ୟକତା ରହିଛି ବୋଲି ଆଲୋଚନା କରୁଅଛନ୍ତି। ଅପର ପକ୍ଷରେ କଂଗ୍ରେସ ଦଳର ଯୋଗ୍ୟତମ ପ୍ରାର୍ଥୀ ଇଂ ହିମାଂଶୁ ମଲ୍ଲିକ ଙ୍କ କ୍ରମାଗତ ଦଳୀୟ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରି ଚାଲିଥିବାରୁ, ତାଙ୍କୁ ଟିକେଟ ମିଳିବାର ଅଧିକ ସମ୍ଭାବନା ରହିଛି ବୋଲି, ଦଳୀୟ ସମର୍ଥକ ମାନେ ଆଲୋଚନା କରୁଅଛନ୍ତି। ଏପରି କ୍ଷେତ୍ରରେ ପୁର୍ବତନ ମନ୍ତ୍ରୀ ସ୍ବର୍ଗତ ଲକ୍ଷ୍ମଣ ମଲ୍ଲିକଙ୍କ କନ୍ୟା ପ୍ରତିମା ମଲ୍ଲିକ ମଧ୍ୟ କଂଗ୍ରେସ ଦଳରୁ ଟିକେଟ ପାଇବା ପାଇଁ ଲବିରେ ଅଛନ୍ତି ବୋଲି ଶୁଣିବାକୁ ମିଳୁଛି। ସବୁଠୁ ବଡ଼କଥା ହେଲା ଶାସକ ବିଜେଡି ଦଳରେ ଆଶାୟୀ ପ୍ରାର୍ଥୀ ମାନଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ସାଂସଦ ଡଃ ରାଜଶ୍ରୀ ମଲ୍ଲିକ , ମହିଳା କମିଶନ ଅଧ୍ୟକ୍ଷା ଡଃ ମିନତୀ ବେହେରା , ବିଗତ ଏକ ଦଶନ୍ଧି ଧରି ନିର୍ବାଚନ ମଣ୍ଡଳୀର ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମରେ ଯୋଗଦେଇ ଆସୁଥିବା ସମାଜସେବୀ ଯୁଧିଷ୍ଠିର ସେଠୀ ଓ ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା, ଆତ୍ମା ଅଧକ୍ଷ୍ୟ ଦେବେନ୍ଦ୍ର ମଲ୍ଲିକ, ରମାକାନ୍ତ ଭୋଇ ପ୍ରମୁଖ ଏହି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଟିକେଟ ପାଇବା ପାଇଁ ଆଶାୟୀ ଥିବାବେଳେ, ବର୍ତ୍ତମାନର ବିଧାୟକ ବିଜୟ ଶଙ୍କର ଦାସ ଙ୍କ ବିରୋଧରେ ଦଳ ମଧ୍ୟରେ କେହିବି ଖୋଲାଖୋଲି ବିରୋଧ କରୁନାହାଁନ୍ତି। ଯାହାଫଳରେ ଦ୍ଵିତୀୟଥର ମଧ୍ୟ ତାଙ୍କୁ ଦଳୀୟ ଟିକେଟ ମିଳିବା ନିଶ୍ଚିତ ବୋଲି ତାଙ୍କର ସମର୍ଥକ ଯୁବନେତା ବସନ୍ତ କୁମାର ମହାପାତ୍ର, ଛାତ୍ରନେତା ବିମଳ କାନ୍ତ ମହାପାତ୍ର, ଇଂ ସୁମିତ ଦାସ ଓ ରମେଶ ଚନ୍ଦ୍ର ରାଉଳ ପ୍ରମୁଖ ଦମ୍ଭୋକ୍ତି ପ୍ରକାଶ କରୁଅଛନ୍ତି। ତେବେ ଯାହାହେଉନା କାହିଁକି ଦଳୀୟ ଟିକେଟ ମିଳିବା ନମିଳିବା କୁ ନେଇ ଦଳୀୟ ସମର୍ଥକଙ୍କ ସମେତ ସାଧାରଣ ଭୋଟରମାନେ ମଧ୍ୟ ଅଡ଼ୁଆ ସୁତାର ଖିଅ କୁ ଖୋଜି ବୁଲୁଛନ୍ତି। ଦେଖିବାକୁ ରହିଲା,କିଏ ହେବ ତିର୍ତ୍ତୋଲ ର ଭାବି ବିଧାୟକ ?

(ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ସହିତ ଶରତ କୁମାର ଦାଶ ଙ୍କ ରିପୋର୍ଟ, ନିୟୁଜ ଉପାନ୍ତ ଖବର)