ପର୍ଯ୍ୟଟନସ୍ଥଳୀ ବୁଦ୍ଧଖୋଲ ରାସ୍ତାରେ ବହୁଛି ନର୍ଦ୍ଦମା ପାଣି , ପ୍ରତିକାର ଦାବି

ବୁଗୁଡ଼ା : ତା ୨୧/୧୨/୨୫ : ଏଠାକାର ପ୍ରସିଦ୍ଧ ଐତିହାସିକ ତଥା ପର୍ଯ୍ଯଟନ ସ୍ଥଳୀ ବୁଦ୍ଧଖୋଲ ଅଭିମୁଖେ ଲମ୍ବିଥିବା ସଡ଼କର ପାର୍ଶ୍ବରେ ନିର୍ମିତ ଡ୍ରେନ ସମ୍ପୁର୍ଣ୍ଣ ପୋତି ହୋଇ ନର୍ଦ୍ଦମାର ମଇଳା ଜଳ ଓ ବର୍ଜ୍ୟବସ୍ତୁ ରାସ୍ତା ସାରା ପଡ଼ି ପୂତିଗନ୍ଧମୟ ପରିବେଶ ସୃଷ୍ଟି କରୁଛି । ସମ୍ପ୍ରତି ପର୍ଯ୍ଯଟନ ଋତୁ ଥିବାରୁ ଅନେକ ଯାନବାହାନ ବୁଦ୍ଧଖୋଲକୁ ଯାତାୟତ ହେଉଛି । ପୂତିଗନ୍ଧମୟ ପରିବେଶ ଯୋଗୁଁ ଲୋକଙ୍କ ମନରେ ଅଲଗା ପ୍ରକାର ଧାରଣା ସୃଷ୍ଟି ହେଉଛି । ରାସ୍ତାରେ ଭାସୁଥିବା ଦୁର୍ଗନ୍ଧ ପାଣିକୁ ବାଦଦେଇ ଲୋକେ ଯାତାୟତ କରୁଥିବାରୁ ସେହି ସଂକୀର୍ଣ୍ଣ ରାସ୍ତାରେ ଛୋଟମୋଟ ଦୁର୍ଘଟଣା ଘଟିବାର ସମ୍ଭାବନା ରହୁଛି । ଏଭଳି ଅବ୍ଯବସ୍ଥା ଏନ୍ଏସି ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଥିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରୁଛି। ଖାରିଆ ନାଳ ଏବଂ ଶିଶୁ ଉଦ୍ୟାନ ଅତିକ୍ରମ ପରେ ବୁଗୁଡା ଏନ୍ଏସି ଅନ୍ତର୍ଗତ ଓ୍ବାର୍ଡ ନଂ ୬ ଅନ୍ତର୍ଗତ ବୀରଧନଞ୍ଜୟପୁର ଶାସନ ରାସ୍ତାରେ ଏ ପ୍ରକାର ଦୃଶ୍ୟ ପର୍ଯଟକଙ୍କୁ ଭଲ ବାର୍ତ୍ତା ଦେଉନଥିବା ନେଇ ସାଧାରଣରେ ଆଲୋଚନା ହେଉଛି। ଏଣୁ ଏଥି ପ୍ରତି ଏନ୍ଏସି କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ପ୍ରତିକାରାତ୍ମକ ବ୍ଯବସ୍ଥା ଗ୍ରହଣ କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି।
