ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ନବାଗତଙ୍କୁ ସ୍ବାଗତ ସମ୍ବର୍ଦ୍ଧନା
ବୁଗୁଡ଼ା : ତା ୨୧/୦୮/୨୫ : ସ୍ଥାନୀୟ ପିପୁଲ୍ସ
କଲେଜର ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବପରିସରରେ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ଡ.ପୁରୁଷୋତ୍ତମ ମିଶ୍ରଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ବିଭାଗୀୟ ମୁଖ୍ୟ ଅଧ୍ୟାପିକା କ୍ରିଷ୍ଣା କୁମାରୀ ବାର୍ଗୀ , ଅଧ୍ଯାପିକା ପ୍ରତୀକ୍ଷା ସାହୁ ଓ ମଧୁସ୍ମିତା ପ୍ରଧାନ , ଡେମୋନଷ୍ଟେଟର୍ ରାମକୃଷ୍ଣ ନାୟକ ଯୋଗ ଦେଇଥିଲେ । ଏ ଅବସରରେ ନବାଗତ ଛାତ୍ରଛାତ୍ରୀମାନେ ନିଜ ନିଜର ପରିଚୟ ପ୍ରଦାନ କରିଥିଲେ ଏବଂ ଦ୍ବିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀମାନେ ନବାଗତଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ ସହ ନିଜ ଡିପାର୍ଟମେଣ୍ଟ ଓ କଲେଜର ଅନୁଶାସନ ମାନି ଚଳିବାକୁ ପରାମର୍ଶ ଦେଇଥିଲେ । ଏଥି ସହ ଅଧ୍ଯକ୍ଷ ଏବଂ ବିଭାଗୀୟ ଅଧ୍ଯାପନାକାରୀମାନେ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିବା ସହ ସେମାନଙ୍କ ଉଜ୍ଜ୍ବଳମୟ ଭବିଷ୍ୟତ କାମନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମର ପ୍ରାରମ୍ଭରେ ଛାତ୍ରୀ ଯାଜ୍ଞସେନୀ ପ୍ରଧାନ ସ୍ବାଗତ ଭାଷଣ ଓ ପ୍ରିୟାଙ୍କା ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପରିଶେଷରେ ଛାତ୍ରୀ ଶ୍ବେତାଜ୍ଞିନୀ ଖାଡ଼ଙ୍ଗା ଧନ୍ୟବାଦ ଅର୍ପଣ କରିଥିଲେ।
