October 5, 2024

ଜଙ୍ଗଲକୁ ଯାଇ ବୃଦ୍ଧ ନିଖୋଜ , ଥାନାରେ ଅଭିଯୋଗ 

Share

 

ବୁଗୁଡା : ତା ୨୧/୦୭/୨୪ : ବୁଗୁଡା ଥାନା ଅଧିନସ୍ଥ ଟଭାପଲ୍ଲୀ ଗ୍ରାମ ହରିଜନ ସାହିର ଅନ୍ତରା ନାୟକ ଗୁରୁବାର ଦିନ ଜଙ୍ଗଲକୁ ଯାଇ ଆଉ ଫେରି ନଥିବାରୁ ତାଙ୍କର ସ୍ତ୍ରୀ ଏ ନେଇ ଥାନାରେ ନିଖୋଜ ଅଭିଯୋଗ କରିଥିବା ଜଣାଯାଇଛି । ପ୍ରକାଶ ଯେ , ୬୫ ବର୍ଷୀୟ ଅନ୍ତରା ଜଙ୍ଗଲରୁ କାଠ ସଂଗ୍ରହ ଏବଂ ବିକ୍ରି କରି ଜୀବିକା ନିର୍ବାହ କରୁଥିଲେ । ସେ ଗୁରୁବାର ଦିନ କାଠ ସଂଗ୍ରହ କରିବା ପାଇଁ ଜଙ୍ଗଲକୁ ଯାଇଥିଲେ ହେଁ ଘରକୁ ଆଉ ଫେରି ନଥିଲେ । ପରିବାର ଲୋକେ ସାହିବାସିନ୍ଦାଙ୍କ ସହ ମିଶି ଜଙ୍ଗଲରେ ବହୁତ ଖୋଜାଖୋଜି ପରେ ରାସ୍ତାରେ ଅନ୍ତରା ସାଥିରେ ନେଇଥିବା ଖାଦ୍ୟ ଏବଂ ହାତରେ ଧରିଥିବା ବାଡିଟି ପଡିଥିବାର ଦେଖିବାକୁ ପାଇଥିଲେ । ଫଳରେ ଅନ୍ତରା ହିଂସ୍ରଜନ୍ତୁଙ୍କ ଆକ୍ରମଣ କିମ୍ବା ଅନ୍ୟ କୌଣସି ଅପ୍ରତ୍ୟାଶିତ ଘଟଣାର ଶିକାର ହୋଇଥିବାର ନେଇ ପରିବାର ପକ୍ଷରୁ ସନ୍ଦେହ କରାଯାଇଥିଲା । ଏ ନେଇ ପରିବାର ପକ୍ଷରୁ ବୁଗୁଡା ଥାନାରେ ଅଭିଯୋଗ କରାଯାଇଥିଲେ ହେଁ ତିନି ଦିନ ବିତିଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଅନ୍ତରାଙ୍କ କୌଣସି ସନ୍ଧାନ ମିଳିନଥିବାରୁ ଆଜି ତାଙ୍କର ସ୍ତ୍ରୀ ଥାନା ଆଗରେ ବୁକୁ ଫଟା ଚିତ୍କାର କରୁଥିବାର ଦେଖିବାକୁ ମିଳିଥିଲା । ଅନ୍ୟପକ୍ଷରେ ପୋଲିସ ମିସିଙ୍ଗ୍ କେସ୍ ନଂ ୪୮/୨୪ରେ ଏକ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ କରୁଥିବା ଜଣାଯାଇଛି ।