April 26, 2026

ତଲାରୀ କ୍ଷେତ୍ର ଗୁଣୁପୁର ରେ ରଥଯାତ୍ରା ସମ୍ପନ୍ନ

IMG-20230621-WA0024
Share

ତଲାରୀ କ୍ଷେତ୍ର ଗୁଣୁପୁର ରେ ରଥଯାତ୍ରା ସମ୍ପନ୍ନ

ଗୁଣୁପୁର,-(ସୁରେନ୍ଦ୍ର ମହାନ୍ତି )ତଲାରୀ କ୍ଷେତ୍ର ଗୁଣୁପୁର ଠାରେ ଚଳିତ ବର୍ଷ ଶ୍ରୀଜୀଉଙ୍କ ରଥଯାତ୍ରା ବେଶ ଶାନ୍ତି ଶୃଙ୍ଖଳା ର ସହ ପାଳିତ ହୋଇଛି । ପାଗ ଶୁଖିଲା ଥିବାରୁ ପ୍ରାୟ କୋଡିଏ ହଜାର ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥିଲା । ଅପରାହ୍ଣ ୩ ଟାରେ ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ବଡ଼ ଠାକୁର ବଳଭଦ୍ର, ସୁଭଦ୍ରା ଓ ଶେଷରେ କୋଟି ବ୍ରହ୍ମାଣ୍ଡ ନାୟକ ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି କରାଯାଇଥିଲା । ସୁନ୍ଦର ଟାହିୟା ସହ ସେବାୟତ ଙ୍କ ଘଣ୍ଟ ଘଣ୍ଟା ନାଦ ଓ ଜୟ ଜଗନ୍ନାଥ ଧ୍ୱନି,ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀ ଙ୍କ ନାମ ସଂକୀର୍ତ୍ତନ ରେ ଗୁଣୁପୁର ବଡଦାଣ୍ଡ ଉଛୁଳି ଉଠିଥିଲା । ଶ୍ରୀଜୀଉଙ୍କୁ ରଥାରୂଢ କରି ସାରିବା ପରେ ଅପରାହ୍ନରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ବଡ଼ ରଥକୁ ସର୍ବ ସାଧାରଣ ଜନତା ଟାଣି ନେଇ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚାଇ ଦେଇ ଥିବା ବେଳେ ସାନ ରଥ କୁ କେବଳ ମହିଳା ମାନେ ଟାଣିଥିଲେ । ସୂଚନା କେନ୍ଦ୍ର ରୁ ଜଗନ୍ନାଥ କଥା ସଂସ୍କୃତି ର ତତ୍ତ୍ୱ ଓ ତଥ୍ୟ ଭିତ୍ତିକ ଧାରାବିବାରଣୀ ପ୍ରାଧ୍ୟାପକ ତଥା ଗବେଷକ ଡ଼ କୃଷ୍ଣଚନ୍ଦ୍ର ପଣ୍ଡା ଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା । ସେହିପରି ଗୁଣୁପୁର ର ବିଭିନ୍ନ ସେବା ସଙ୍ଗଠନ ପକ୍ଷରୁ ପାନୀୟ ଜଳ, ପଣା, ସରବତ ଓ ଅନ୍ନ ଭୋଜନ ବ୍ୟବସ୍ଥା କରାଯାଇଥିଲା । ସ୍ଥାନୀୟ ପୁଲିସ ପକ୍ଷରୁ ଟ୍ରାଫିକ ଓ ଶାନ୍ତି ଶୃଙ୍ଖଳା ରକ୍ଷା କାର୍ଯ୍ୟ ସୁଚାରୁରୂପେ କରାଯାଇଥିଲା । ଦେବତ୍ତୋର ବିଭାଗ ଓ ମନ୍ଦିର ପରିଚାଳନା କମିଟି ପକ୍ଷରୁ ରଥଯାତ୍ରା ସୁପରିଚାଳନା କରାଯାଇଥିଲା । ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ନଗର ବିଜେଡି ସଭାପତି ରାମଚନ୍ଦ୍ର ପଣ୍ଡା, ବ୍ଲକ୍ ବିଜେଡି ସଭାପତି ଭାଷା ଶତପଥୀ, ବିଜେପି ନେତା Y ଗଣପତି, ଉପଜିଲ୍ଲାପାଳ ଲଳିତ କହଁର, ତହସିଲଦାର ଶରତ ଚନ୍ଦ୍ର ନାୟକ, ଡ଼ ଚନ୍ଦ୍ରଧ୍ୱଜ ପଣ୍ଡା,ପୌର ପରିଷଦ ଅଧ୍ୟକ୍ଷା ମମତା ଗୌଡ଼, ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼,ଅକ୍ଷୟ ଦାଶ, ତ୍ରିପତି ମହାନ୍ତି,ପ୍ରାଧ୍ୟାପକ ଡ଼ ସୂର୍ଯ୍ୟ ନାରାୟଣ ପଣ୍ଡା, ଡ଼ ଜବାହରଲାଲ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ । ଆଜିଠାରୁ ଗୁଣ୍ଡିଚା ମନ୍ଦିରରେ ଶ୍ରୀଜୀଉଙ୍କ ଜୟଦେବଙ୍କ ରଚିତ ଗୀତଗୋବିନ୍ଦ ଅନୁସାରେ ଦଶବତାର ବେଶ ପର୍ଯ୍ୟାୟ କ୍ରମେ ଅନୁଷ୍ଠିତ ହେବ ।