April 28, 2026

ଅକ୍ଷୟତୃତୀୟା ଠାରୁ ଝଙ୍କଡ଼ ସାରଳା ଙ୍କ ଚନ୍ଦନଯାତ୍ରା ର ଶୁଭାରମ୍ଭ

IMG-20260421-WA0008
Share

        ପବିତ୍ର ଅକ୍ଷୟ ତୃତୀୟା ଠାରୁ ବାଣୀକ୍ଷେତ୍ର ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କର ଦୀର୍ଘ ଏକୋଇଶି ଦିନ ବ୍ୟାପି ରମଣୀୟ ଚନ୍ଦନ ଯାତ୍ରା ର ଶୁଭାରମ୍ଭ ହୋଇଯାଇଛି l ଏହି ଉପଲକ୍ଷେ ସ୍ୱତନ୍ତ୍ର ନୀତିଭାବେ, ଭିତର ଚନ୍ଦନ ବା ମାଆଙ୍କୁ ଚନ୍ଦନଲାଗି କରାଯାଇଥିଲା l ମାଆଙ୍କ ବଡ଼ପଣ୍ଡା ସିଂହାସନ ଉପରେ ମାଆଙ୍କୁ ସୁଗନ୍ଧିତ ଚନ୍ଦନ ଲାଗି କରିବା ସମୟରେ ପରିଛା ଚାମର ସେବା କରିଥିବାବେଳେ ସେବାୟତ ମାନେ ଆଲଟ ସେବା କରିବା ସହିତ ପାରମ୍ପରିକ ସେବାଗୀତି ଗାନ କରିଥିଲେ l ପଖାଉଜ, ଗିନି, ଝାଞ୍ଜ, କରତାଳି ଓ ହରିବୋଲ ହୁଳହୁଳି ଧ୍ଵନିମଧ୍ୟରେ ମଝିଦେଉଳ ର ଗର୍ଭଗୃହ ପ୍ରକମ୍ପିତ ହୋଇଥିବାବେଳେ, ସୁବାସିତ ଚନ୍ଦନ ର ମହମହ ବାସରେ ଶ୍ରଦ୍ଧାଳୁଭକ୍ତ ମାନେ ବିମୋହିତ ହୋଇଉଠିଥିଲେ l ମାଆଙ୍କୁ ପ୍ରୀତିଅନ୍ନ ନୈବେଦ୍ୟ ଅର୍ପଣ ଓ ଦ୍ୱିତୀୟପ୍ରହର ଧୂପ ପରେ, ମାଆଙ୍କ ଚଳନ୍ତି ପ୍ରତିନିଧି ବିଜେପ୍ରତିମା ଙ୍କୁ ଏକ ବର୍ଣ୍ଣାଢ୍ୟ ପଟୁଆର କରି ବେଢା ପରିକ୍ରମା କରାଯିବାପରେ, ମଣିମୟ ବିମାନ ଆରୋହଣ କରାଯାଇ ଶୋଭାଯାତ୍ରା ରେ ନିଆଯାଇ ଚାପକୁ ବିଜେ କରାଯାଇଥିଲା l ସେବାୟତ ମାନଙ୍କ ସେବାଗୀତି ଗାନ ଓ ଘଣ୍ଟ ଘଣ୍ଟା, କାହାଳି, ପଖାଉଜ ର ଧ୍ଵନିମଧ୍ୟରେ ଏକଭେରା ଚାପଖେଳ ବା ନୌକାବିହାର ଅନୁଷ୍ଠିତ ହୋଇଥିଲା l ତେବେ ପ୍ରଥମଦିନ ଏକଭେରା ଦ୍ୱିତୀୟଦିନ ଦୁଇଭେରା ଏଇ କ୍ରମରେ ଏକୋଇଶିଦିନ ଏକୋଇଶି ଭେରା ଚାପଖେଳ ର ପରମ୍ପରା ଏଠାରେ ପ୍ରଚଳିତ ହୋଇଆସୁଅଛି l ଅନ୍ୟାନ୍ୟ ଦେବଦେବୀ ଙ୍କ ପୀଠରେ ଦିନକୁ ଗୋଟିଏ ଥର ଚାପଖେଳ ହେଉଥିବାବେଳେ ମାସାରଳା ଙ୍କ ପୀଠରେ ଦିବାରାତ୍ର ଚାପଖେଳ ର ପରମ୍ପରା ପ୍ରଚଳିତ ହୋଇ ଆସୁଅଛି l ଚାପଖେଳ ସରିବା ପରେ ମାଆଙ୍କୁ ସୁବାସିତ ଜଳାଭିଷେକ କରାଯାଇଥିଲା l ଅପରାହ୍ନ ରେ ମାର୍ଜନା, ଅଭିନଵବେଶରେ ମାଆଙ୍କୁ ସଜ୍ଜିତ କରାଯାଇଥିଲାବେଳେ ସନ୍ଧ୍ୟାରେ ଆଳତୀ ଓ ତାଟଭୋଗ ପୂଜା ପରେ ରାତ୍ର ନଅଟା ବେଳେ ପୁନଃଶ୍ଚ ଚାପଖେଳ ସାରି, ବର୍ଣ୍ଣାଢ୍ୟ ପଟୁଆର ମଧ୍ୟରେ ଠାକୁରାଣୀ ସ୍ୱପୀଠ କୁ ଫେରିଆସିବା ପରେ ବୈଷ୍ଣବ ମାନଙ୍କ ଦ୍ୱାରା ଗୀତିଗୋବିନ୍ଦ ଗାନ କରାଯାଇଥିଲା l ନବପତ୍ରିକା ଠାରୁ ସ୍ୱପୀଠ କୁ ଫେରିବା ପରେ ନାଟ୍ୟମଣ୍ଡପ ପାର୍ଶ୍ଵସ୍ଥ ବୃନ୍ଦାବତୀ ମଣ୍ଡପ ରେ କିଛିସମୟ ପାଇଁ ମାଆଙ୍କୁ ଅବସ୍ଥାନ କରାଯାଇଥିବା ପରେ ଶାସ୍ତ୍ରୀୟ ଓଡିଶୀନୃତ୍ୟ ଓ ଗୋଟିପୁଅ ନାଚ ପରିବେଷଣ କରାଯିବାର ଵିଧିବ୍ୟବସ୍ଥା ରହିଅଛି lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର