May 19, 2024

ଲିଜ୍ ନଥାଇ ଚାଲିଛି ବେଆଇନ ବ୍ଲାଷ୍ଟିଂ , ସଙ୍କଟରେ ପଶୁପକ୍ଷୀଙ୍କ ସୁରକ୍ଷା , ସାଧାରଣରେ ପ୍ରତିକାର ଦାବି

Share

ବୁଗୁଡ଼ା : ତା ୨୧/୦୪/୨୪ : କୌଣସି ଲିଜ୍ ନଥାଇ ପାହାଡ଼ରେ ବେଆଇନ ବ୍ଲାଷ୍ଟିଂ ଚାଲୁଛି ଏବଂ ପ୍ରତିଦିନ ଟ୍ରିପ ଟ୍ରିପ ପଥର ବୁହା ହେଉଛି l ବେଆଇନ ଭାବେ ଏମିତି କାମ ବୁଗୁଡ଼ା ବ୍ଲକ ମାଣିତରା ଗ୍ରାମ ନିକଟରେ ଥିବା ଭାଲୁ ପାହାଡ଼ରେ ଚାଲିଛି l ଏହି ପାହାଡ଼ କାହାକୁ ଲିଜ ଦିଆ ଯାଇନଥିଲେ ମଧ୍ୟ ମାଫିଆ ଗୋଷ୍ଠୀ ଏଠାରେ ବେଆଇନ ବ୍ଲାଷ୍ଟିଂ କରି ଟ୍ରାକ୍ଟରରେ ପଥର ଚାଲାଣ କରୁଥିବା ଦେଖିବାକୁ ମିଳିଛି l ଉକ୍ତ ପାହାଡ଼ରେ ବହୁ ସଂଖ୍ୟକ ମୟୁର ରହୁଥିବାରୁ ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ପାହାଡ଼ ଲିଜ ଦିଆଯାଉନଥିବା ବେଳେ ଏହାର ସୁଯୋଗ ନେଇ ମାଫିଆମାନେ ବେଆଇନ ଭାବେ ପଥର ବ୍ଲାଷ୍ଟିଂ କରି ଚୋରା ଚାଲାଣ କରୁଥିବା ଅଭିଯୋଗ ହୋଇଛି l ବାରମ୍ବାର ଅଭିଯୋଗ କଲେ ମଧ୍ୟ ଠିକ୍ ସମୟରେ ପୋଲିସ କିମ୍ବା ପ୍ରଶାସନ ପହଞ୍ଚୁ ନଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି l ଏଇ କିଛି ଦିନ ତଳେ ଏହି ପାହାଡ଼ରୁ ପଥର ଚୋରା ଚାଲାଣ ବେଳେ ବୁଗୁଡ଼ା ପୋଲିସ ଗୋଟିଏ ଟ୍ରାକ୍ଟରକୁ ଜବତ କରିଥିଲା । ତେବେ ପରବର୍ତ୍ତୀ ସମୟରେ ଫାଇନ ଆଦାୟ କରି ଉକ୍ତ ଟ୍ରାକ୍ଟରଟିକୁ ଛାଡି ଦିଆଯାଇଥିଲା l ପୂର୍ବରୁ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରୁ ବେଲଚା, କଡେଇ ଆଦି ଜବତ କରିଥିବା ବେଳେ ଆଜି ସକାଳେ ବନ ବିଭାଗ ଓ ତହସିଲ କର୍ମଚାରୀ ମିଳିତ ଭାବେ ଯାଇ ଚଡାଉ କରିଥିଲେ ହେଁ ପୂର୍ବ ସୂଚନା ପାଇ ମାଫିଆମାନେ ଚମ୍ପଟ ମାରିଥିଲେ । ଫଳରେ ସେଠାରେ ପଡ଼ିଥିବା ଗୋଟିଏ ଟ୍ରାକ୍ଟର ଟାୟାର ପୋଡି ନଷ୍ଟ କରିବା ଛଡା ଆଉ କିଛି କରି ପାରିନଥିଲେ ବୋଲି ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ର କହିଥିଲେ l ମାଇନିଙ୍ଗ ବିଭାଗ ଅଧୀନରେ ଆସୁଥିବା ଉକ୍ତ ପାହାଡ଼ର ସୁରକ୍ଷା ପାଇଁ ମାଇନିଙ୍ଗ ବିଭାଗର କୌଣସି ଅଧିକାରୀ କିମ୍ବା କର୍ମଚାରୀ ବୁଗୁଡ଼ାରେ ରହୁ ନଥିବାରୁ ମାଫିଆମାନେ ସକ୍ରିୟ ହୋଇ ଉଠୁଥିବା ଅଭିଯୋଗ ହେଉଛି l ହଜାର ହଜାର ସଂଖ୍ୟାରେ ମୟୁର ବାସ କରୁଥିବା ଏହି ପାହାଡ଼ରେ ବେଆଇନ ବ୍ଲାଷ୍ଟିଂ ଯୋଗୁଁ ପଶୁପକ୍ଷୀଙ୍କ ଜୀବନ ପ୍ରତି ବିପଦ ଦେଖା ଦେଇଛି ଏବଂ ପ୍ରଚଣ୍ଡ ଶବ୍ଦ ଯୋଗୁଁ ଭୟରେ ମୟୁରମାନେ ଉକ୍ତ ସ୍ଥାନ ଛାଡି  ଚାଲିଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି l ଏଥିପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି l