ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢ଼ାଉ, ୧କୁଇଣ୍ଟାଲ ୩୧କିଲୋ ଗଞ୍ଜେଇ ଜବତ, ୯ ଗିରଫ

ବାଲେଶ୍ୱର: ବାଲେଶ୍ୱର ଜିଲା ଅବକାରୀ ବିଭାଗ ପକ୍ଷରୁ ଗୁରୁବାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୧କୁଇଣ୍ଟାଲ ୩୧ କିଲୋ ୫ଶହ ଗ୍ରାମ୍ ଗଞ୍ଜେଇ ଜବତ କରାଯାଇଛି । ଏଥିସହ ୯ଜଣ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିବାରେ ସଫଳ ହୋଇଛି ଅବକାରୀ ବିଭାଗ । ଏହି ଘଟଣାରେ ଭିନ୍ନ ଭିନ୍ନ ମାମଲା ରୁଜୁ କରି ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ବାଲେଶ୍ୱର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଅବକାରୀ ଅଧୀକ୍ଷକ ମନୋଜ କୁମାର ସେଠୀଙ୍କ ତତ୍ତ୍ୱାବଧାନରେ ଜିଲା ଭ୍ରାମ୍ୟମାଣ ଅବକାରୀ ଆଇଆଇସି ହରିହର ସିଂହ, ଏସ୍ଆଇ ଭକ୍ତ ଚରଣ ସ୍ୱାଇଁ, ସଦର ଆଇଆଇସି ଦୀପ୍ତିମୟୀ ସାହୁ, ଓଆଇସି ପ୍ରଜ୍ଞା ପ୍ରିୟା ନାୟକ, ନୀଳଗିରି ଆଇଆଇସି କେଶବ ଦାସ, ଓଆଇସି ଜଗନ୍ନାଥ ବେହେରା, ଖଇରା ଓଆଇସି ସୁରଜ କୁମାର ଟିଗା, ଭୋଗରାଇ ଓଆଇସି ଚନ୍ଦନ କୁମାର ନାୟକଙ୍କ ସମେତ ୧୫ଜଣିଆ ଟିମ୍ ଜିଲ୍ଲାର ବିଭିନ୍ନ ବସ୍ଷ୍ଟାଣ୍ଡରେ ଚଢ଼ାଉ କରିଥିଲେ। ପଶ୍ଚିମବଙ୍ଗକୁ ବସ୍ ଯୋଗେ ବ୍ୟବସାୟୀମାନେ ଗଞ୍ଜେଇ ଚାଲାଣ କରୁଥିବା ଖବରପାଇ ବାଲେଶ୍ୱର ସଦର ଥାନା କୁରୁଡ଼ା ଛକ ନିକଟରୁ କଟକ ଜିଲ୍ଲା ସଦର ଥାନା ଅଞ୍ଚଳର ଶୁଭକାନ୍ତ ସାହୁଙ୍କୁ ଗିରଫ କରାଯିବା ସହ ତାଙ୍କ ଠାରୁ ୨୨କେଜି ଗଞ୍ଜେଇ ଜବତ କରାଯାଇଥିଲା । ସେହିପରି ବସ୍ତା ବସ୍ଷ୍ଟାଣ୍ଡରୁ ପଶ୍ଚିମବଙ୍ଗ ତେହାଟ ଥାନା ବାହାଦୁରପୁର ଗ୍ରାମର ଆସ୍ରଫୁଲ ମଣ୍ଡଳ ଓ କନ୍ୟାନଗର ଗ୍ରାମର ଅବଦୁଲ ରହିମ୍ଙ୍କୁ ଗିରଫ କରାଯାଇ ସେମାନଙ୍କ ନିକଟରୁ ୨୪ କେଜି, ଭୋଗରାଇ ଥାନା ଚନ୍ଦନେଶ୍ୱର ବସ୍ଷ୍ଟାଣ୍ଡର ଠାରୁ ପଶ୍ଚିମବଙ୍ଗ ମନ୍ଦିରବଜାର ଥାନା ବୃନ୍ଦାବନପୁର ଅଞ୍ଚଳର ତାପସ ଅଧିକାରୀ ଓ ଉସ୍ତି ଥାନା ନଜାରା ଅଞ୍ଚଳର ଅବଦୁଲ ରସିଦ ପିଆଦାଙ୍କ ଠାରୁ ୨୨କେଜି, ସିମୁଳିଆ ଥାନା ମାର୍କୋଣା ବସ୍ଷ୍ଟାଣ୍ଡରୁ ତେହାଟ ଥାନା କନାଇନଗର ଅଞ୍ଚଳର ସାହାବୁଦ୍ଦିନ ମଣ୍ଡଳଙ୍କ ଠାରୁ ୧୮କେଜି ୫ଶହ, ଖନ୍ତାପଡ଼ା ଥାନା ସେରଗଡ଼ ନିକଟରୁ କ୍ରୀଷ୍ଣାଗଞ୍ଜ ଥାନା ଡଙ୍ଗାଘାଟ ଅଞ୍ଚଳର ବିଶ୍ୱଜିତ ଦାସ ଓ ନଘାଟା ଅଞ୍ଚଳର ସମିର ଦେବନାଥଙ୍କ ଠାରୁ ୨୨କେଜି, ନୀଳଗିରି ଥାନା ବାଲିଗୋହିରି ଛକ ନିକଟରୁ ବର୍ଦ୍ଧମାନ ଥାନା ହରିନାରାୟଣପୁର ଅଞ୍ଚଳର ରବିଲାଲ ମୁର୍ମୁଙ୍କୁ ଗିରଫ କରାଯିବା ସହ ତାଙ୍କ ଠାରୁ ୨୩କେଜି ଗଞ୍ଜେଇ ଜବତ କରାଯାଇଥିଲା ।
ବାଲେଶ୍ଵର ରୁ ଶେଖ୍ ହାଜୀମ