April 24, 2026

ଉମରକୋଟ କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ୨୦ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ……..

IMG-20260121-WA0077
Share

 

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଚାଷୀ ଆୟ ବୃଦ୍ଧି, ନୂତନ ପ୍ରଯୁକ୍ତି ଓ ପରିବେଶ ସନ୍ତୁଳିତ କୃଷି ପ୍ରଣାଳୀ ଉପରେ ଗୁରୁତ୍ୱ

ଉମରକୋଟ- ଉମରକୋଟ କୃଷି ବିଜ୍ଞାନ କେନ୍ଦ୍ର (କେଭିକେ) ପକ୍ଷରୁ ୨୦ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ କେନ୍ଦ୍ରର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ଭୁବନେଶ୍ବର ଡିନ୍ ପ୍ରଫେସର ଡଃ ପ୍ରସନ୍ନଜୀତ ମିଶ୍ର ଆଭାସୀ ମାଧ୍ୟମରେ ଅଧ୍ଯକ୍ଷତା କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ଭୁବନେଶ୍ବର କୃଷି ଓ ଅର୍ଥନୀତି ବିଭାଗ ପ୍ରଫେସର ଡଃ ସର୍ବ ନାରାୟଣ ମିଶ୍ର ଯୋଗଦେଇଥିଲେ। ବିଶିଷ୍ଟ ଅତିଥି ଭାବେ ଓୟୁଏଟି ଭୁବନେଶ୍ବର କୃଷି ସମ୍ପ୍ରସାରଣ ନିର୍ଦ୍ଦେଶାଳୟର ଉପ ନିର୍ଦ୍ଦେଶକ ଡଃ ସନତ କୁମାର ଦ୍ବିବେଦୀ, ଆରଆରଟିଟିଏସ୍ଏସ୍ ସେମିଳିଗୁଡା କୋରାପୁଟ ର ଏଡିଆର୍ ଡଃ ପର୍ଶୁରାମ ଶୀଆଲ, ଉମରକୋଟ ଆରଆରଟିଟିଏସ୍ଏସ୍ ଭାରପ୍ରାପ୍ତ ଅଧିକାରୀ ଡଃ ବିମାନ ରଞ୍ଜନ ବେହେରା, ଏଚ୍ଆରଆରଏସ୍ ଜୟପୁର ଭାରପ୍ରାପ୍ତ ଅଧିକାରୀ ଡଃ ମିହିର ରଞ୍ଜନ ମହାନ୍ତି ,ମାଲକାନଗିରି କୃଷି ବିଜ୍ଞାନ କେନ୍ଦ୍ର ବରିଷ୍ଠ ବୈଜ୍ଞାନିକ ଡଃ ଦେବୀ ପ୍ରସାଦ ଦାସ ଯୋଗଦେଇଥିଲେ। ଉମରକୋଟ କୃଷି ବିଜ୍ଞାନ କେନ୍ଦ୍ର ବରିଷ୍ଠ ମୁଖ୍ୟ ବୈଜ୍ଞାନିକ ଡଃ ଶଶାଙ୍କ ଲେଙ୍କା କାର୍ଯ୍ୟକ୍ରମ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିବାବେଳେ ବୈଠକରେ କୃଷି, ପଶୁପାଳନ, ମାଛଚାଷ, ଉଦ୍ୟାନ କୃଷି,କୃଷି ବିସ୍ତାର ସେବା ସହିତ ସଂପୃକ୍ତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ବୈଜ୍ଞାନିକ, ବିଶେଷଜ୍ଞ ଓ ପ୍ରଗତିଶୀଳ ଚାଷୀମାନେ ଉପସ୍ଥିତ ଥିଲେ। ବୈଠକର ଆରମ୍ଭରେ କେଭିକେର ପୂର୍ବବର୍ଷର କାର୍ଯ୍ୟକଳାପ, ପ୍ରଶିକ୍ଷଣ କାର୍ଯ୍ୟକ୍ରମ, କ୍ଷେତ୍ରସ୍ତରୀୟ ପ୍ରଦର୍ଶନୀ ଓ ଚାଷୀମାନଙ୍କ ମଧ୍ୟରେ ନୂତନ ପ୍ରଯୁକ୍ତି ପ୍ରଚାରର ଉପଲବ୍ଧି ସମ୍ପର୍କରେ ବିସ୍ତୃତ ସମୀକ୍ଷା କରାଯାଇଥିଲା। ଫସଲ ଉତ୍ପାଦନ ବୃଦ୍ଧି, ଖର୍ଚ୍ଚ କମାଇ ଲାଭ ବଢ଼ାଇବା ଓ ବଜାର ସଂଯୋଗକୁ ଶକ୍ତ କରିବା ଉପରେ ବିଶେଷ ଆଲୋଚନା ହୋଇଥିଲା। ଚଳିତ ଓ ଆଗାମୀ କୃଷି ବର୍ଷ ପାଇଁ କୃଷି କାର୍ଯ୍ୟଯୋଜନା ପ୍ରସ୍ତୁତି ସହ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ମୁକାବିଲା କରିବା ପାଇଁ ପରିବେଶ ସନ୍ତୁଳିତ କୃଷି ପ୍ରଣାଳୀ ଗ୍ରହଣ କରିବାକୁ ଉପଦେଷ୍ଟା ମଣ୍ଡଳୀ ପରାମର୍ଶ ଦେଇଥିଲେ। ସଂଯୁକ୍ତ କୃଷି ପ୍ରଣାଳୀ, ପ୍ରାକୃତିକ କୃଷି, ଜଳ ସଞ୍ଚୟ, ମାଟି ସ୍ୱାସ୍ଥ୍ୟ ପରୀକ୍ଷା ଓ ଡିଜିଟାଲ୍ କୃଷି ସେବାକୁ ଅଧିକ ପ୍ରୋତ୍ସାହନ ଦେବା ଉପରେ ଜୋର ଦିଆଯାଇଥିଲା।

ଏହା ସହିତ ଚାଷୀମାନଙ୍କୁ ସିଧାସଳଖ ଲାଭ ଦେଇପାରୁଥିବା ନୂତନ ବିଜ, ଉନ୍ନତ ଚାଷ ପ୍ରଣାଳୀ, ପଶୁପାଳନ ଓ ମାଛଚାଷର ଆଧୁନିକ ପଦ୍ଧତି ନେଇ କ୍ଷେତ୍ରସ୍ତରୀୟ ପ୍ରଦର୍ଶନୀ ବଢ଼ାଇବା ପାଇଁ ନିଷ୍ପତ୍ତି ହୋଇଥିଲା। ଯୁବ ଚାଷୀ ଓ ମହିଳା ଚାଷୀଙ୍କୁ ସ୍ୱୟଂରୋଜଗାର ସହିତ ଜୋଡ଼ିବା ପାଇଁ ବିଶେଷ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ଘୋଷଣା ହୋଇଥିଲା।

ବୈଠକ ଶେଷରେ କେଭିକେ ଓ ବିଭିନ୍ନ ସରକାରୀ ବିଭାଗ ମଧ୍ୟରେ ସମନ୍ୱୟ ବଢ଼ାଇ ଚାଷୀମୁଖୀ କାର୍ଯ୍ୟକ୍ରମକୁ ଗତିଶୀଳ କରିବା ଉପରେ ସମ୍ମତି ପ୍ରକାଶ ପାଇଥିଲା। ଏହି ବୈଠକ ଆଗାମୀ ଦିନରେ କୃଷି ଉନ୍ନତି ଓ ଚାଷୀଙ୍କ ଆର୍ଥିକ ସୁଦୃଢତା ପାଇଁ ଏକ ମାଇଲସ୍ଟୋନ୍ ହେବ ବୋଲି ଆଶା ପ୍ରକାଶ କରାଯାଇଛି। ଚଳିତ ବର୍ଷର କୃଷି କାର୍ଯ୍ୟଯୋଜନା, ନୂତନ ପ୍ରଯୁକ୍ତିର ପ୍ରୟୋଗ, ଚାଷୀଙ୍କ ଆୟ ବୃଦ୍ଧି ଓ ସ୍ଥାନୀୟ ସମସ୍ୟାର ସମାଧାନ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ବୈଠକ ଶେଷରେ ଆଗାମୀ ଦିନରେ କେଭିକେ ମାଧ୍ୟମରେ ଚାଷୀମାନଙ୍କ ପାଇଁ ଅଧିକ ପ୍ରୟୋଗମୂଳକ ପ୍ରଦର୍ଶନୀ ଓ କ୍ଷେତ୍ରସ୍ତରୀୟ ପ୍ରଶିକ୍ଷଣ ଆୟୋଜନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଏଥିରେ କେଭିକେ ର ବୈଜ୍ଞାନିକ ଡଃ ପରିତୋଷ ମୁର୍ମୁ, ରୁଦ୍ର ପ୍ରସନ୍ନ ମହାଳିକ, ବୀଣାପାଣି ତରିଆ, କୃଷି ଯନ୍ତ୍ରପାତି ଯନ୍ତ୍ରୀ ଇଞ୍ଜିନିୟର ସ୍ଵାଗତିକା ମଲ୍ଲିକ ପ୍ରମୁଖ ଯୋଗଦେଇ ପରିଚାଳନା କରିଥିଲେ। ଏହି ଅବସରରେ କୃଷି ସୂଚନା ସମ୍ପର୍କୀତ ପତ୍ରିକା ସବୁଜ ସାଥି ସହ ଅନ୍ୟ କୃଷି ଭିତ୍ତିକ ପୁସ୍ତକ ଉନ୍ମୋଚନ ହୋଇଥିଲା। ପରିଶେଷରେ କିଛି ସଫଳ ଚାଷୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।