April 28, 2026

ବୁଗୁଡ଼ାରେ ଘନ ଘନ ସାଇକେଲ ଚୋରି , ସ୍ଥାନୀୟ ପୋଲିସ ଚୋରକୁ ପାରୁନି ଧରି , ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି 

IMG-20260121-WA0046
Share

 

ବୁଗୁଡ଼ା : ତା ୨୧/୦୧/୨୬ : ବୁଗୁଡ଼ା ପୋଲିସ ଥାନା ଅଞ୍ଚଳରେ ସାଇକେଲ ଚୋରି ଏକ ସାଧାରଣ ଘଟଣା ପାଲଟିଥିବା ବେଳେ ଚୋରିକୁ ପ୍ରତିହତ କରିବା କ୍ଷମତା କୁଆଡେ ପୋଲିସ ପାଖରେ ନଥିବା ନେଇ ସାଧାରଣରେ ସମାଲୋଚନାମୂଳକ ଚର୍ଚ୍ଚା ଜୋର ଧରିଛି । ପୋଲିସର ନିଷ୍କ୍ରିୟତାର ସୁଯୋଗ ନେଇ ସକ୍ରିୟ ଥିବା ସାଇକେଲ ଚୋରଙ୍କ ଅଭିଯାନ ଏବେ ସହରାଞ୍ଚଳରେ ବୃଦ୍ଧି ପାଇଛି । ବୁଗୁଡା ସହରର ବିଭିନ୍ନ ମାର୍କେଟ୍ କମ୍ପ୍ଲେକ୍ସ ଏବଂ କୋଚିଂ ସେଣ୍ଟର ଆଦି ସ୍ଥାନରୁ ଅନେକ ସାଇକେଲ ଚୋରି ହୋଇଥିଲା ବେଳେ ଏଇ କିଛି ଦିନ ହେଲା କାଦପଡା ଗ୍ରାମର +୨ ଛାତ୍ରୀ ସପନା ସ୍ବାଇଁଙ୍କ ସାଇକେଲଟି ଷ୍ଟେଟ ବ୍ୟାଙ୍କ ସମ୍ମୁଖରୁ ଏବଂ ଗୋଳାବନ୍ଧ ଗ୍ରାମର ପିଙ୍କି ଭୂୟାଁଙ୍କ ସାଇକେଲଟି ବ୍ଲକ ଛକରୁ ଚୋରି ହୋଇ ଯାଇଛି। ସେହିପରି କଣଛାଇ ଗ୍ରାମର ଶିବାନୀ ବିଷୋୟୀଙ୍କ ସାଇକେଲଟି ବୁଗୁଡା ବଜାରରୁ ଚୋରି ହୋଇଯାଇଥିବା ବେଳେ ନାରାୟଣ ଜେନାଙ୍କ ସାଇକେଲଟି ଏକ ଡ୍ରାଇଫୁଡ୍ ଦୋକାନ ସମ୍ମୁଖରୁ ଚୋରି ହୋଇଯାଇଛି। ଅନ୍ୟପକ୍ଷରେ ନିରଞ୍ଜନ ମହାରଣାଙ୍କ ବୁଲେଟ୍ ଗାଡିଟି ନୃସିଂହ ମନ୍ଦିର ସାହିରୁ ତାଙ୍କର ଶଶୁର ଘର ସାମ୍ନାରୁ ଗତ ୧୧ ତାରିଖ ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି। ପ୍ରକାଶ ଯୋଗ୍ୟ ଯେ , ସ୍ଥାନୀୟ ପୋଲିସର ଅପାରଗତାରୁ ବୁଗୁଡା ସହରରେ ସାଇକେଲ ଚୋରି ଏକ ସାଧାରଣ ଘଟଣା ପାଲଟିଥିବା ବେଳେ ଲୋକଙ୍କ ମଧ୍ୟରେ ପୋଲିସ ପ୍ରତି ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ କେତେକ ସାଇକେଲ ଚୋରି ଘଟଣାର ଦୃଶ୍ୟ ମଧ୍ୟ ସିସିଟିଭି କ୍ୟାମେରାରେ ରହିଥିଲେ ମଧ୍ଯ ଚୋରକୁ ଧରିବା କ୍ଷମତା ସ୍ଥାନୀୟ ପୋଲିସର ନାହିଁ ବୋଲି ସାଧାରଣରେ ଆଲୋଚନା ହେଉଛି । ସଂପ୍ରତି ସହରରେ ସାଇକେଲ ଚୋରଙ୍କ ସକ୍ରିୟତା ଏବଂ ପୋଲିସର ନିଷ୍କ୍ରିୟତା ଯୋଗୁଁ ଲୋକଙ୍କ ମଧ୍ୟରେ ଭାଳେଣି ପଡିଯାଇଛି । ତେବେ ବୁଗୁଡା ଅଞ୍ଚଳରେ ଜାରି ରହିଥିବା ଏଭଳି ଘନ ଘନ ସାଇକେଲ ଚୋରି ଭଳି ଅପରାଧିକ ଘଟଣାକୁ ପ୍ରତିହତ କରିବା ଦିଗରେ ପୋଲିସ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦୃଢ ଦାବି ହେଉଛି