ପୂର୍ବତନ ବିଧାୟକ ଜର୍ଜ ତିର୍କିଙ୍କ ଦେହାବସାନରେ ଟ୍ରେଡ୍ ୟୁନିଅନ୍ ନେତା ତଥା ‘ନବୀନ’ର ସମ୍ପାଦକ ରବି ରଥଙ୍କ ଶୋକ
ଭୁବନେଶ୍ୱର, ୨୦ ସେପ୍ଟେମ୍ବର ୨୦୨୫: ବିଶିଷ୍ଟ ଶ୍ରମିକ ତଥା ଆଦିବାସୀ ନେତା ଏବଂ ପୂର୍ବତନ ବିରମିତ୍ରପୁର ବିଧାୟକ ଶ୍ରୀ ଜର୍ଜ ତିର୍କିଙ୍କ ଦେହାବସାନରେ ଓଡ଼ିଆ ସାପ୍ତାହିକ ‘ନବୀନ’ ର ସମ୍ପାଦକ ତଥା ଅଗ୍ରଣୀ ଟ୍ରେଡ୍ ୟୁନିଅନ୍ ନେତା ରବି ରଥ ଗଭୀର ଶୋକ ପ୍ରକାଶ କରିଛନ୍ତି।
ଶ୍ରୀ ରଥ କହିଛନ୍ତି ଯେ, “ଶ୍ରୀ ତିର୍କି ସମତା କ୍ରାନ୍ତି ଦଳର ରାଜ୍ୟ ଅଧ୍ୟକ୍ଷ ଥିବାବେଳେ ୨୦୧୪ ମସିହାର ସାଧାରଣ ନିର୍ବାଚନ ସମୟରେ, ତାଙ୍କ ସହ ଅତି ନିକଟତର ହୋଇ କାମ କରିବାର ଅବସର ମିଳିଥିଲା। ତାଙ୍କ ସରଳତା, ସଂଗ୍ରାମଶୀଳ ମନୋଭାବ ଏବଂ ଆଦିବାସୀ-ଶ୍ରମିକ ମୁଦ୍ଦା ପ୍ରତି ନିଷ୍ଠାକୁ ନିଜ ଆଖିରେ ଦେଖିଥିଲି ।”
ଶ୍ରୀ ଜର୍ଜ ତିର୍କି ଓଡ଼ିଶା ପଶ୍ଚିମାଞ୍ଚଳର ଆଦିବାସୀ ଅଞ୍ଚଳରୁ ଆସିଥିବା ଏକ ସାହସୀ ଏବଂ ପ୍ରଗତିଶୀଳ ନେତା ଥିଲେ। ସେ ବିରମିତ୍ରପୁର ଆସନରୁ ଚାରିଥର ବିଧାୟକ ଭାବେ ନିର୍ବାଚିତ ହୋଇ ଆଦିବାସୀ, ଶ୍ରମିକ ଏବଂ ସାଧରାନ ଜନତାଙ୍କ ପ୍ରସଙ୍ଗଗୁଡ଼ିକୁ ଜୋରଦାର ଭାବେ ବିଧାନସଭାରେ ଉଠାଇଥିଲେ। ଶ୍ରୀ ତିର୍କିଙ୍କ ସଂଗ୍ରାମ କେବଳ ରାଜନୀତିରେ ସୀମିତ ନଥିଲା ବରଂ ସେ ମାଟି, ଜମି, ଜଳ, ଜଙ୍ଗଲ, ଜୀବିକା, ଶ୍ରମିକ ଅଧିକାର, ଓ ଆଦିବାସୀଙ୍କ ସମ୍ମାନ ପାଇଁ ସେ ସର୍ବଦା ଚେଷ୍ଟିତ ଥିଲେ।
ଶ୍ରୀ ତିର୍କି ଦଳମତ ନିର୍ବିଶେଷରେ ନିଜର ଏକ ସ୍ୱତନ୍ତ୍ର ରାଜନୀତିକ ପରିଚୟ ସୃଷ୍ଟି କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଭିନ୍ନ-ଭିନ୍ନ ଗଣନେତାଙ୍କ ସହିତ ମିଶି, ଆଦିବାସୀ ଏବଂ ଶ୍ରମିକଙ୍କ ସ୍ୱରକୁ ରାଜ୍ୟସ୍ତରରେ ପହଞ୍ଚାଇଥିଲେ। ଶ୍ରୀ ତିର୍କିଙ୍କ ଦୃଢ଼ ଭାବ, ନିଷ୍ଠା ଏବଂ ସାହସୀ ଉଚ୍ଚାରଣ, ତାଙ୍କୁ ଓଡ଼ିଶାର ରାଜନୀତିରେ ଏକ ‘ସଂଗ୍ରାମୀ ସ୍ୱର’ ଭାବେ ପରିଚୟ ପ୍ରଦାନ କରିଥିଲା ।
ଶ୍ରୀ ରଥ କହିଛନ୍ତି, “ଜର୍ଜ ତିର୍କିଙ୍କ ବିୟୋଗ କେବଳ ଗୋଟିଏ ନେତାଙ୍କ ଅନୁପସ୍ଥିତି ନୁହେଁ, ବରଂ ଏକ ଦୀର୍ଘକାଳୀନ ଆଦିବାସୀ-ଶ୍ରମିକ ଆନ୍ଦୋଳନରେ ଗଭୀର ଶୂନ୍ୟତା ସୃଷ୍ଟି କରିଛି । ତାଙ୍କ ସାହସ ଓ ଲକ୍ଷ୍ୟପ୍ରତି ଉତ୍ସର୍ଗୀକୃତ ସମର୍ପଣ ଆମ ସମସ୍ତଙ୍କ ପାଇଁ ଚିରସ୍ମରଣୀୟ ହୋଇ ରହିବ ।” ଏହି ଅବସରରେ ଶ୍ରୀ ରଥ, ଦିବଙ୍ଗତଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇ, ଆତ୍ମାର ଶାଶ୍ୱତ ଶାନ୍ତି ପାଇଁ ପ୍ରାର୍ଥନା କରିଛନ୍ତି।
*ରବି ରଥ*
*ସମ୍ପାଦକ, ନବୀନ*
