March 11, 2026

ସ୍ୱାଭିମାନରେ ସଙ୍କଟ,. ପ୍ରଦୀପ୍ତ କୁମାର ମିଶ୍ର..

IMG-20250920-WA0045
Share

 

 

ଏମିତି ଏକ ଶୀର୍ଷକ ନାମକରଣ ମୂଳରେ ପ୍ରକୃତ ଅର୍ଥଟି କଣ ହୋଇପାରେ । ସ୍ତମ୍ଭକାର କାହାକୁ ବି ଇଙ୍ଗିତ କରିପାରନ୍ତି, ଏପରି ସେ ନିଜେ ନିଜକୁ ମଧ୍ୟ ସମାଲୋଚନା କରିବାକୁ ପଛାଉ ନାହାନ୍ତି ତ ? ମାତ୍ର ଏ ଶୀର୍ଷକ ଆଜିର ସମାଜ ପାଇଁ ନିଶ୍ଚିତ ଜରୁରୀ ମନେକରି ପରିକଳ୍ପନା ହୋଇଥାଇପାରେ ବୋଲି ସର୍ବସାଧାରଣଙ୍କ ବିଶ୍ୱାସ । ହେଉ, ଆସନ୍ତୁ ଜାଣିବା ଏହାର ଅସଲ ରହସ୍ୟ କଣ ଥାଇପାରେ । ସ୍ୱାଭିମାନରେ ସଂକଟ ଆସିଲେ ସମାଜ ଦୁର୍ବଳ ହୁଏ । ମନୁଷ୍ୟ ଏକ ସାମାଜିକ ପ୍ରାଣୀ । ସମାଜକୁ ନେଇ ମନୁଷ୍ୟ ଗତିଶୀଳ । ସମାଜ ଓ ମନୁଷ୍ୟ ଉଭୟ ପରିପୂରକ। ପ୍ରତିଟି କର୍ମରୁ ପ୍ରାପ୍ତ ସନ୍ତୋଷରୁ ମିଳୁଥିବା ସୁଖ ଚିରନ୍ତନ । ଗୋଟେ ଦେଶର ସୁଶିକ୍ଷିତ ନାଗରିକ, ପ୍ରଶାସକ, ସମାଜସେବୀ, ରାଜନୀତିଜ୍ଞ, ସାମ୍ୱାଦିକ, ଶିକ୍ଷକ, ବୈଜ୍ଞାନିକ, ଆଇନଜୀବୀ, ଶିଳ୍ପୀ, ସାରସ୍ଵତ ସାଧକ ଆଦି ଗୋଟାଏ ଜାତିର ମେରୁଦଣ୍ଡ । ଶିକ୍ଷିତ ବ୍ୟକ୍ତିର ସ୍ୱାଭିମାନ ସ୍ବତନ୍ତ୍ର । ନୈତିକ ମୂଲ୍ୟବୋଧରୁ ସ୍ୱାଭିମାନର ଜନ୍ମ । ନୈତିକତା ସଂସ୍କାର ଆଧାରିତ । ସଂସ୍କାର ପରିବାରର ପରିଚୟ । ସଂସ୍କାରୀ ସନ୍ତାନ ପରିବାରର ପ୍ରକୃତ ଦାୟାଦ । ନୈତିକତା ପାଇଁ ଶିକ୍ଷା ଲୋଡା । ଶିକ୍ଷାରେ ଅନୈତିକ ଭାବ ନାହିଁ । ସ୍ଵାଭିମାନ ବ୍ୟକ୍ତିର ବ୍ୟକ୍ତିତ୍ଵ । ସ୍ଵାଭିମାନ ଅନୁଭବର ବିଷୟ । ସ୍ଵାଭିମାନ ପ୍ରକାଶ ହେଲେ ତାହା ଅହଙ୍କାରର ପରିଚୟ ଦିଏ । ପ୍ରଚଣ୍ଡ ସ୍ଵାଭିମାନୀ ସର୍ବଦା ନୀରବ । ନୀରବତା ଅହଙ୍କାର ନୁହେଁ । ସ୍ଵାଭିମାନୀର ବଚନ ଧୀର ଓ ନମ୍ର । ସ୍ଵାଭିମାନୀର କାର୍ଯ୍ୟ ସଂସ୍କାରିତ ପ୍ରକ୍ରିୟାରେ ସଂଗଠିତ ହୁଏ । ଦେଖେଇହେବାରେ ତାହା ଶୋଭା ପାଏ ନାହିଁ । ସ୍ଵାଭିମାନ ନିକଟରେ ମୁକ୍ତ ମତ ପରିବେଷଣର ସୁଯୋଗ ଥାଏ । ଭାବନାରେ ବିକୃତି ଆସିଲେ ସ୍ୱାଭିମାନ ଅପସରି ଯାଏ । ଆଜି ସମାଜରେ ସ୍ୱାଭିମାନରେ ସଙ୍କଟର ପରିମାଣ ଯଥେଷ୍ଟ ଅଧିକ । ୭୯ ବର୍ଷପରେ ଆମେ କେବଳ ରାଜନୀତି କ୍ଷେତ୍ରରେ ସ୍ଵାଧୀନତା ହାସଲ କରିବାପରି ମନେ ହୁଏ । ଅନ୍ୟ କୌଣସି ଦିଗରେ ଆମେ ସ୍ଵାଧୀନତା ପାଇନାହୁଁ । ମନରେ ପ୍ରଶ୍ନ ଆସେ, ଏପରି ସଂକଟ ପାଇଁ ଦାୟୀ କିଏ ? ବର୍ତ୍ତମାନର ପିଢ଼ି ଓ ଉତ୍ତରପିଢ଼ି ପାଇଁ ଆଜିର ଶୀର୍ଷକ ବହୁଦିଗରୁ ଗୁରୁତ୍ବ ବହନକରେ । ସ୍ଵାଭିମାନ ସ୍ବତନ୍ତ୍ର । ସ୍ୱତନ୍ତ୍ରତା ସମ୍ମାନବୋଧର ନିକଟବର୍ତ୍ତି । ଏହା ଭାବାତ୍ମକ ଉପଲବ୍ଧି ବିନା ଆଉ କିଛି ନୁହେଁ । ପରିବାରରୁ ସ୍ୱାଭିମାନର ମୂଳଦୁଆ ପ୍ରସ୍ତୁତ ହୁଏ । ସ୍ଥୂଳ ଦୃଷ୍ଟିରେ ଏହାର ବୈଷମ୍ୟ ଥାଇପାରେ, ମାତ୍ର ସୂକ୍ଷ୍ମଦୃଷ୍ଟିରେ ଏହା ଅପରିବର୍ତ୍ତନୀୟ । ସମାଜର ପ୍ରତିଟି କ୍ଷେତ୍ରରେ ଆଜି ମଣିଷ ବଞ୍ଚିବାର ସଂଘର୍ଷ, ରାତାରାତ୍ ବଡଲୋକ ହେବାର ନିଶା, କ୍ଷମତା ପିପାସୁ ମନସ୍ତତ୍ତ୍ୱ, ସ୍ୱାଭିମାନ ହରାଇବାର ଗୋଟାଏ ଗୋଟାଏ ଦିଗ । ମଣିଷର ଉଚ୍ଚଅଭିଳାଷ ରାଜ୍ୟରେ ଆଜି ପ୍ରତିଯୋଗିତା ତିଆରି ହୋଇଛି । ସେ ଅଭିଳାଷ ଭୌତିକ ଅଭିବୃଦ୍ଧିର କାରଣ ସାଜିଛି । ତେଣୁ ତାକୁ ପ୍ରତିଯୋଗିତା ନକହି ପ୍ରତିଦ୍ୱନ୍ଦ୍ଵିତା କହିବା ଅଧିକ ଗ୍ରହଣୀୟ । ସ୍ଥୂଳଦୃଷ୍ଟିକୁ ଗୁରୁତ୍ବଦେଲେ ସ୍ୱାଭିମାନ ପଙ୍ଗୁ ହୋଇଯାଏ । ମାତ୍ର ସୂକ୍ଷ୍ମଦୃଷ୍ଟିରେ ଏହା ଗିରିଲଂଘନ କରିପାରେ । ଶିକ୍ଷାବ୍ୟବସ୍ଥାରେ ସ୍ୱାଭିମାନକୁ ପାଥେୟକରି ଶିକ୍ଷାଦାନ ଜରୁରୀ । ଶୃଙ୍ଖଳାଜ୍ଞାନ ସ୍ୱାଭିମାନ ନିକଟରେ ନିହିତ । ଆଜି ଦେଖାଯାଉଛି ସମାଜରେ ଅଧିକାଂଶ କ୍ଷେତ୍ରରେ ସ୍ୱାଭିମାନର ସଙ୍କଟ । କାମ, କ୍ରୋଧ, ଲୋଭ, ମୋହ, ମଦ, ମାର୍ତ୍ସଜ୍ୟ ସଂକଟ ସୃଷ୍ଟି ହେବାର ଗୋଟାଏ ଗୋଟାଏ ଉପାଦାନ । ପଞ୍ଚମନ ବିଭିନ୍ନ କଥା ପାଞ୍ଚିବାରେ ବ୍ୟସ୍ତ । ଏହି ପାଞ୍ଚିବାରେ ଶୃଙ୍ଖଳିତ ଭାବ ନଥିଲେ ସଙ୍କଟରେ ସମ୍ମୁଖୀନ ହେବାକୁ ପଡ଼େ । ସ୍ୱାଭିମାନ ଏକ ମନସ୍ତତ୍ତ୍ୱ ଦିଗ । ମଣିଷ ମନର ଅବଦମିତ କାମନା ବାସନା ରହିଲେ ସ୍ୱାଭିମାନରେ ସଂକଟ ଆସେ । ମତିଗତିରେ ଅଚାନକ ପରିବର୍ତ୍ତନ ବ୍ୟକ୍ତିକୁ ସଙ୍କଟକୁ ନେବାସହ ଦୁର୍ବଳ କରେ । ମଣିଷ ଜାଣିବା ଦରକାର ତାର ଅବଚେତନ ମନ ଉପରେ ନିୟନ୍ତ୍ରଣ ନଥାଏ । ଅବଚେତନର ପ୍ରଭାବରେ ମଣିଷ ନିନ୍ଦନୀୟ କର୍ମ କରେ । ଚେତନାର ଗତାନୁଗତିକତା ସ୍ବାଭିମାନକୁ ଜନ୍ମଦିଏ । ଅବଚେତନ ପ୍ରତି ସଚେତନ ହେବା ଅର୍ଥ ସଙ୍କଟକୁ ଦୂରେଇ ଦେବା । ସ୍ବାଭିମାନ ଜନ୍ମନେଲେ ସଫଳତାର ପ୍ରତିଶ୍ରୁତି ପରିବର୍ତ୍ତେ ସାର୍ଥକତାର ପରାକାଷ୍ଠା ପ୍ରତିପାଦିତ ହୁଏ । ଚେତନାର ଗଭୀର ପ୍ରଦେଶରେ ଅବସ୍ଥିତ ସତ୍ୟ ସଙ୍ଗେ ଆନନ୍ଦ, ଆଲୋକ ସ୍ବାଭିମାନୀ ନିକଟରେ ପ୍ରମାଣିତ ହୁଏ । ନେତିଧର୍ମୀ ଆବେଗ ଓ ବାସନା ଯେତେ ଲୋଭନୀୟ ହେଲେ ମଧ୍ଯ ସ୍ଵାଭିମାନୀ ତାହାକୁ ଗ୍ରହଣ କରେ ନାହିଁ, କାରଣ ତାହା ସନ୍ତୋଷ ବା ତୃପ୍ତି ଦେଇପାରେ ନାହିଁ । ଆତ୍ମାନୁଭୂତି ଲାଭ ଦିଗରେ ସ୍ବାଭିମାନ ଜାତ ହୁଏ । ଆତ୍ମଜ୍ଞାନ ଏହା ସୃଷ୍ଟିର ଉତ୍ସ ଅଟେ । ଆତ୍ମଜ୍ଞାନ କାଣ୍ଡଜ୍ଞାନକୁ ନିୟନ୍ତ୍ରିତ କରେ । ଆଜି ସ୍ବାର୍ଥକୁ ଗୁରୁତ୍ବ ଦେଲେ ସ୍ବାଭିମାନ ଦୂରେଇ ଯାଏ । ଆମେ ଜାଣୁ ସତ୍ୟ ସୌନ୍ଦର୍ଯ୍ୟ ଅଟେ ଓ ସୌନ୍ଦର୍ଯ୍ୟ ସତ୍ୟ ଅଟେ । ସତ୍ୟ ଓ ସୌନ୍ଦର୍ଯ୍ୟ ପରସ୍ପର ପରିପୂରକ ପରି ଆତ୍ମଜ୍ଞାନ ଓ ସ୍ବାଭିମାନ ପରସ୍ପର ପରିପୂରକ । ସେଠାରେ ଦ୍ୱନ୍ଦ୍ଵ ଭାବର ସ୍ଥାନ ନାହିଁ । ସ୍ବାର୍ଥନ୍ଵେଷୀ ସର୍ବଦା ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତିରେ ସମ୍ମୁଖୀନ ହୁଏ । ସର୍ବଦା ଦ୍ୱନ୍ଦ୍ୱ ଭୟଭୀତ ପରିସ୍ଥିତି ସୃଷ୍ଟି କରେ । ଆମକୁ ବୁଝିବାକୁ ପଡ଼ିବ କ୍ଷମତା ପିପାସୁ, ଅର୍ଥ ପିପାସୁ ଜଣେଜଣେ ଅନ୍ଧ । ଅନ୍ଧ କେବେବି ଜୀବନରେ ଚରମ ପରମଗତି ଗତି ପ୍ରାପ୍ତ ହୋଇପାରେନାହିଁ । ଅଜ୍ଞାନ ଅନ୍ଧତ୍ୱ ଆମକୁ ଜ୍ଞାନପ୍ରାପ୍ତି କରେ, ମାତ୍ର ଜ୍ଞାନପ୍ରାପ୍ତ ହୋଇ ଅନ୍ଧତ୍ୱକୁ ବରଣ କରିବା ଏକ ଅପରାଧ । ଏହି ଅପରାଧ ହିଁ ଆମକୁ ସଂକଟରେ ପକାଏ । ସମାଜରେ ସତ୍ୟର ଅନୁସନ୍ଧାନ ପାଇଁ ପ୍ରେରଣା ଅଛି । କାରଣ ସତ୍ୟ କେବଳ ସୁନ୍ଦର ନୁହେଁ, ଏହା ସର୍ବ ଶକ୍ତିମାନ, ସମସ୍ତ ସାଧନସମ୍ପଦ, ସମସ୍ତ ଖ୍ୟାତିସମ୍ପନ୍ନ, ସମସ୍ତ ବୈରାଗ୍ୟସମ୍ପନ୍ନ ଓ ସମସ୍ତ ଜ୍ଞାନସମ୍ପନ୍ନ ଅଟେ । ଏକଥାକୁ ବୁଝିଗଲେ ସ୍ୱାଭିମାନରେ ସଙ୍କଟର ସ୍ଥାନ ନାହିଁ । ଦୁର୍ଭାଗ୍ୟବଶତଃ ଆମେ ପ୍ରକୃତ ସତ୍ୟର ସନ୍ଧାନ ପାଇନାହୁଁବୋଲି ଆଜି ସବୁଠି ସ୍ୱାଭିମାନର ସଙ୍କଟ ଦେଖାଦେଇଛି । ଆଜିର ମଣିଷ ଅସତ୍ୟର ପ୍ରେମରେ ଅଭ୍ୟସ୍ତ । ଆମେ ଜାଣିବା ଦରକାର ପାର୍ଥିବ ଲୋକ ପ୍ରତି ସତ୍ୟ ଓ ସୌନ୍ଦର୍ଯ୍ୟ ପରସ୍ପର ବିରୋଧୀ ଶଦ୍ଦ ଅଟେ । ବ୍ୟକ୍ତିର ବ୍ୟକ୍ତିତ୍ଵ ନିର୍ମାଣ ପାଇଁ ଆଗ୍ରହ ଜନିତ ପଦକ୍ଷେପରେ ସ୍ବାଭିମାନ ସୃଷ୍ଟିର ସୂଚନା ଥାଏ । ଆଜିର ମଣିଷ ଏକ ମିଥ୍ୟା ଆପେକ୍ଷିକ ସତ୍ୟ ପଛରେ ଗୋଡ଼ାଇ ପ୍ରକୃତ ସୌନ୍ଦର୍ଯ୍ୟର ବିରୋଧୀ ସାଜିଛି । ଭୌତିକ ସୌନ୍ଦର୍ଯ୍ୟ ପ୍ରତି ଆକୃଷ୍ଟ କାରଣରୁ ସ୍ବାଭିମାନର ସଂକଟ ସୃଷ୍ଟି ହୋଇଥାଏ । ସୌନ୍ଦର୍ଯ୍ୟର ଚିରନ୍ତନତାକୁ ବୁଝିଗଲେ ବ୍ୟକ୍ତି ନିକଟରେ ସଙ୍କଟ ପରିସ୍ଥିତି ଉପୁଜି ନଥାଏ । ସୌନ୍ଦର୍ଯ୍ୟର ଏକ ଆକର୍ଷଣ ଶକ୍ତି ଅଛି, ମାତ୍ର ଯାହା ସ୍ୱାଭିମାନ ସହ ଜଡ଼ିତ ହୋଇଥାଏ । ଆଉ ସଙ୍କଟରେ ବିକର୍ଷଣ ଦୁଃଖକୁ ଓ ନିନ୍ଦାକୁ ନିମନ୍ତ୍ରଣ କରେ । ସର୍ବୋପରି କହିବି ସ୍ବାଭିମାନ ସର୍ବଦା ପୂର୍ଣ୍ଣ ଶାଶ୍ଵତଭାବେ ପୂର୍ଣ୍ଣ ଅଟେ । ଆଉ ସଙ୍କଟ ଆସିବା ଅର୍ଥ ଜୀବନ ପୂର୍ଣ୍ଣତା ଲାଭ ପରିବର୍ତ୍ତେ ଅଭାବବୋଧ, ଗ୍ଲାନି ଓ ଅପୂର୍ଣ୍ଣତାକୁ ବରଣ କରେ । ଶେଷରେ କହିବି ଚରମ ସତ୍ୟ, ଚରମ ସୌନ୍ଦର୍ଯ୍ୟ, ଚରମ ଜ୍ଞାନ, ଚରମ ଶକ୍ତି, ଚରମ ବୈରାଗ୍ୟ ଓ ଚରମ ଐଶ୍ୱର୍ଯ୍ୟର ସନ୍ଧାନ ବା ଅନ୍ୱେଷଣ କରିବା ଅର୍ଥ ସ୍ଵାଭିମାନୀ ମଣିଷର ପରିଚୟ ବହନ କରିବା । ରହିଲି, ନମସ୍କାର ।।