September 29, 2024

କିରିଆମ୍ବା ଜଙ୍ଗଲରେ ୨୧ ଟିକିଆ ହାତୀ ପଲ, ଚିନ୍ତାରେ ଚାଷୀ ଓ ବନ ବିଭାଗ 

Share

 

ବୁଗୁଡା : ତା ୨୦/୦୯/୨୩ : ବୁଗୁଡ଼ା ବନାଞ୍ଚଳ ଅନ୍ତର୍ଗତ କିରିଆମ୍ବା ସଂରକ୍ଷିତ ଜଙ୍ଗଲରେ ୨୧ ଟିକିଆ ହାତୀପଲ ଚଳପ୍ରଚଳ କରୁଥିବା ନେଇ ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ଫଳରେ ସ୍ଥାନୀୟ ଚାଷୀ ଏବଂ ବନ ବିଭାଗର ଚିନ୍ତାର କାରଣ ପାଲଟିଛି । କିଛି ଦିନ ତଳେ ଓଡଗାଁ ଜଙ୍ଗଲରୁ ୧୩ ଟିକିଆ ଏକ ହାତୀପଲ ବୁଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ପଞୁଭୁତି ଜଙ୍ଗଲରେ ପ୍ରବେଶ କରି ଆଖପାଖ ଅଞ୍ଚଳରେ ଧାନ ତଳି ଓ ମକା ଫସଲ ନଷ୍ଟ କରି କିରିଆମ୍ବା ଜଙ୍ଗଲକୁ ଚାଲି ଯାଇଥିଲେ । ଏବେ ପୁଣି ଗତରାତିରେ ଖୋର୍ଦ୍ଧା ଡିଭିଜନ ଅନ୍ତର୍ଗତ ବାଲୁଗାଁ ଜଙ୍ଗଲରୁ ୮ ଟିକିଆ ଏକ ହାତୀପଲ କିରିଆମ୍ବା ଜଙ୍ଗଲରେ ପ୍ରବେଶ କରିଥିବା ଫଳରେ ହାତୀ ସଂଖ୍ୟା ୨୧କୁ ବୃଦ୍ଧି ପାଇଛି । ଏହି ୨୧ ଟିକିଆ ହାତୀପଲରେ ୫ଟି ଦନ୍ତା , ୬ଟି ମାଈ ଓ ୧୦ଟି ଛୁଆ ହାତୀ ରହିଥିବା ଜଣାଯାଇଛି । କିରିଆମ୍ବା ଜଙ୍ଗଲରେ ୨୧ ଟିକିଆ ହାତୀପଲର ଉପସ୍ଥିତି ଯୋଗୁଁ ଜଙ୍ଗଲ ଆଖପାଖ ବିଭିନ୍ନ ଗ୍ରାମର ଚାଷୀମାନଙ୍କ ନିଦ ହଜି ଯାଇଛି । ଏ ନେଇ ଲୋକେ ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ରଙ୍କୁ ଅବଗତ କରାଇବା ପରେ ସେ ଜଙ୍ଗଲ ଭିତରକୁ ନ ଯାଇ ସତର୍କ ରହିବା ପାଇଁ ଚାଷୀମାନଙ୍କୁ କହିଛନ୍ତି । ଏଥି ସହ ହାତୀମାନଙ୍କ ଉପଦ୍ରବକୁ ପ୍ରତିହତ କରିବା ପାଇଁ ବନ କର୍ମଚାରୀ ଏବଂ ଗ୍ରାମବାସୀ ବାଣ ଫୁଟାଇବା , ନିଆଁ ହୁଳା ଦେଖାଇବା , ବାଜା ବଜାଇବା ଆଦି କାର୍ଯ୍ୟ କରିବାକୁ ପ୍ରସ୍ତୁତ ରହିଥିବା ଜଣାଯାଇଛି ।