ନେଟଙ୍ଗା ସବୁଜ ବାହିନୀ ର ଅଭିନବ ପ୍ରୟାସ – ବୃକ୍ଷ କୁ ରାକ୍ଷୀ ବାନ୍ଧି ପାଳନ କଲେ ରାକ୍ଷୀ ପୂର୍ଣିମା
ଜନଗର ବେଲଗୁଣ୍ଠା : ସ୍ନେହ, ଶ୍ରଦ୍ଧା, ପ୍ରେମ ଓ ଆଦରର ମହାନ୍ ପର୍ବ ରାକ୍ଷୀ ପୂର୍ଣିମା ବା ଗହ୍ମାପୂର୍ଣିମା। ଏହା ରକ୍ଷାବନ୍ଧନ ପର୍ବ ନାମରେ ମଧ୍ୟ ବିଦିତ। ପ୍ରତି ବର୍ଷ ଶ୍ରାବଣ ମାସ ପୂର୍ଣ୍ଣିମା ଦିନ ଏହି ମହାନ୍ ପର୍ବ ପାଳନ କରାଯାଇଥାଏ। ହିନ୍ଦୁ ଧର୍ମର ପରମ୍ପରାରେ ରାକ୍ଷୀ ପୂର୍ଣିମା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭାବେ ବିବେଚନା କରାଯାଇଥାଏ। ପ୍ରାଚୀନ କାଳରୁ ଏହି ପ୍ରଥା ଚାଲିଆସିଛି। ପୂର୍ବେ ଗୁରୁ ଏବଂ ଶିଷ୍ୟଙ୍କ ମଧ୍ୟରେ ପବିତ୍ର ଓ ଅତୁଟ ସମ୍ପର୍କ ର ପ୍ରତୀକ ରୂପେ ଗୁରୁ ମାନେ ଶିଷ୍ୟ ମାନଙ୍କୁ ରାକ୍ଷୀ ବାନ୍ଧି ଏହି ପର୍ବ ପାଳନ କରୁଥିଲେ। କିନ୍ତୁ ବର୍ତ୍ତମାନ ଆଧୁନିକ ଯୁଗରେ ଭାଇଭଉଣୀଙ୍କ ମଧ୍ୟରେ ସ୍ନେହ, ଆଦର, ପ୍ରେମ ଓ ସଦଭାବନା ର ପ୍ରତୀକ ରୂପେ ଏହା ପରିଗଣିତ ହେଉଛି। ଏହି ପବିତ୍ର ଦିନରେ ପ୍ରତ୍ୟେକ ଭଉଣୀ ନିଜ ନିଜର ଭାଇ ମାନଙ୍କ ହାତରେ ରାକ୍ଷୀ ବାନ୍ଧି ଭାଇର ଦୀର୍ଘାୟୁ ଓ ମଙ୍ଗଳ କାମନା କରିଥାନ୍ତି। ସେହିପରି ଭାଇମାନେ ମଧ୍ୟ ନିଜ ଭଉଣୀ ମାନଙ୍କ ସୁରକ୍ଷା ଓ ସାହାଯ୍ୟ କରିବା ପାଇଁ ସଂକଳ୍ପ କରିଥାନ୍ତି ଏବଂ ରାକ୍ଷୀର ପାଉଣା ସ୍ଵରୂପ ପ୍ରତିବଦଳରେ ଭଉଣୀ କୁ କିଛି ଉପହାର ଦେଇଥାନ୍ତି। ସନାତନ ଧର୍ମର ଏହି ପବିତ୍ର ପର୍ବରେ ଜଗତର ନାଥ ପ୍ରଭୂ ଶ୍ରୀ ଜଗନ୍ନାଥ ଓ ବଡ଼ଠାକୁର ପ୍ରଭୂ ଶ୍ରୀ ବଳଭଦ୍ରଙ୍କୁ ମଧ୍ୟ ନିଜ ଅଲିଅଳି ଗେହ୍ଲୀ ଭଉଣୀ ମାତା ସୁଭଦ୍ରା ଦେବୀ ରାକ୍ଷୀ ବାନ୍ଧି ଥାଆନ୍ତି। ଶ୍ରୀ ମନ୍ଦିରର ଏହି ନିଆରା ପରମ୍ପରା ଓ କାର୍ଯ୍ୟକ୍ରମ ସାରା ପୃଥିବୀରେ ବିଖ୍ୟାତ।
ଏହି ରକ୍ଷାବନ୍ଧନ ପର୍ବକୁ ଅଧିକ ସ୍ମରଣୀୟ ଓ ଚିତ୍ତାକର୍ଷକ କରିବାକୁ ଯାଇ ଆଜି ନେଟଙ୍ଗା ସବୁଜ ବାହିନୀର ସମସ୍ତ ସଦସ୍ୟ ନିଜ ଭଉଣୀର ରାକ୍ଷୀ ପାଉଣା ସ୍ଵରୂପ ପ୍ରତ୍ୟେକ ସଦସ୍ୟ ନିଜ ନିଜର ଭଉଣୀ ପାଇଁ ଅବା ଭଉଣୀ ନାମରେ ଗୋଟିଏ ଗୋଟିଏ ବୃକ୍ଷ ଚାରା ରୋପଣ କରିଛନ୍ତି। ଏହା ସହିତ ପାଳନ କରିଛନ୍ତି ” ଭଉଣୀ ପାଇଁ ଗଛଟିଏ” ଏବଂ ” ଗାଁ ପାଇଁ ଗଛଶହେ ” କାର୍ଯ୍ୟକ୍ରମ। ବୃକ୍ଷ କୁ ପୂଜାର୍ଚ୍ଚନା କରିବା ସହିତ ବୃକ୍ଷ କୁ ରାକ୍ଷୀ ବାନ୍ଧି ଏହି ପର୍ବ ପାଳନ କରିଛନ୍ତି। ଏବଂ ଭଉଣୀ କୁ ବିପଦରୁ ରକ୍ଷା କରିବା ପାଇଁ ସଂକଳ୍ପ କରିବା ସହ ବୃକ୍ଷକୁ ସୁରକ୍ଷା କରିବାକୁ ମଧ୍ୟ ସଂକଳ୍ପ କରିଛନ୍ତି ।ଭାଇଚାରାର ନିଦର୍ଶନ ସ୍ୱରୂପ ପ୍ରତ୍ୟେକ ସଦସ୍ୟ ପରସ୍ପର କୁ ମିଠା ଖୁଆଇ ଏହି ପର୍ବ ପାଳନ କରିଛନ୍ତି। ପ୍ରକୃତି ବନ୍ଧୁ ସମ୍ମାନୀତ ଶିକ୍ଷକ ଶ୍ରୀ ଦ୍ଵିତୀକୃଷ୍ଣ ଲେଙ୍କାଙ୍କ ଉଦ୍ୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନେଟଙ୍ଗା ସବୁଜ ବାହିନୀ ର ସମସ୍ତ ସଦସ୍ୟ, ନେଟଙ୍ଗା ଚକରା ବିଷୋୟୀ କ୍ଳବ୍ ସଦସ୍ୟ ଏବଂ ରତ୍ନପୁର ସବୁଜ ବାହିନୀର ସଦସ୍ୟ ମାନେ ଏବଂ ରତ୍ନପୁର ଗ୍ରାମର ସବୁଜ ବାହିନୀ ର ସଦସ୍ୟ ତଥା ଦର୍ଶନ ଖବରକାଗଜ ଓ ଉପାନ୍ତ ଓଡ଼ିଶାର ସାମ୍ବାଦିକ ଶ୍ରୀ ପଞ୍ଚାନନ ସାହୁ ସମସ୍ତ ପ୍ରକାରର ସାହାଯ୍ୟ ଓ ସହଯୋଗ କରିଥିଲେ। ଆଗାମୀ ଦିନରେ ନେଟଙ୍ଗା ଗ୍ରାମ କୁ ଏକ ସ୍ଵଚ୍ଛ, ସବୁଜ ଓ ସୁନ୍ଦର ଗ୍ରାମରେ ପରିଣତ କରିବା ପାଇଁ ସମସ୍ତ ସଦସ୍ୟ ସଂକଳ୍ପବଦ୍ଧ ହେବା ସହିତ ସମସ୍ତେ ନିଜ ଅଞ୍ଚଳ ବାସୀଙ୍କୁ ନିଜ ନିଜର ବାପା-ମା, ଭାଇ-ଭଉଣୀ, ପୁଅ-ଝିଅ, ନାତି-ନାତୁଣୀ ଓ ସମ୍ପର୍କୀୟ ମାନଙ୍କ ପାଇଁ କିମ୍ବା ସମ୍ପର୍କୀୟ ମାନଙ୍କ ନାମରେ ବୃକ୍ଷ ଚାରା ଗୋଟିଏ ଗୋଟିଏ ଲଗାଇବା ପାଇଁ ଆହ୍ବାନ ଓ ଅନୁରୋଧ କରୁଛନ୍ତି।
ପ୍ରକାଶ ଥାଉକି, ଭଂଜନଗର ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ସମର୍ଥନ ଓ ସହଯୋଗ ଯୋଗୁଁ ନେଟଙ୍ଗା ସବୁଜ ବାହିନୀର ସଦସ୍ୟ ମାନେ ଆଜକୁ ଦୁଇ ବର୍ଷ ହେଲା ବିଭିନ୍ନ ସ୍ଥାନରେ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଏ ବର୍ଷ ନେଟଙ୍ଗା ସବୁଜ ବାହିନୀ ର ସଦସ୍ୟ ମାନେ ଶ୍ରାବଣ ମାସର ତୃତୀୟ ସୋମବାର ଠାରୁ ଚତୁର୍ଥ ସୋମବାର ମଧ୍ୟରେ ୧୦୮ ବୃକ୍ଷ ଚାରା ରୋପଣ କରିଥିଲେ। ସେହିପରି ରତ୍ନପୁର ସବୁଜ ବାହିନୀର ସଦସ୍ୟ ମାନେ ମଧ୍ୟ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଗତ ଗହ୍ମାପୂର୍ଣିମା, ଜନ୍ମାଷ୍ଟମୀ, ମହାଶିବରାତ୍ରି, ପବିତ୍ର ରଥଯାତ୍ରା ଓ କାର୍ଯ୍ୟରତ ସିପାହୀଙ୍କ ବିବାହ ଉତ୍ସବରେ, ସ୍ଵର୍ଗତ ସଦାଶିବ ଲେଙ୍କାଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ କରିଥିଲେ। ନେଟଙ୍ଗା ଗ୍ରାମର ଗଢ଼ିଉଠିଥିବା ନେଟଙ୍ଗା ସବୁଜ ବାହିନୀ ବର୍ଷର ପ୍ରତ୍ୟେକ ପର୍ବପର୍ବାଣୀ, ଜାତୀୟ ଦିବସ, ଜାତୀୟ ଉତ୍ସବ ତଥା ଉତ୍ସାହୀ ଓ ଆଗ୍ରହୀ ବ୍ୟକ୍ତି ମାନଙ୍କ ବିବାହ ଉତ୍ସବ, ଜନ୍ମୋତ୍ସବ, ଶ୍ରାଦ୍ଧ ବାର୍ଷିକୀ ଏବଂ ଅନ୍ୟାନ୍ୟ ମାଙ୍ଗଳିକ କାର୍ଯ୍ୟ ମାନଙ୍କରେ ବୃକ୍ଷ ଚାରା ରୋପଣ ଭଳି ମହତ୍ ଓ ମହାନ୍ କାର୍ଯ୍ୟ କରିଥାନ୍ତି। ନେଟଙ୍ଗା ସବୁଜ ବାହିନୀ ଓ ରତ୍ନପୁର ସବୁଜ ବାହିନୀର ଏଭଳି ଜନହିତକର କାର୍ଯ୍ୟକୁ ସବୁ ମହଲରେ ସ୍ଵାଗତ, ସମର୍ଥନ ଓ ପ୍ରଶଂସା କରାଯାଉଛି। ନେଟଙ୍ଗା ଗ୍ରାମବାସୀ, ଜନସାଧାରଣ ମାନେ ଏହି କାର୍ଯ୍ୟକ୍ରମରେ ଅନୁପ୍ରାଣିତ ହୋଇ ଯୋଗଦାନ କରି ସାହାଯ୍ୟ ଓ ସହଯୋଗ କରିବା ସହିତ ଏହି ମହାନ୍ କାର୍ଯ୍ୟ ଧାରା ରେ ସାମିଲ୍ ହେଉଛନ୍ତି।
ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ