March 21, 2025

ନିଆରା ଢ଼ଙ୍ଗରେ ଯୁବକଙ୍କ ଜନ୍ମଦିନ ପାଳନ ; ଅନାଥ ବ୍ୟକ୍ତିଙ୍କ ଠାରୁ ଆଶୀର୍ବାଦ ଭିକ୍ଷା 

Share

 

ବେଲଗୁଣ୍ଠା,୨୦/୦୩,ଆଧୂନିକ ଯୁବକ ହେଲେ ମଧ୍ୟ କେକ୍ କଟା, ଡିଜେ ଡ୍ୟାନ୍ସ୍, ମଦ,ମାଂସରୁ ସମ୍ପୂର୍ଣ୍ଣ ଦୂରେଇ ଯାଇ ନିଜ ଜନ୍ମ ଦିନ ପାଳିଛନ୍ତି ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ଗ୍ରାମର ରାଜା ସ୍ୱାଇଁ I ଆଜି ରାଜାଙ୍କର ୨୫ତମ ଜନ୍ମ ଦିନ ଥିବା ବେଳେ ସେ ଏହାକୁ ଏକ ସ୍ଵତନ୍ତ୍ର ଢ଼ଙ୍ଗରେ ପାଳନ ନିମନ୍ତେ ପୂର୍ବରୁ ନିଜ ବନ୍ଧୁ ମାନଙ୍କ ସହିତ ଆଲୋଚନା କରିଥିବାବେଳେ ବ୍ରହ୍ମପୁର ସ୍ଥିତ ନବ ଜୀବନ ସେବା ଆଶ୍ରମ ସମ୍ପାଦକ ସୁଶାନ୍ତ କୁମାର ମହାରଣା, ଅଧ୍ୟକ୍ଷ ଡ.ସଙ୍ଗୀତ ବାବୁ, ପ୍ରତିଷ୍ଠାତା ସଦସ୍ୟ ଡ.କେ.ଶ୍ରୀଧର ଆଚାର୍ଯ୍ୟଙ୍କ ସହ କଥା ବାର୍ତ୍ତା କରିଥିଲେ I ଆଜି ରାଜା ନିଜ ବନ୍ଧୁମାନଙ୍କ ସହିତ ପୂର୍ବ ପ୍ରସ୍ତୁତି ମୁତାବକ ନବ ଜୀବନ ସେବା ଆଶ୍ରମରେ ପହଞ୍ଚି ସେଠାକାର ଅନ୍ତେବାସୀଙ୍କ ସହିତ ସମୟ ବିତାଇଥିଲେ I ସେମାନଙ୍କର ଆଶୀର୍ବାଦ ଭିକ୍ଷା କରିଥିଲେ I ଆଶ୍ରମରେ ରହୁଥିବା ଅନାଥ ଶିଶୁ,ବରିଷ୍ଠ ନାଗରିକ, ବିଧବା ମହିଳାଙ୍କୁ ରାଜା ଅନ୍ନଦାନ କରିଥିଲେ I ରାଜାଙ୍କ ଏହିଭଳି କାର୍ଯ୍ୟକ୍ରମ ଅନ୍ତେବାସୀଙ୍କ ମୁହଁରେ ହସ ଫୁଟାଇବା ସହ ଅନ୍ତେବାସୀଙ୍କ ନିକଟରୁ ରାଜାଙ୍କର ଉତ୍ତରୋତ୍ତର ଉନ୍ନତି ପାଇଁ ସ୍ୱତଃ ଆଶୀର୍ବାଦ ଝରି ପଡ଼ିଥିଲା I ରାଜାଙ୍କୁ ଏହି କାର୍ଯ୍ୟରେ ତାଙ୍କ ବନ୍ଧୁ ଗଜାନନ,ସଚିନ୍, ସୋନୁ, ଜୀତେଶ, କାହ୍ନା,ଅନନ୍ତ, ଅମନ୍ ଏବଂ ବନିଳ ସହଯୋଗ କରିଥିଲେ I ପ୍ରକାଶ ଥାଉକି ରାଜା ପିଲାଟି ବେଳରୁ ହିଁ ନିଜ ପିତାକୁ ହରାଇଥିଲେ I ଛୋଟବେଳୁ ହିଁ ରାଜାଙ୍କ ପରୋପକାରୀ ବ୍ୟକ୍ତିତ୍ୱ ପାଇଁ ସେ ସମସ୍ତଙ୍କ ନିକଟରେ ଆଦରର ପାତ୍ର ପାଲଟିଛନ୍ତି I ବର୍ତ୍ତମାନ ସେ ବ୍ରହ୍ମପୁରରେ ରହି ପାଠ ପଢୁଥିବା ବେଳେ ନିୟମିତ ଭାବେ ରକ୍ତଦାନ, ବୃକ୍ଷରୋପଣ ଭଳି ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ସହିତ ଜଡ଼ିତ ଅଛନ୍ତି I

 

ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ