ବିରୋଧି ଦଳର ନିର୍ବାଚିତ ଜନପ୍ରତିନିଧିଙ୍କୁ ବ୍ଲକ ପ୍ରଶାସନର ଅଣଦେଖା, ଉନ୍ନୟନ କାର୍ଯ୍ୟ ଠପ୍ , କଦର୍ଯ୍ୟ ରାଜନୀତିର କୁପରିଣାମ ଭୋଗୁଛନ୍ତି ଜନତା, ଚର୍ଚ୍ଚାରେ ବିଡିଓଙ୍କୁ ପ୍ରାକ୍ତନ ମନ୍ତ୍ରୀଙ୍କ ସାକ୍ଷାତ
ବୁଗୁଡ଼ା : ତା ୨୦/୦୨/୨୬ : ଏକୋଇଶିଟି ପଞ୍ଚାୟତକୁ ନେଇ ଗଠିତ ବୁଗୁଡା ପଞ୍ଚାୟତ ସମିତିର ନିର୍ବାଚିତ ବିରୋଧୀ ଦଳର ଜନପ୍ରତିନିଧିଗଣ ପ୍ରଶାସନିକ ଅଣଦେଖାର ଶିକାର ଯୋଗୁଁ ଅନେକ ପଞ୍ଚାୟତରେ ଉନ୍ନୟନ କାର୍ଯ୍ୟ ଏକପ୍ରକାର ଠପ୍ ହୋଇଯାଇଥିବା ସାଙ୍ଗକୁ ଅଞ୍ଚଳରେ କଦର୍ଯ୍ୟ ରାଜନୀତିର କୁପରିଣାମ ଲୋକେ ଭୋଗୁଥିବା ବେଳେ ଗତ ୧୯ ତାରିଖ ଦିନ ପ୍ରାକ୍ତନ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ବ୍ଲକ ବିଜେଡି ସଭାପତି ଖଦାଳ ଖଟେଇ ଓ ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ବେହେରାଙ୍କ ସମେତ ବିରୋଧୀ ଦଳର କେତେକ ନିର୍ବାଚିତ ଜନପ୍ରତିନିଧି ବିଡିଓ ଦୁତିକୃଷ୍ଣ ପାତ୍ରଙ୍କୁ ସାକ୍ଷାତ କରିବା ଘଟଣା ରାଜନୈତିକ ମହଲରେ ହଟଚମଟ ସୃଷ୍ଟି କରିଥିବା ଜଣାଯାଇଛି। ସାକ୍ଷାତ କାଳରେ ପ୍ରାକ୍ତନ ମନ୍ତ୍ରୀ ନିର୍ବାଚିତ ଜନପ୍ରତିନିଧିଗଣଙ୍କୁ ଅଣଦେଖା କରି ଅଞ୍ଚଳର ବିକାଶରେ କାହିଁକି ବାଧକ ସାଜୁଛନ୍ତି ବୋଲି ବିଡିଓଙ୍କୁ ପ୍ରଶ୍ନ କରିବା ସହ ଜଣେ ସରକାରୀ ଅଧିକାରୀଙ୍କ ପକ୍ଷେ ଏହା ଆଦୌ ଶୋଭନୀୟ ନୁହେଁ ବୋଲି କ୍ଷୋଭ ପ୍ରକାଶ କରିଥିଲେ। ଏଥି ସହ ଏଣିକି ଯଦି କୌଣସି ନିର୍ବାଚିତ ଜନପ୍ରତିନିଧି ପ୍ରଶାସନିକ ଅଣଦେଖାର ଶିକାର ହେବା ସହ ଗ୍ରାମାଞ୍ଚଳରେ ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ ହୁଏ ତେବେ ଉଚ୍ଚ ନ୍ୟାୟାଳୟ ଏବଂ ଲୋକାୟୁଙ୍କ ଦ୍ୱାରସ୍ଥ ହେବା ସହ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବା ନେଇ ଚେତାବନୀ ଦେଇଥିଲେ। ପ୍ରକାଶ ଯୋଗ୍ୟ ଯେ, ପୂର୍ବରୁ ଏନେଇ ପ୍ରଶାସନିକ ଅଣଦେଖାର ଶିକାର ହେଉଥିବା କେତେକ ନିର୍ବାଚିତ ଜନପ୍ରତିନିଧି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ଯେ ଗତ ସାଧାରଣ ନିର୍ବାଚନ-୨୦୨୪ ପରଠୁ ବ୍ଲକର ଗ୍ରାମାଞ୍ଚଳରେ ଯେକୌଣସି ଉନ୍ନତିମୂଳକ କାର୍ଯ୍ୟ, ରାସନ କାର୍ଡ ପ୍ରଦାନ, ସାମାଜିକ ସୁରକ୍ଷା ଭତ୍ତା ବଣ୍ଟନ, ଅନ୍ତୋଦୟ ଗୃହ ଯୋଜନା କ୍ଷେତ୍ରରେ ନିର୍ବାଚିତ ଜନପ୍ରତିନିଧିଙ୍କୁ ଅନ୍ଧାରରେ ରଖି କିଛି ସରକାରୀ କର୍ମଚାରୀ ଏବଂ ଦଲାଲ ମନମୁଖୀ କାର୍ଯ୍ଯ କରିଆସୁଥିବା
ବେଳେ ବିଭିନ୍ନ ପଞ୍ଚାୟତରେ ଦଲାଲମାନେ ରାସନ କାର୍ଡ ବଣ୍ଟନ କରୁଥିବା ଘଟଣା ଜନପ୍ରତିନିଧିଙ୍କ ନଜରକୁ ଆସିଥିଲା ଏ ନେଇ ଅଭିଯୋଗକାରୀମାନଙ୍କ ପକ୍ଷରୁ ରାଜ୍ଯପାଳ, ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କୁ ମଧ୍ୟ ଅବଗତ କରାଯାଇଥିଲା। ତେବେ ବୁଗୁଡା ଅଞ୍ଚଳରେ କଳୁଷିତ ରାଜନୀତି ସାଙ୍ଗକୁ ପ୍ରଶାସନିକ ନିଷ୍କ୍ରିୟତା ଯୋଗୁଁ କେବଳ ଗ୍ରାମାଞ୍ଚଳ ନୁହେଁ ସହରାଞ୍ଚଳରେ ବିକାଶ ବାଧାପ୍ରାପ୍ତ ହୋଇଥିବାରୁ ବୁଦ୍ଧିଜୀବୀ ମହଲରେ କ୍ଷୋଭ ପ୍ରକାଶ ପାଇଥିବା ଜଣାଯାଇଛି।
