ବଜ୍ରାଘାତରେ କଟାପାଲିର ଜଣେ ମହିଳା ମୃତ
ବରଗଡ଼:୧୯/୯
ବଜ୍ରାଘାତ ନେଲା ଆଉ ଜଣଙ୍କ ଜୀବନ। ବରଗଡ଼ କଟାପାଲି ଗ୍ରାମର ଦେବକୀ ଗରିୟା (୪୩)ଙ୍କ ବଜ୍ରାଘାତରେ ମୃତ୍ୟୁ ଘଟିଛି। ତାଙ୍କ ସ୍ୱାମୀଙ୍କ ନାମ ସୁଶାନ୍ତ ଗରିୟା।
ସୂଚନା ଅନୁଯାୟୀ, ଆଜି ପ୍ରାୟ ଦିନ ୨ଟା ସମୟରେ ପ୍ରଚଣ୍ଡ ଘଡ଼ଘଡ଼ି ସହ ବଜ୍ରପାତ ହେଉଥିବା ବେଳେ ଦେବକୀ ଚାଷ ଜମିରେ ମୁଲିଆ ଭାବେ କାମ କରୁଥିଲେ। ଏହି ସମୟରେ ସେ ବଜ୍ରାଘାତର ଶିକାର ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ତୁରନ୍ତ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ମାତ୍ର ସେଠାରେ କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଅତ୍ୟନ୍ତ ଗରିବ ପରିବାରର ଦେବକୀ ଅନ୍ୟର ଜମିରେ ମୁଲିଆ ଭାବେ କାମ କରି ପରିବାର ଚଳାଉଥିଲେ। ପରିବାର ପାଇଁ ଦୁଇ ପଇସା ରୋଜଗାର କରିବାକୁ ଘରୁ ବାହାରିଥିବା ଦେବକୀ ଆଉ ଜୀବନ୍ତ ଫେରିବେ ନାହିଁ ଏହା କିଏ ବା ଭାବିଥିଲା! ତାଙ୍କ ଅକାଳ ବିୟୋଗରେ କଟାପାଲି ଗ୍ରାମ ସମେତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଉଲ୍ଲେଖଯୋଗ୍ୟ, ଗତକାଲି ସୋହେଲା ଅଞ୍ଚଳର କୁସୁର୍ଡାରେ ଚାଷ ଜମିରେ କାମ କରୁଥିବା ଦୁଇ ମହିଳା ବଜ୍ରାଘାତରେ ପ୍ରାଣ ହରାଇଥିବା ଖବର ପ୍ରକାଶ ପାଇଥିବା ବେଳେ ଆଜି ସୋହେଲା ବ୍ଲକ ତବଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ପଧାନପାଲି ଗ୍ରାମର ସୁରେଶ ପଧାନ ଓ ବରଗଡ଼ କଟାପାଲି ଗ୍ରାମର ଦେବକୀ ଗରୀୟା ବଜ୍ରାଘାତ ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି।
ଚାଷ ଜମିରେ ଜୀବନ ଜୀବିକା ପାଇଁ ସଂଘର୍ଷ କରୁଥିବା ଚାଷୀ ଓ ଶ୍ରମିକଙ୍କ ପାଇଁ ବଜ୍ରପାତ ଏବେ ଏକ ବଡ଼ ବିପଦ ହୋଇ ଦେଖାଦେଇଛି।
