ଫୁଟପାଥ ଫେରିଲା, ପଥଚାରୀଙ୍କ ମୁହଁରେ ହସ ଗୋଲବଜାରରୁ ଗୁଜରାଟୀ କଲୋନୀ ଯାଏଁ ଏସ୍ଏମ୍ସିର ଅବରୋଧମୁକ୍ତ ଅଭିଯାନ,ଭେଣ୍ଡରଙ୍କ ଜୀବିକା ସୁରକ୍ଷା ସହ ସହର ଶୃଙ୍ଖଳାକୁ ଗୁରୁତ୍ୱ

ସମ୍ବଲପୁର, ୧୮.୦୯: ଯେଉଁ ଫୁଟପାଥରେ ଦିନେ ଦିନେ ଲୋକଙ୍କ ପାଦ ଚାଲିବା କଷ୍ଟ , ସେଠାରେ ଶୁକ୍ରବାର ଚଲାଚଳର ସୁଯୋଗ ଫେରିଛି। ପଥଚାରୀଙ୍କ ସୁରକ୍ଷା ଓ ସହରର ସୁଗମ ଯାତାୟାତକୁ ଗୁରୁତ୍ୱ ଦେଇ ସମ୍ବଲପୁର ମହାନଗର ନିଗମ ପକ୍ଷରୁ ଗୋଲବଜାର ଛକରୁ ଗୁଜରାଟୀ କଲୋନୀ ପ୍ରବେଶ ପଥ ପର୍ଯ୍ୟନ୍ତ ଅଭିଯାନ କରାଯାଇ ଫୁଟପାଥକୁ ଅବରୋଧମୁକ୍ତ କରାଯାଇଛି।ଯାହାକୁ ନେଇ ସାରା ସହରବାସୀ ଏସଏମସି ଓ ଜିଲ୍ଲା ପ୍ରଶାସନର ଏଭଳି ପଦକ୍ଷେପକୁ ସବାସୀ ଦେଉଛନ୍ତି।
ଏହି ଅଭିଯାନରେ ସଡ଼କ ପାର୍ଶ୍ୱରେ ବ୍ୟବସାୟ କରୁଥିବା ଷ୍ଟ୍ରିଟ୍ ଭେଣ୍ଡରମାନଙ୍କୁ ନିର୍ଦ୍ଧାରିତ ଭେଣ୍ଡିଂ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ଇନ୍ଫୋର୍ସମେଣ୍ଟ ଅଫିସର ଓ ଏସଏମସି ଇନ୍ଫୋର୍ସମେଣ୍ଟ ଟିମ ଙ୍କ ଉପସ୍ଥିତିରେ ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା।କିନ୍ତୁ ନଥିଲା କୌଣସି ବିରୋଧ। ଯାହା ସମ୍ଭାବ୍ୟ ସ୍ମାର୍ଟ ସିଟି ସମ୍ବଲପୁର ପାଇଁ ଏକ ଶୁଭ ସୂଚନା।
ନିଗମ ପକ୍ଷରୁ କୁହାଯାଇଛି ଯେ, ଷ୍ଟ୍ରିଟ୍ ଭେଣ୍ଡରମାନେ ସହରର ଜୀବନଧାରାର ଏକ ଅଂଶ। ସେମାନଙ୍କ ଜୀବିକା ପ୍ରତି ନିଗମ ସମ୍ବେଦନଶୀଳ ରହିଛି ଏବଂ ନିର୍ଦ୍ଧାରିତ ସ୍ଥାନରେ ବ୍ୟବସାୟ ପାଇଁ ଆବଶ୍ୟକ ସହଯୋଗ ଦିଆଯାଉଛି। ଅନ୍ୟପକ୍ଷରେ, ଫୁଟପାଥ ପଥଚାରୀଙ୍କ ପାଇଁ ନିରାପଦ ଓ ସୁଗମ ରହିବା ମଧ୍ୟ ସମାନ ଗୁରୁତ୍ୱର ବିଷୟ।ସହରରେ ଏପରି ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ। ନାଗରିକମାନେ ନିଗମର ପଦକ୍ଷେପରେ ସହଯୋଗ କରିବା ସହ ଷ୍ଟ୍ରିଟ୍ ଭେଣ୍ଡରମାନେ ନିର୍ଦ୍ଧାରିତ ସ୍ଥାନରେ ବସି ବ୍ୟବସାୟ କରି ଫୁଟପାଥକୁ ମୁକ୍ତ ରଖିବାକୁ ନିଗମ ପକ୍ଷରୁ ଅନୁରୋଧ କରାଯାଇଛି।
ସବୁଜ, ସୁନ୍ଦର, ସ୍ୱଚ୍ଛ ଓ ସୁଗମ ସମ୍ବଲପୁର ଗଠନରେ ଫୁଟପାଥର ମୁକ୍ତି ଏକ ଛୋଟ ପଦକ୍ଷେପ ହେଲେ ମଧ୍ୟ, ଏହାର ପ୍ରଭାବ ସହରବାସୀଙ୍କ ଦୈନନ୍ଦିନ ଜୀବନଯାତ୍ରାରେ ଏକ ବଡ଼ ପଦକ୍ଷେପ ଓ ଐତିହାସିକ ନିଷ୍ପତ୍ତି ବୋଲି ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।
