May 20, 2025

ସଂକୀର୍ତ୍ତନ ଦିଏ ସୁସ୍ଥତା, ଆଧ୍ୟାତ୍ମିକତା ଓ ଏକାଗ୍ରତା  ପୁରୀ ରେ ବିଂଶତମ ସଂକୀର୍ତ୍ତନ ଅଧିବେଶନ 

Share

 

ନିୟମିତ ସଂକୀର୍ତ୍ତନ ମନ,ଶରୀର ଓ ହୃଦୟ କୁ ଅମୃତମୟ କରେ।ଏହା ମଣିଷ ଭିତରେ ଆଧ୍ୟାତ୍ମିକତା ଓ ଏକାଗ୍ରତା ସୃଷ୍ଟି କରିବା ସହ ମଣିଷ କୁ ସୁସ୍ଥ -ସତେଜ ରଖେ ବୋଲି କହିଛନ୍ତି ଗଜପତି ଦିବ୍ୟସିଂହ ଦେବ।ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଭାରତୀୟ ପ୍ରଶାସନିକ ସେବା ର ପ୍ରାକ୍ତନ ଜିଲ୍ଲାପାଳ ଦିଗମ୍ବର ମହାନ୍ତିଙ୍କ ଅଧ୍ୟକ୍ଷତା ଓ ଓଡ଼ିଶା ର ବିଶିଷ୍ଟ ସଂଗଠକ ଜଟାଧାରୀ ମିଶ୍ରଙ୍କ ପରିଚାଳନା ରେ ଅନୁଷ୍ଠିତ ଶ୍ରୀଜଗନ୍ନାଥ ସଂସ୍କୃତି ସଂକୀର୍ତ୍ତନ ସେବା ବିକାଶ ପରିଷଦର ବିଂଶତମ ଅଧିବେଶନକୁ ଉଦଘାଟନ କରି ଗଜପତି କହିଥିଲେ ଯେ ନାମ ସଂକୀର୍ତ୍ତନ ସହ ଗାଁ ଗାଁ ରେ ଭାଗବତ ଟୁଙ୍ଗି ର ପୁନରୁଦ୍ଧାର ଆମର ସଂକଳ୍ପ ହେଉ।ସେ କହିଥିଲେ ଯେ ସନାତନ ଓ ବୈଦିକ ସଂସ୍କୃତି ରେ ନାମ ସଂକୀର୍ତ୍ତନ ଅଭିନ୍ନ ଅଙ୍ଗ। ଆଧ୍ୟାତ୍ମିକ ସଂସ୍କୃତି ହିଁ ଉତ୍କଳୀୟ ଓ ଜଗନ୍ନାଥ ସଂସ୍କୃତି।ଏକ ଶୃଙ୍ଖଳିତ ସମାଜ ଓ ପରିବାର ଗଠନ ସହ ଜୀବନ ର ପରିବର୍ତନ ପାଇଁ ଠାକୁରଙ୍କ ନାମ ସ୍ମରଣ, ଶ୍ରବଣ ଓ ମନନ ଆମର ଧ୍ୟେୟ ହେଉ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଝାଞ୍ଜପିଟା ମଠ ମହନ୍ତ ବାବା ସଚ୍ଚିଦାନନ୍ଦ ଦାସ , ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଅରୁଣ କୁମାର ଦାସ ଓ ଭାଗବତ ଆଶ୍ରମ ର ବାବା ବ୍ରଜବନ୍ଧୁ ଦାସ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଅଳଏକ ଶୃଙ୍ଖଳିତ ସମାଜ ଓ ଜୀବନ ପାଇଁ ସଂକୀର୍ତ୍ତନ ର ଉପାଦେୟତା ଉପରେ ମନ୍ତବ୍ୟ ରଖିଥିଲେ।ମହାଅଧିବେଶନ ର ଦ୍ବିତୀୟ ସୋପାନରେ ଡ୍ରିମସ୍ ର ପ୍ରଫେସର ଅର୍ପିତା ପ୍ରିୟଦର୍ଶିନୀ, ନୟାଗଡ଼ ହସ୍ପିଟାଲ ର ଚିକିତ୍ସା ଅଧିକାରୀ ଆଶୁତୋଷ ମିଶ୍ର, ପୁରୀ ଜଗନ୍ନାଥ ମେଡ଼ିକାଲ ଓ କଲେଜ ର ସର୍ଜରୀ ବିଭାଗ ମୁଖ୍ୟ ଶ୍ରୀକାନ୍ତ ପଣ୍ଡା, ପାରାଦୀପ ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ ସୁରେନ୍ଦ୍ର ମୋହନ ମିଶ୍ର, ପୁରୀ ର ବିଶିଷ୍ଟ ଚିକିତ୍ସକ ଡାକ୍ତର ନରହରି ମିଶ୍ର ଅତିଥି ଭାବେ ଯୋଗଦେଇ ସୁସ୍ଥ ଶରୀର ଗଠନରେ ସଂକୀର୍ତ୍ତନ ର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଶିକ୍ଷାବିତ୍ ଡକ୍ଟର କୈଳାଶ ଚନ୍ଦ୍ର ଟିକାୟତରାୟ, ଡକ୍ଟର ଦିପ୍ତିରେଖା ପାଢୀ ଓ ଡାକ୍ତର ଦେବପ୍ରସାଦ ଦାଶ ସଂଯୋଜନା କରିଥିଲାବେଳେ ପରିଚାଳନା ରେ ସହଯୋଗ କରିଥିଲେ ପ୍ରଫୁଲ୍ଲ କୁମାର ସାମନ୍ତରା, ଚକ୍ରଧର ମହାପାତ୍ର, ପ୍ରଭାକର ତ୍ରିପାଠୀ ଓ ଦେବଦତ୍ତ ଷଡ଼ଙ୍ଗୀ। ଏହି ଅବସରରେ ପରିଷଦର ମୁଖପତ୍ର କୁ ଗଜପତି ଉନ୍ମୋଚନ କରିଥିଲେ।ଏହି ମହାଅଧିବେଶନ ରେ ଓଡ଼ିଶା ପରେପରେ ସଂଗୀତ ନାଟକ ଏକାଡେ଼ମୀ ସଦସ୍ୟ ତଥା ଶ୍ରୀଜଗନ୍ନାଥ ଧର୍ମ ସଂସ୍କୃତି ସୁରକ୍ଷା ସଂଗଠନ ଓଡ଼ିଶା ର ରାଜ୍ୟ ସଭାପତି ଡକ୍ଟର ବଦ୍ରି ମିଶ୍ର, ଗବେଷକ ପୂର୍ଣଚନ୍ଦ୍ର ଗୋଛିକାର,କବି ଦାମୋଦର ପରିଡା, ସମାଜସେବୀ ଅଜୟ ପ୍ରଧାନଙ୍କ ସମେତ ରାଜ୍ୟ ର ବିଭିନ୍ନ ଜିଲ୍ଲାର ଆସିଥିବା ଏକହଜାର ରୁ ଉର୍ଦ୍ଧ୍ୱ ସଂକୀର୍ତ୍ତନକାରୀ , ଶିକ୍ଷାବିତ୍,ଗଵେଷକ,ବୀର ହରେକୃଷ୍ଣ ପୁର ବେଲଦଳ,ବାଲିଗୁଆଳି ସମେତ ପୁରୀ ସଦର, ବ୍ରହ୍ମଗିରି, ସତ୍ୟବାଦୀ, ପିପିଲି ସମେତ ଅନେକ ଅଞ୍ଚଳ ର ଗାଁ ମୁଖିଆ,,ଭବ୍ୟ ସଂକୀର୍ତ୍ତନ ସହ ଠାକୁରଙ୍କ ଭଉଁରୀ ଯାତ୍ରାର ଆଗେ ଆଗେ ନରେନ୍ଦ୍ର ପୁଷ୍କରିଣୀ ଯାତ୍ରା କରିଥିଲେ। ଏହି ପରିପ୍ରେକ୍ଷୀରେ ସଂକୀର୍ତ୍ତନ କଳାକାରଙ୍କୁ ଲୋକକଳା କଳାକାର ଭାବେ ଗ୍ରହଣ କରି ସରକାର, କଳାକାର ଭତ୍ତା ପ୍ରଦାନ କରିଥିବାରୁ, ସରକାରଙ୍କ ପାଖରେ କୃତଜ୍ଞତା ଜ୍ଞାପନ କରିବା ସହ ଏହି ଭତ୍ତା ର ପରିମାଣ ପାଞ୍ଚ ହଜାର କରିବାକୁ ଦାବି ରଖିବା ସହିତ ଶ୍ରୀମନ୍ଦିର ପ୍ରଶାସନ ସଂକୀର୍ତ୍ତନ ଦଳ ପାଇଁ ଦୁଇଟି ଗୃହ ଯୋଗାଇବାକୁ ନିବେଦନ ରଖିଥିଲେ ସଂପାଦକ ଜଟାଧାରୀ ମିଶ୍ର।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ