ବନ୍ଧୁକ ମୁନରେ ଲୁଟିନେଲେ ୫୦ଲକ୍ଷ ଟଙ୍କାର ଗହଣା
ନୀଳଗିରି ( ଦେବାଶିଷ ଦାଶ )
ଗହଣା ଦୋକାନ ବନ୍ଦ କରି ଘରକୁ ଫେରୁଥିବା ଜଣେ ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼ ମାଡ଼ ହୋଇଛି। ବ୍ୟବସାୟୀ ଜଣକ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ତାଙ୍କଠାରୁ ୫୦ଲକ୍ଷ ଟଙ୍କାର ଗହଣା ଲୁଟ କରି ଦୁର୍ବୃତ୍ତମାନେ ଫେରାର ହୋଇ ଯାଇଛନ୍ତି।
ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଧୀନ ସନ୍ତରାଗଡ଼ିଆ ବଜାରରେ ଗହଣା ଦୋକାନ କରିଥିବା ନିକଟସ୍ଥ କୁଳିଗଡ଼ି ଗାଁର କୃପାସିନ୍ଧୁ ରଣା(୫୨) ଆଜି ଦୋକାନ ବନ୍ଦ କରି ସ୍କୁଟିରେ ଘରକୁ ଫେରୁଥିଲେ। କୁଳିଗଡ଼ି ଡାକ୍ତରଖାନା ନିକଟରେ ୪ଜଣ ଦୁର୍ବୃତ୍ତ ବାଇକରେ ତାଙ୍କୁ ପିଛା କରି ଗହଣା ବ୍ୟାଗ ଛଡ଼ାଇ ନେବା ସହ ଗୁଳିମାଡ଼ କରିଛନ୍ତି। ଅଳ୍ପକେ ବ୍ୟବସାୟୀ ଜଣକ ବର୍ତ୍ତି ଯାଇଛନ୍ତି। ଉକ୍ତ ବ୍ୟାଗ ଭିତରେ ୫୦ଲକ୍ଷ ଟଙ୍କାର ସୁନାଗହଣା ସହ ନଗଦ ଟଙ୍କା ରହିଥିବା ସୂଚନା ମିଳିଛି। ଖବରପାଇ ୧୧ଟାରେ ନୀଳଗିରି ଆଇଆଇସି ଗୋବର୍ଦ୍ଧନ ନାୟକ ସଦଳବଳେ ପହଞ୍ଚି ଗୁଳିର ଖୋକା ଜବତ କରିବା ସହ ତନାଘନା ଆରମ୍ଭ କରିଛନ୍ତି।
